କଠୁଆ ମାମଲା : ଦୋଷୀ ଓକିଲଙ୍କ ଲାଇସେନ୍ସ ରଦ୍ଦ ହେବ

0

ନୂଆଦିଲ୍ଲୀ : କଠୁଆ ଗଣବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୋଗ ଫର୍ଦ ଦାଖଲରେ ବାଧା ସୃଷ୍ଟି କରିଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମାମଲାର ତଦନ୍ତ ପାଇଁ ଭାରତୀୟ ଓକିଲ ସଂଘ(ବାର୍‌ କାଉନ୍‌ସିଲ ଅଫ ଇଣ୍ଡିଆ) ପକ୍ଷରୁ ୫ ସଦସ୍ୟ ବିଶିଷ୍ଟ ଏକ ଦଳ ଗଠନ କରାଯାଇଛି । ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର ରବିବାର ଏହି ସୂଚନା ଦେବା ସହ ଦୋଷୀ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି କହିଛନ୍ତି। ମନନ କୁମାର କହିଛନ୍ତି ଯେ ବାର କାଉନସିଲ ବୈଠକରେ ଏକ ୫ ଜଣିଆ ଦଳ ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଦଳ କଠୁଆ ଏବଂ ଜମ୍ମୁ ଯାଇ ଜାମ୍ମୁ କାଶ୍ମୀର ଓକିଲ ସଂଘ, ଜାମ୍ମୁ କାଶ୍ମୀର ଉଚ୍ଚ ନ୍ୟାୟାଳୟ ଓକିଲ ସଂଘ ଏବଂ କଠୁଆ ଓକିଲ ସଂଘ ସହ ଆଲୋଚନା କରିବ । ଏହି ଦଳ ତଦନ୍ତ ରିପୋର୍ଟ ବିସିଆଇକୁ ହସ୍ତାନ୍ତର କରିବପରେ ଅପ୍ରେଲ ୧୯ରେ ଉକ୍ତ ରିପୋର୍ଟକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ । ରିପୋର୍ଟ ଦାଖଲ ପାଇଁ ଆଉ ୨ ଦିନ ଅଧିକ ସମୟ ଦେବାକୁ ବିସିଆଇ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛି । ଜାମ୍ମୁ କାଶ୍ମୀର ଓକିଲ ସଂଘକୁ ତତ୍କାଳ ଆନ୍ଦୋଳନ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଓକିଲଙ୍କ ଲାଇସେନ୍ସ ଆଜୀବନ ରଦ୍ଦ କରାଯିବ ବୋଲି ସୂଚନା ଦିିଆଯାଇଛି । ପ୍ରକାଶ ଯେ କଠୁଆ ଗଣବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲରେ ସ୍ଥାନୀୟ ଓକିଲମାନେ ବାଧା ସୃଷ୍ଟି କରିଥିଲେ । ଏହି ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ବିରୋଧ କରୁଥିବା ଓକିଲମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭାରତୀୟ ଓକିଲ ସଂଘକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କୌଣସି ଓକିଲ ଅନ୍ୟ ଓକିଲଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବାଧା ଦେଇପାରିବେ ନାହିଁ। ଏଥିସହ ଓକିଲମାନେ କୋର୍ଟଙ୍କୁ ତାଙ୍କ ଦାୟିତ୍ୱ ନିର୍ବାହରୁ ନିବୃତ୍ତ କରିପାରିବେ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ୧୯ ତାରିଖକୁ ଧାର୍ଯ୍ୟ କରାଯାଇଛି। ଉଲ୍ଲେଖ ଯେ, ୮ ବର୍ଷ ବୟସ୍କା ନାବାଳିକା ଆସିଫାଙ୍କୁ ଗଣବଳାତ୍କାର ତଥା ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ସମର୍ଥନ କରି ଜାମ୍ମୁ ଏବଂ କଠୁଆ ଓକିଲ ସଂଘ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାରେ ପୁଲିସକୁ ବାଧା ଦେଇଥିଲେ।

Leave A Reply