ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପ୍ରାୟ ସମସ୍ତ ଖବରକାଗଜ ସେମାନଙ୍କ ରବିବାର ସଂସ୍କରଣର ପ୍ରଥମ ପୃଷ୍ଠାକୁ ଫାଙ୍କା ଛାପିଛନ୍ତି; ଅର୍ଥାତ ଖବରକାଗଜର ପ୍ରଥମ ପୃଷ୍ଠାରେ କୌଣସି ଖବର କିମ୍ବା ବିଜ୍ଞାପନ ଛପା ଯାଇନାହିଁ। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ପ୍ରତିବାଦ କରି ଖବରକାଗଜଗୁଡିକ ଏପରି ଶୂନ୍ୟ ପୃଷ୍ଠା ଛାପିଛନ୍ତି। ଜାମ୍ମୁ-କାଶ୍ମୀର ସରକାର ରାଜ୍ୟର ଦୁଇଟି ଦୈନିକ ଖବରକାଗଜ ‘ଗ୍ରେଟର କାଶ୍ମୀର’ ଓ ‘କାଶ୍ମୀର ରିଡର’କୁ ବିଜ୍ଞାପନ ଦେବା ବନ୍ଦ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବାକୁ ଯାଇ ଖବରକାଗଜଗୁଡିକ ଶୂନ୍ୟ ପୃଷ୍ଠା ଛାପିଛନ୍ତି। ଏହା ସହିତ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ ପାଇଁ କାଶ୍ମୀର ଏଡିଟର୍ସ ଗିଲଡ (କେଇଜି) ରବିବାର ଅପରାହ୍ଣରେ ଏକ ବିକ୍ଷୋଭ ଶୋଭାଯାତ୍ରା କରିଛି। ଗ୍ରେଟର କାଶ୍ମୀର ଓ କାଶ୍ମୀର ରିଡର କାଶ୍ମୀରର ସର୍ବାଧିକ ପ୍ରସାରିତ ଦୈନିକ ଇଂରାଜୀ ଖବରକାଗଜ। ଏହି ଦୁଇଟି ଖବରକାଗଜକୁ ବିଜ୍ଞାପନ ଦେବା ବନ୍ଦ କରିଥିବା ନେଇ ରାଜ୍ୟ ସୂଚନାପ୍ରସାରଣ ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି। ନିର୍ଦେଶାଳୟ କୌଣସି ଲିଖିତ ନିର୍ଦେଶନାମା ଜାରି କରି ନଥିବାବେଳେ ମୌଖିକ ଭାବେ ଏହା କହିଛି। ବିଜ୍ଞାପନ ବନ୍ଦ କରାଯିବା ସମ୍ପର୍କରେ କାଶ୍ମୀର ଏଡିଟର୍ସ ଗିଲଡ ସରକାରଙ୍କ ଠାରୁ ସବିଶେଷ କାରଣ ଲୋଡିଥିବାବେଳେ ସରକାର ଏ ବାବଦରେ କୌଣସି ଉତ୍ତର ଦେଇ ନାହାନ୍ତି। ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବାବେଳେ ଏହି ଦୁଇ ଖବରକାଗଜ ବିଜ୍ଞାପନ ଲାଗି ଲଢେଇ କରୁଛନ୍ତି।
Popular Categories



