mission shakti banner

କାର୍ତ୍ତି ଚିଦମ୍ବରମଙ୍କୁ ଜାମିନ୍‌

BSKY banner  750×100
0

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ସିବିଆଇ ଦ୍ୱାରା ଗିରଫ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଜାମିନ୍‌ ପ୍ରଦାନ କରିଛନ୍ତି । ଜାମିନ୍‌ ପାଇଁ କାର୍ତ୍ତିଙ୍କୁ ୧୦ ଲକ୍ଷ ଟଙ୍କାର ବେଲବଣ୍ଡ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି । ଏହାସହ କାର୍ତ୍ତି ଏହି ସମୟରେ ଦେଶ ବାହାରକୁ ଯାଇପାରିବେ ନାହିଁ କି ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି ।  ବିଚାରପତି ଏସ୍‌ପି ଗାର୍ଗ ମାର୍ଚ୍ଚ ୧୬ରେ ଏହି ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଥିଲେ । ସିବିଆଇ କାର୍ତ୍ତିଙ୍କୁ ଜାମିନ୍‌ ପ୍ରଦାନକୁ ବିରୋଧ କରି ନିଜ ପକ୍ଷ ଉପସ୍ଥାପନ କରିଥିଲାବେଳେ କାର୍ତ୍ତିଙ୍କ ଓକିଲ ତାଙ୍କ ପକ୍ଷ ରଖିଥିଲେ । ଶୁକ୍ରବାର ରାୟ ପ୍ରକାଶ ପୂର୍ବକ ଦିଲ୍ଲୀ ହାଇକୋର୍ଟ ୧୦ ଲକ୍ଷ ଟଙ୍କାର ବେଲବଣ୍ଡରେ କାର୍ତ୍ତିଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି । କାର୍ତ୍ତିଙ୍କୁ ମୁକ୍ତ କରାଗଲେ ସେ ପ୍ରମାଣ ନଷ୍ଟ କରିବେ ଓ ଆଗରୁ କିଛି ପ୍ରମାଣ ନଷ୍ଟ କାରିସାରିଛନ୍ତି ବୋଲି ସିବିଆଇ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ସେହିପରି କାର୍ତ୍ତିଙ୍କ ନାମରେ କୌଣସି ଦୁର୍ନୀତି ମାମଲା ନଥିଲାବେଳେ ସିବିଆଇ ଏହି ମାମଲାରେ କୌଣସି ପ୍ରାଶାସନିକ ଅଧିକାରୀଙ୍କୁ ଜେରା କରିନାହିଁ କି କାହାରିକୁ ଅଭିଯୁକ୍ତ ବୋଲି ଦର୍ଶାଇନାହିଁ ବୋଲି ତାଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ କାର୍ତ୍ତିଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି । ପ୍ରକାଶ ଯେ ମୁମ୍ବଇସ୍ଥିତ ଆଇଏନ୍‌ଏକ୍ସ ମିଡିଆକୁ ବୈଦେଶିକ ନିବେଶ ପ୍ରୋତ୍ସାହନ ବୋର୍ଡ (ଏଫ୍‌ଆଇପିବି) କ୍ଲିୟରାନ୍ସ ପ୍ରଦାନ ଲାଗି ୩.୫ କୋଟି ଟଙ୍କା ଲାଞ୍ଚ ନେଇଥିବାର ଅଭିଯୋଗ କାର୍ତ୍ତିଙ୍କ ବିରୋଧରେ ରହିଛି। ଏହି ମାମଲାରେ ଫେବୃଆରୀ ୨୮ରେ ତାଙ୍କୁ ଚେନ୍ନାଇ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା ।

Leave A Reply