Patra electronics

କରତାରପୁର କରିଡର: ଶ୍ରଦ୍ଧାଳୁଙ୍କଠାରୁ ୧୪୦୦ ଟଙ୍କା ସେବା ଶୁଳ୍କ ନେବ ପାକିସ୍ତାନ

0

ନୂଆଦିଲ୍ଲୀ : ପାକିସ୍ତାନ କରତାରପୁରରେ ଦରବାର ସାହିବ ଗୁରୁଦ୍ୱାର ଯିବାକୁ ଇଚ୍ଛୁକ ପ୍ରତି ଶ୍ରଦ୍ଧାଳୁଙ୍କଠାରୁ ୧୪୦୦ ଟଙ୍କା (୨୦ ଡଲାର) ସେବା ଶୁଳ୍କ ନେବ। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଡ. ମୋହମ୍ମଦ ଫୈଜଲ ଗୁରୁବାର ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ କରତାରପୁର ଦରବାର ସାହିବ ଯିବାକୁ ଇଚ୍ଛୁକ ଶିଖ ଶ୍ରଦ୍ଧାଳୁଙ୍କୁ ୨ଟି ଶ୍ରେଣୀରେ ରଖିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଥିଲା।
ଏନେଇ ପାକିସ୍ତାନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ପ୍ରତି ଶ୍ରଦ୍ଧାଳୁଙ୍କଠାରୁ ୨୦ ଡଲାର ଅର୍ଥାତ ୧୪୦୦ ଟଙ୍କା ନିଆଯିବ। ଏହା ପ୍ରବେଶ ଶୁଳ୍କ ନୁହେଁ ବରଂ ଏହି ଅର୍ଥ ସେବା ଶୁଳ୍କ ଭାବେ ନିଆଯିବ ବୋଲି କୁହାଯାଇଛି।
ଏହା ପୂର୍ବରୁ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ କାରତାରପୁର ଯିବା ପାଇଁ ଆବେଦନ କରିବାକୁ ଥିବା ଶିଖ ତୀର୍ଥଯାତ୍ରୀଙ୍କ ନିମନ୍ତେ ଅନଲାଇନ ଭିସା ପ୍ରଣାଳୀରେ ଧାର୍ମିକ ପର୍ଯ୍ୟଟନର ଶ୍ରେଣୀ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ୨ଟି ଶ୍ରେଣୀ ରହିବ ଓ ସେହି କ୍ରମରେ ଭିସା ଆବେଦନ ସ୍ୱୀକାର କରାଯିବ। ଇମ୍ରାନଙ୍କ କ୍ୟାବିନେଟ ମୋହର ମାରିଲେ ଏହି ବ୍ୟବସ୍ଥା ଲାଗୁ କରାଯିବ। ପ୍ରକାଶଯୋଗ୍ୟ ଯେ ଗତ ବୁଧବାର ଭାରତ ଓ ପାକିସ୍ତାନ ମଧ୍ୟରେ କରତାରପୁର କରିଡ଼ର ନେଇ ଅଧିକାରୀସ୍ତରୀୟ ଆଲୋଚନା ହୋଇଥିଲା। ଆଲୋଚନାରେ କରତାରପୁର କରିଡ଼ରରେ ଭାରତୀୟ ଶିଖ ତୀର୍ଥଯାତ୍ରୀମାନଙ୍କୁ ଭିସା ମୁକ୍ତ ଯାତ୍ରାର ଅନୁମତି ଦେବାକୁ ସହମତି ହୋଇଥିଲା।

Leave A Reply