କର୍ଣ୍ଣାଟକ ନିର୍ବାଚନ : ଷ୍ଟାର ପ୍ରଚାରକ ତାଲିକାରେ ବିହାର ଓ ୟୁପି ନେତା

0

ଲକ୍ଷ୍ନୌ/ପାଟନା : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛନ୍ତି । ଏହି କ୍ରମରେ ବିଜେପିର ଷ୍ଟାର ପ୍ରଚାରକ ଭାବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ବାଗ୍ରେ ରହିଛନ୍ତି । ମେ’ ୩ରୁ ୧୦ ତାରିଖ ମଧ୍ୟରେ ସେ ପ୍ରାୟ ୩୫ଟି ରାଲି କରିବେ ବୋଲି ଦଳୀୟ ମୁଖପାତ୍ର ସଲଭ ମଣି ତ୍ରିପାଠୀ କହିଛନ୍ତି। ସେହିଭଳି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ନିଜ ଦଳର ୩୫ ଜଣ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଏ ନେଇ ସେ ଚଳିତମାସ ଶେଷ କିମ୍ବା ମେ’ ମାସ ପ୍ରାରମ୍ଭରେ କର୍ଣ୍ଣାଟକ ଯିବେ। ଦଳ ପକ୍ଷରୁ ୨୦ ଜଣ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି ବୋଲି ବିହାରର ଜେଡିୟୁ ମୁଖ୍ୟ ବଶିଷ୍ଠ ନାରାୟଣ ସିଂହ କହିଛନ୍ତି। ଅନ୍ୟପଟେ ସମାଜବାଦୀ ପାର୍ଟି କର୍ଣ୍ଣାଟକରେ ୨୪ ପ୍ରାର୍ଥୀ ଦେଇଛି। ଏମାନଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଅଖିଳେଶ ଯାଦବ ପ୍ରଚାର କରିବେ। ଏଥିସହ ସେ କଂଗ୍ରେସ ପାଇଁ ମଧ୍ୟ ପ୍ରଚାର କରିବେ ବୋଲି ଦଳୀୟ ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ ମିଳିତ ଭାବେ ୨୦୧୭ ବିଧାନସଭା ନିର୍ବାଚନ ଲଢିଥିଲେ। କଂଗ୍ରେସ ପକ୍ଷରୁ ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ପ୍ରଚାର କରିବେ। ସେହିଭଳି ବିଏସ୍‌ପି ଜେଡିଏସ୍‌ ସହିତ ମିଶି ବିଧାନସଭା ନିର୍ବାଚନ ଲଢିବ। ଏ ନେଇ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଛି। ବିଏସ୍‌ପି ମୁଖ୍ୟ ମାୟାବତୀ ଇତିମଧ୍ୟରେ ମହୀଶୂରରୁ ନିର୍ବାଚନୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ମେ’ ଓ ୬ରେ ସେ ବେଲଗବି ଏବଂ ବିଦାରରେ ପ୍ରଚାର କରିବେ। ତାଙ୍କ ଦଳ ୨୦ଟି ଆସନରେ ପ୍ରାର୍ଥୀ ଦେଇଛି। ରାଜ୍ୟରେ ମେ’ ୧୨ରେ ୨୨୪ ବିଧାନସଭା ଆସନ ଲାଗି ମତଦାନ ହେବ।

Leave A Reply