କର୍ଣ୍ଣାଟକ ମହିଳାଙ୍କୁ ବିଜେପିର ଲ୍ୟାପଟପ୍, ସ୍ମାର୍ଟଫୋନ୍ ଓ ମଙ୍ଗଳସୂତ୍ର
ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନକୁ ଆଉ ମାତ୍ର ୭ଦିନ ରହିଲା। ଗୋଟିଏ ପଟେ ବିଜେପି ରାଜ୍ୟରେ ନିଜ ସ୍ଥିତି ପ୍ରମାଣିତ କରିବାକୁ ଉଦ୍ୟମ ଜାରି ରଖିଥିବାବେଳେ କଂଗ୍ରେସ ନିଜ ଗଡ଼ ରକ୍ଷା କରିବାକୁ ଚଲାଇଛି ଉଦ୍ୟମ। ଶୁକ୍ରବାର ସକାଳେ ଏଥି ନିମନ୍ତେ ବିଜେପି ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି। ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି. ଏସ ୟେଦୁରପ୍ପା ଓ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡ଼େକର ବିଜେପି ପକ୍ଷରୁ ଆନୁଷ୍ଠାନିକ ଭାବରେ ଘୋଷଣା ପତ୍ରକୁ ଜାରି କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ କର୍ଣ୍ଣାଟକରେ ୧୨ମେ’ ରେ ମତଦାନ ହେବାକୁ ଯାଉଥିବାବେଳେ ମେ’ ୧୫ରେ ଫଳାଫଳ ଘୋଷଣା ହେବ। ଏଭଳି ପରିସ୍ଥିତିରେ ଉଭୟ ଦଳ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରତିଶ୍ରୁତିର ସୁଅ ଛୁଟାଇ ଦେଉଥିଲେ ମଧ୍ୟ ସେଠାରେ ନିର୍ବାଚନ ପ୍ରସଙ୍ଗ ଭିତ୍ତିକ ହେବ ବୋଲି ଆକଳନ କରାଯାଉଛି। ତେବେ ବିଜେପିର ଘୋଷଣା ପତ୍ର ଭୋଟରଙ୍କ ନିମନ୍ତେ ସର୍ବସାଧାରଣ କରାଯାଇ ଥିଲେ ମଧ୍ୟ ଏହି ଘୋଷଣା ପତ୍ରକୁ ଭୋଟରଙ୍କ ଅପେକ୍ଷା ବିରୋଧୀ ରାଜନୈତିକ ଦଳ ଅଧିକ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଫଳରେ ବିଜେପିର ଘୋଷଣା ପତ୍ର ପ୍ରକାଶ ପାଇବା କ୍ଷଣି କଂଗ୍ରେସ ପକ୍ଷରୁ ପରବର୍ତ୍ତୀ ରଣନୀତିକୁ ନେଇ ଘନଘନ ବୈଠକ ଆରମ୍ଭ ହୋଇ ଯାଇଥିବା ଦୃଶ୍ୟମାନ ହେଉଛି। ଆସନ୍ତୁ ଜାଣିବା କର୍ଣ୍ଣାଟକବାସୀଙ୍କ ପାଇଁ କ’ଣ ପ୍ରତିଶ୍ରୁତି ରଖିଛି ବିଜେପି।
୧) ମରୁଡ଼ି ପ୍ରଭାବିତ ୨୦ଲକ୍ଷ କୃଷକଙ୍କୁ ୧୦ହଜାର ଟଙ୍କାର ଅର୍ଥିକ ସହାୟତା।
୨) ଜଳସେଚନ ବ୍ୟବସ୍ଥାର ଅଧୁନିକୀକରଣ ନିମନ୍ତେ ୧.୫କୋଟି ଟଙ୍କା।
୩) କୃଷକଙ୍କ ପାଣି ପମ୍ପ ବ୍ୟବହାର ନିମନ୍ତେ ୧୦ଘଣ୍ଟା ପାଇଁ ମାଗଣା ବିଜୁଳି ସେବା।
୪) ଗୋ-ହତ୍ୟା ଉପରେ ଅଙ୍କୁଶ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।
୫) ମହିଳାଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାତ୍ର ୧ ପ୍ରତିଶତ ସୁଧ ହାରରେ ଋଣ।
୬) ବିପିଏଲ ବର୍ଗର ମହିଳାଙ୍କୁ ସ୍ମାର୍ଟ ଫୋନ୍।
୭) ପଶୁ ସମ୍ପଦ କଲ୍ୟାଣ ନିମନ୍ତେ ୩୦୦୦କୋଟି ଟଙ୍କା।
୮) ବିପିଏଲ ବର୍ଗରେ ବିବାହ ଅନୁଷ୍ଠାନରେ ୩ଗ୍ରାମର ମଙ୍ଗଲସୁତ୍ର ସମ୍ପୃକ୍ତ ଯୁବତୀଙ୍କୁ ପ୍ରଦାନ।
୯) ‘ଭାଗ୍ୟଲକ୍ଷ୍ମୀ’ ଯୋଜନାରେ ମଧ୍ୟମ ବର୍ଗ ଓ ନିମ୍ନ ମଧ୍ୟବିତ୍ତଙ୍କୁ ପ୍ରଦାନ କରାଯିବ ୧ରୁ ୨ଲକ୍ଷ ଟଙ୍କାର ଋଣ।
୧୦) ଚାକିରୀ ନିମନ୍ତେ ୨୫୦କୋଟି।
୧୧) ପ୍ରତି ପରିଷଦ କ୍ଷେତ୍ରରେ ସ୍ୱିମିଂ ପୁଲ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା।
୧୨) ୩୦୦ରୁ ଅଧିକ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ୍।
୧୩) ୪୦୦ଅନୁସୂଚିତ ବର୍ଗର ଛାତ୍ରଙ୍କୁ ବିଦେଶରେ ଶିକ୍ଷା।
୧୪) ୭୫୦୦କୋଟି ପଛୁଆ ବର୍ଗଙ୍କ ଉନ୍ନତି ନିମନ୍ତେ ବିନିଯୋଗ।
୧୫) ଦୁର୍ନୀତି ନିବାରଣ ନିମନ୍ତେ ସ୍ୱତନ୍ତ୍ର ହେଲ୍ଫଲାଇନ୍
୧୬) ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ସିସି ଟିଭି କ୍ୟାମେରା।
୧୭) କଂଗ୍ରେସ ବିରୋଧରେ ଶ୍ବେତପତ୍ର।
୧୮) ବେଙ୍ଗାଲୁରୁ ହେବ ଆବର୍ଜନାମୁକ୍ତ ସହର।
୧୯) ରାଜ୍ୟରେ ସୌର ପ୍ରକଳ୍ପର ବିକାଶ।
୨୦) ସମସ୍ତ ପରିଷଦରେ ଆରୋଗ୍ୟ କେନ୍ଦ୍ରର ପ୍ରତିଷ୍ଠା।
ଉପରୋକ୍ତ ଘୋଷଣାନାମାକୁ ତର୍ଜମା କଲେ ଆଗାମୀ ୫ ବର୍ଷ ମଧ୍ୟରେ ବିଜେପି ସରକାର କର୍ଣ୍ଣାଟକର କାୟା ପରିବର୍ତ୍ତନ କରିବାର ଲକ୍ଷ୍ୟ ରଖିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଏଭଳି ଘୋଷଣାନାମାକୁ ଭୋଟର କେତେ ଦୂର ବିଶ୍ୱାସକୁ ନେବେ ତାହା ଫଳାଫଳ ପରେ ସ୍ପଷ୍ଟ ହେବ।