କଂଗ୍ରେସ ଦୁର୍ନୀତିରେ ସ୍ୱର୍ଣ୍ଣ ପଦକଧାରୀ : ମୋଦି

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନୀ ପ୍ରଚାରରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତି ସହ ବିଭିନ୍ନ ପ୍ରସଙ୍ଗ ଉଠାଇ ପରସ୍ପରକୁ କଡ଼ା ସମାଲୋଚନା କରିଛନ୍ତି । ମତଦାନକୁ ଆଉ ମାତ୍ର ୭ ଦିନ ବାକିଥିବାବେଳେ ଦୁଇ ଦଳର ନେତା ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି । ଗୁରୁବାର ମୋଦି ୩ଟି ବିଜେପି ନିର୍ବାଚନୀ ପ୍ରଚାର ସଭାରେ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୪ଟି ପ୍ରଚାର ସମାରେ ଉଦ୍‌ବୋଧନ ଦେଇଥିଲେ । ରାଜଧାନୀ ବେଙ୍ଗାଲୁରୁରେ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର କଂଗ୍ରେସ ସରକାରଙ୍କୁ ଦୁର୍ନୀତିର ସ୍ୱର୍ଣ୍ଣ ପଦକଧାରୀ ବୋଲି କହିଥିଲେ । ସେହିପରି ରାହୁଲ ଗାନ୍ଧି ପ୍ରତିଜବାବରେ ରାଫେଲ ଯୁଦ୍ଧ ବିମାନ ରାଜିନାମା, ନିରବ ମୋଦି ଠକେଇ ମାମଲା ଉଲ୍ଲେଖ କରି ବିଜେପି ଉପରେ ବର୍ଷିଥିଲେ । ଏହାସହ ବ୍ୟକ୍ତିଗତ ଆକ୍ଷେପକୁ ରାହୁଲ ନିନ୍ଦା କରିଥିଲେ । ମୋଦି ଡରିଲେ ବ୍ୟକ୍ତିଗତ ଆକ୍ଷେପ କରନ୍ତି ଓ ଏହା ତାଙ୍କ ସ୍ୱଭାବ ବୋଲି ରାହୁଲ କହିଥିଲେ । ରାହୁଲ ଜିଏସ୍‌ଟି, ନିରବ ମୋଦି, ବିଜେପି ବିଧାୟକ ପ୍ରାର୍ଥୀ ରେଡ୍ଡୀ ଭାଇଙ୍କୁ ନେଇ ମୋଦିଙ୍କ କଡ଼ା ସମାଲୋଚନା କରିଥିଲେ । ପ୍ରଚାର ପୂର୍ବରୁ ରାହୁଲ ଟ୍ୱିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ରିପୋର୍ଟ କାର୍ଡ ଅପଲୋଡ କରିଥିଲେ । ଏଥିରେ ସେ ମୋଦିଙ୍କୁ ଏଫ୍‌ ଗ୍ରେଡ଼ ଦେଇ ଫେଲ୍‌ ଘୋଷିତ କରିଛନ୍ତି । ସେ ଏହି ରିପୋର୍ଟ କାର୍ଡରେ କର୍ଣ୍ଣାଟକରେ କୃଷିଋଣ ଛାଡ଼ କରାନଯିବା, କୃଷି ବୀମା ଯୋଜନାରେ ଘରୋଇ କମ୍ପାନୀଙ୍କୁ ଅଧିକ ଫାଇଦା ଦିଆଯିବା ଓ କୃଷି ଉତ୍ପାଦର ସର୍ବନିମ୍ନ ମୂଲ୍ୟ ସ୍ଥିର କରାଯାଇନଥିବାରୁ ମୋଦିଙ୍କୁ ଫେଲ୍‌ କରିଛନ୍ତି । ଉଲ୍ଲେଖ ଯେ ମଙ୍ଗଳବାରଠାରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସଭାରେ ମୋଦି ରାହୁଲଙ୍କୁ ବିନାକାଗଜରେ ୧୫ ମିନିଟ୍‌ ସିଦ୍ଧରମୈୟା ସରକାରଙ୍କ ସଫଳତାର ବିଷୟ କହିବାକୁ କହିଥିଲେ । ସଫଳତା କହିବା ବଦଳରେ ବିଫଳତା ବିଷୟରେ କହି ରାହୁଲ ପ୍ରଚାର କରୁଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

Leave A Reply