ବୁଥ୍ ମୁହାଁ କନ୍ଧମାଳ ପୋଲିଂ ପାର୍ଟି, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
ବୁଥ୍ ଠାରୁ ୨୦୦ ମିଟର ଦୂରତା ମଧ୍ୟରେ ୧୪୪ ଧାରା ଜାରି
ଫୁଲବାଣୀ:୨୦୨୪ ଲୋକସଭା ଓ ବିଧାନସଭା ପାଇଁ ଆସନ୍ତା ୨୦ ତାରିଖରେ କନ୍ଧମାଳ ଜିଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଆଜି ସଂଧ୍ୟା ସୁଦ୍ଧା ପୋଲିଂ ଅଧିକାରୀ ଓ ପୁଲିସ ଅଧିକାରୀମାନେ ସେମାନଙ୍କର ବୁଥରେ ପହଞ୍ଝିଯିବେ ବୋଲି ଜଣାପଡ଼ିଛି। ଆଜି ଅପରାହ୍ନ ୫ଟାରୁ ୨୧ ତାରିଖ ପର୍ଯ୍ୟନ୍ତ ବୁଥ୍ ଠାରୁ ୨୦୦ ମିଟର ଦୂରତା ମଧ୍ୟରେ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ ୧୪୪ ଧାରା ଜାରି କରିଛନ୍ତି। ପୋଲିଂ ଅଧିକାରୀ, ପୋଲିସ୍ ଓ ଭୋଟରଙ୍କ ବ୍ୟତିତ ଅନ୍ୟମାନେ ସେହି ଅଞ୍ଝଳ ମଧ୍ୟରେ ଏକାଠି ହୋଇପାରିବେ ନାହିଁ। ଆଜି ଠାରୁ ବୁଥ୍ ମୁହାଁ ହୋଇଛନ୍ତି କନ୍ଧମାଳ ଜିଲାର ପୋଲିଂ ପାର୍ଟି। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଡେପୁଟି କଲେକ୍ଟର୍ ଡି. ମାଲେଶ୍ୱର ପାତ୍ରଙ୍କ ସୂଚନା ଅନୁଯାୟୀ କନ୍ଧମାଳ ଜିଲାର ମୋଟ୍ ୫ଲକ୍ଷ ୬୮ ହଜାର ୯୬୧ ଜଣ ଭୋଟର ଆସନ୍ତା ୨୦ ତାରିଖରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୭୪ ହଜାର ୮୩୮ ଜଣ ପୁରୁଷ, ୨ ଲକ୍ଷ ୯୪ ହଜାର ୫୦ ଜଣ ମହିଳା ଏବଂ ୭୩ ଜଣ କିନ୍ନର ମତଦାତା ଅଛନ୍ତି। ଜିଲାରେ ସମୁଦାୟ ଭିନ୍ନକ୍ଷମ ଭୋଟର ସଂଖ୍ୟା ୧୧ ହଜାର ୨୪୮ ଜଣ ବୋଲି ଜଣାପଡ଼ିଥିବାବେଳେ, ୧୪ ହଜାର୩୩୦ ଜଣ ଯୁବ ଭୋଟର ଅଛନ୍ତି।
କନ୍ଧମାଳ ଜିଲାର ମୋଟ ବୁଥ୍ ସଂଖ୍ୟା୬୬୧ ଥିବା ବେଳେ ସେଥି ମଧ୍ୟରୁ ୮୨-ବାଲିଗୁଡ଼ା(ସଂ)ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୧୭୮, ୮୩-ଘୁ.ଉଦୟଗିରି(ସଂ)ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୨୫୩ ଏବଂ ୮୪-ଫୁଲବାଣୀ (ସଂ) ନିର୍ବାଚନ ମଣ୍ଡଳୀର ବୁଥ୍ ସଂଖ୍ୟା ୨୩୦ ବୋଲି ଜଣାପଡ଼ିଛି। ନିର୍ବାଚନ କାର୍ଯ୍ୟର ସୁପରିଚାଳନା ପାଇଁ ସମୁଦାୟ ୩ ହଜାର୯୬୬ଜଣ ଜଣ ପୋଲିଂ ଅଧିକାରୀ ମୁତୟନ ହୋଇଛନ୍ତି। ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ୱେବ୍ କାଷ୍ଟିଙ୍ଗ୍ ପାଇଁ ୩୯୫ ଟି ବୁଥ୍ ପ୍ରସ୍ତୁତ କରାଯାଇଛି ଓ କେତେକ ବୁଥରେ ମାଇକ୍ରୋ ଅବଜରଭର ଏବଂ ୮୬ ଜଣ ସେକ୍ଟର ମାଜିଷ୍ଟ୍ରେଟଙ୍କୁ ମଧ୍ୟ ମୁତୟନ କରାଯାଇଛି। ନିର୍ବାଚନ ପାଇଁ ମୁତୟନ ପ୍ରଜାଇଡିଂ ଓ ପୁଲିଙ୍ଗ ଅଧିକାରୀମାନଙ୍କୁ ମତଦାନ କେନ୍ଦ୍ରରେ ପହଞ୍ଝାଇବା ଏବଂ ନିର୍ବାଚନ ପରିଚାଳନା ସମ୍ପର୍କୀତ କ୍ଷେତ୍ର ପର୍ଯ୍ୟବେକ୍ଷଣ ଉଦ୍ଦେଶ୍ୟରେ ୪୪୦ଟି ବୋଲର୍ ଓ ୧୭୫ ଗୋଟି ବସ୍ ବ୍ୟବସ୍ଥା କରାଯାଇଥିବା କଥା ଆଞ୍ଝଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଜଣାଇଛନ୍ତି।
ପ୍ରତି ମତଦାନ କେନ୍ଦ୍ରକୁ ହ୍ୱିଲ୍ ଚେୟାର ଯୋଗାଇ ଦିଆଯାଇଛି। ଭିନ୍ନକ୍ଷମ ଭୋଟରମାନଙ୍କୁ ସହଯୋଗ କରିବା ପାଇଁ ସ୍ୱେଚ୍ଛାସେବୀ ମୁତୟନ କରାଯାଇଛି। ୮୨-ବାଲିଗୁଡ଼ା(ସଂ)ନିର୍ବାଚନ ମଣ୍ଡଳୀର୧୫ ଗୋଟି ମତଦାନ କେନ୍ଦ୍ର ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ୩୦ ରୁ ୪୪ ରେ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ କରାଯିବ ଓ ଅବଶିଷ୍ଟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ।
ସେହିପରି, ୮୩-ଘୁ.ଉଦୟଗିରି(ସଂ)ନିର୍ବାଚନ ମଣ୍ଡଳୀର ୦୮ଗୋଟି ମତଦାନ କେନ୍ଦ୍ର ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ୬୫ ରୁ ୭୧ ଓ ୭୧(ଏ) ରେ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ କରାଯିବା ଓ ଅବଶିଷ୍ଟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ ଏବଂ ୮୪-ଫୁଲବାଣୀ(ସଂ)ନିର୍ବାଚନ ମଣ୍ଡଳୀର ୨୩ଗୋଟି ମତଦାନ କେନ୍ଦ୍ର ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ୯୮ ରୁ ୧୨୦ରେ ସକାଳ ୭ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ କରାଯିବ ଓ ଅବଶିଷ୍ଟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି ଜଣାପଡ଼ିଛି।
ସୁରକ୍ଷା ଦୃଷ୍ଟିରୁ କନ୍ଧମାଳ ଜିଲାରେ ସ୍ଥାନୀୟ ପୁଲିସ୍ ସହିତ ୨୨ କମ୍ପାନି କେନ୍ଦ୍ରିୟ ଫୋର୍ସ ମୃତୟନ କରାଯାଇଥିବାର ସୂଚନା ଦିଆଯାଇଛି। ସେହିଭଳି ସମଗ୍ର ଜିଲାରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଆଜି ଠାରୁ କଡ଼ାକଡ଼ି କରାଯାଇଥିବା ବେଳେ କନ୍ଧମାଳ ଜିଲାର ସମସ୍ତ ପ୍ରବେଶ ପଥରେ ମଧ୍ୟ ଯାଞ୍ଚ ପ୍ରକିୟାକୁ କଡ଼ାକଡ଼ି ଆରମ୍ଭ ହୋଇଛି।
ରିପୋର୍ଟ ଲେଖାହେବା ସୁଦ୍ଧା ବହୁ ପୁଲିଂ ପାର୍ଟି ନିଜ ନିଜ ବୁଥ୍ ମାନଙ୍କରେ ପହଞ୍ଚିଥିବା ବେଳେ ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ଥିବା ବୁଥ୍ ମାନଙ୍କର ପୁଲିଂ ପାର୍ଟି ମାନଙ୍କ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। କନ୍ଧମାଳ ଜିଲାପାଳ ଆଶିଷ୍ ଇଶ୍ୱର ପାଟିଲ୍ , ଏସ୍.ପି ସୁଭେନ୍ଦ୍ର ପାତ୍ର ଏବଂ ଏଡ଼ିଏମ୍ଓ(ନିର୍ବାଚନ) ରମେଶ ଚନ୍ଦ୍ର ଜେନା ଓ ଅଶୋକ କୁମା ଭୋଇ(ରାଜସ୍ୱ) , ଜିଲା ପରିଷଦ ମୁଖ୍ୟ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରତ୍ନାକର ସାହୁ ଏବଂ ଫୁଲବାଣୀ ଓ ବାଲିଗୁଡ଼ା ଅତିରିକ୍ତ ଜିଲାପାଳଙ୍କ ସମେତ ସମସ୍ତ ବ୍ଳକର ତହସିଲଦାର , ବିଡ଼ିଓ ଏବଂ ଥାନା ଅଧିକାରୀ ମାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମଗ୍ର ଜିଲାରେ ନିର୍ବାଚନ କାର୍ଯ୍ୟ ପରିଚାଳିତ ହେଉଥିବାସୂଚନା ମିଳିଛି।
Comments are closed.