ବଳଭଦ୍ରପୁର ପାଟଣାରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

କାମାକ୍ଷାନଗର: କାମାକ୍ଷାନଗର ସହର ସନ୍ନିକଟ ଜିରିଡାମାଳି ଗାଁର ବଳଭଦ୍ରପୁର ପାଟଣାଠାରେ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏହାକୁ ନେଇ ଗାଁର ମହିଳାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବଳଭଦ୍ରପୁର ପାଟଣାରେ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲାଯିବା ନେଇ ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଏହି ମଦ ଦୋକାନଟି ସ୍ଥାନୀୟ ଅଞ୍ଚଳରେ ରହିଥିବା ଜଣେ ରେଷ୍ଟୁରାଣ୍ଟ୍ ମାଲିକର ବୋଲି ଜଣାପଡିଛି । ରେଷ୍ଟୁରାଣ୍ଟ ଚାରିପାଖରେ ଘରଦ୍ୱାର କରି ଶତାଧିକ ଲୋକେ ରହିଛନ୍ତି । ସେଠାରେ ଏକ ତାରିଣୀ ମନ୍ଦିର ଥିବାବେଳେ ପଛପାର୍ଶ୍ୱରେ ବିଦ୍ୟାଳୟ ରହିଛି l  ଏଥିସହ ୧୫୦ ମିଟର ଦୂରରେ ବଳଭଦ୍ରପୁର ପାଟଣା ଗାଁ ଅବସ୍ଥିତ । ଗତ କିଛି ବର୍ଷ ହେଲା ଜିରିଡାମାଳି ଏବଂ ବଳଭଦ୍ରପୁର ପାଟଣା ଅଞ୍ଚଳରେ ଧଳାଜହର, ଅଫିମ, ଚରସ ଆଦି ନିଶା ଅବାଧରେ ବିକ୍ରି ହେଉଛି ।

prayash

ଏହାକୁ ସେବନ କରି ଶିକ୍ଷିତ ଯୁବକଙ୍କ ଠାରୁ ଆରମ୍ଭ କରି ଦିନମଜୁରିଆ ପର୍ଯ୍ୟନ୍ତ ସର୍ବସ୍ୱାନ୍ତ ହେଉଛନ୍ତି । ପୁଣି ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିଲେ ପରିସ୍ଥିତି ଅଣାୟତ୍ତ ହେବାର ସମ୍ଭାବନା ରହିଥିବାର ଜଣାଯାଇଛି l କାମାକ୍ଷାନଗରର ୩ କିମି ପରିଧି ମଧ୍ୟରେ ଜିରିଡାମାଳି ଭାଲୁମୁଣ୍ଡାଠାରେ ଗୋଟିଏ ଦେଶୀ ମହୁଲି ମଦଭାଟି ଏବଂ ଖୋଲା ମଦବିକ୍ରି ଦୋକାନ ରହିଛି ।

ବଳଭଦ୍ରପୁର ପାଟଣାଠାରୁ ଭାଲୁମୁଣ୍ଡା ମାତ୍ର ୨ କିମି । ଅଳ୍ପ କେଇମାତ୍ର ପରିଧି ମଧ୍ୟରେ ଏକାଧିକ ମଦ ଦୋକାନ ଖୋଲାଯିବାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରସ୍ତାବିତ ଠିପିଖୋଲା ବିଦେଶୀ ମଦ ଦୋକାନକୁ ବନ୍ଦ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଏକ ମହିଳା ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ରକୁ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ନିଷ୍ପତ୍ତି ବିରୋଧରେ ଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି l

kalyan agarbati

Comments are closed.