ତାଲିକାରେ ନାଁ ନ ଥିବାରୁ ବୁଥରେ ଭଙ୍ଗାରୁଜା ସହ ଭୋଟ ବାକ୍ସ ନେଇଗଲେ ଡଙ୍ଗରିଆ
କଲ୍ୟାଣସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଡଙ୍ଗରିଆ କନ୍ଧ ଭୋଟ ବାକ୍ସ ନେଇଯିବା ଓ ପ୍ରତିଶ୍ରୁତି ପରେ ଫେରାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ରାଇଲିମାରେ ୧୪ ନମ୍ବର ବୁଥ ବା ୱାର୍ଡରେ ରାଇଲିମା, ତଳମୁସୁଡି, ଉପର ମୁସୁଡି ଗାଁର ଡଙ୍ଗରିଆ କନ୍ଧ ଭୋଟ ଦେବାକୁ ଆସିଥିଲେ। ସେଠାରେ ରାଇଲିମା ଗାଁର ପ୍ରାୟ ୭୯ଜଣ ଡଙ୍ଗରିଆ ମହିଳା,ପୁରୁଷ ମତଦାନ ଦେଇଥିବା ବେଳେ ଦୁଇଗାଁ ର ବହୁ ଲୋକଙ୍କ ଭୋଟର ତାଲିକାରେ ନାମ ନ ଥିବା ଯୋଗୁଁ ଡଙ୍ଗରିଆମାନେ ରାଗିଯାଇ ବୁଥରେ ଭଙ୍ଗାରୁଜା କରି ଭୋଟ ବାକ୍ସ , ପ୍ରିଜାଇଡିଂ ଅଧିକାରୀଙ୍କ କାଗଜପତ୍ର ସହ ଭୋଟ ବାକ୍ସ ନେଇ ଯାଉଥିଲେ। ଏହି ଖବର ପୁଲିସ ଜାଣିପାରି ଭୋଟ ବାକ୍ସ ନେଇ ଯାଉଥିବା ଡଙ୍ଗରିଆଙ୍କୁ ଗୋଡ଼ାଇଥିଲେ। ‘ଆମେ ଭୋଟ ଦେବାର ହକ ନାହିଁ ତ ଆମେ ଭୋଟ ବାକ୍ସ ଫେରାଇବାର ନାହିଁ’।
ଏହିପରି କହି ପ୍ରାୟ ୧ କିମି ବାକ୍ସ ନେଇ ଯାଇଥିଲେ। ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଜ୍ୟୋତି ଦାସ, ତହସିଲଦାର ଦେବାଶିଷ କର, ଥାନା ଅଧିକାରୀ ସୁକୁମା ହଂସଦା ପ୍ରମୁଖ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ପ୍ରଶାସନର ଭୁଲ ଯୋଗୁଁ ଡଙ୍ଗରିଆ ମାନେ ଭୋଟ ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ। ଭୋଟ ଦେବା ବ୍ୟବସ୍ଥା କଲେ ହିଁ ଭୋଟ ବାକ୍ସ ଫେରାଇବୁ ବୋଲି ସେମାନେ ଜିଦ ଧରିିଥିଲେ। ଭୋଟର ତାଲିକାରେ କ’ଣ ତ୍ରୁଟି ରହିଛି ତାହା ତଦନ୍ତ କଲେ ଜଣାପଡିବ ବୋଲି ତହସିଲଦାର ଦେବାଶିଷ କର କହିଥିଲେ। ପୁଣି ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଭୋଟ ଗଣତି ପୂର୍ବରୁ ପୁଣିଥରେ ବୁଥରେ ମତଦାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଭୋଟ ବାକ୍ସ ଓ ପ୍ରିଜାଇଡିଂ ଅଧିକାରୀଙ୍କ ସରଞ୍ଜାମ ବାକ୍ସ ଫେରାଇଥିବା ଜଣାଯାଇଛି ା ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
Comments are closed.