ପୁଲିସକୁ ନିଶାଣ କରି ମାଓବାଦୀ ଖଞ୍ଜିଥିବା ଟିଫିନ ବୋମା ଉଦ୍ଧାର
କଲ୍ୟାଣସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅବସରରେ ରାୟଗଡ଼ା ପୁଲିସକୁ ମିଳିଛି ସଫଳତା। କଲ୍ୟାଣସିଂହପୁରରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ(କଲର୍ଭଟ) ନିକଟ ପଥରଗଦାରୁ ଜୀବନ୍ତ ଟିଫିନ୍ ବୋମା ଜବତ। ମାଓବାଦୀ ପୋଲିସକୁ କରିଥିବା ଟାର୍ଗେଟ ଭଣ୍ଡୁର ହୋଇଛି। ଡିଭିଏଫଯବାନ ମାନେ ତଲାସି କରୁଥିବା ବେଳେ ପାର୍ସାଲି ଯିବା ରାସ୍ତାର କାଳିଆଗୁଡା ଓ କେଶବନାଇଗୁଡା ନିକଟସ୍ଥ ଏକ ପୋଲ ନିକଟରେ ଥିବା ପଥର ଗଦାକୁ ସନ୍ଦେହ କରି ଯାଞ୍ଚ କରିଥିଲେ। ସେଠାରୁ ଏକ ଟିଫିନ୍ ବାକ୍ସରେ ଟିଫିନ୍ ବୋମାକୁ ଯବାନ ଠାବ କରିଥିଲେ। ଜିଲା ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଇ ଟିଫିନ ବୋମାକୁ ନିଷ୍କ୍ରିୟ କରାଯାଇଥିଲା।
ଜିଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଜ୍ୟୋତି ଦାସ ଉପସ୍ଥିତ ଥିଲେ। ବୋମା ସମ୍ପର୍କରେ ଜଣାପଡ଼ିବା ପରେ ଏହି ରାସ୍ତାରେ ପ୍ରାୟ ତିନିଘଣ୍ଟା କାଳ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ା ଏ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ କହିଛନ୍ତି ଯେ ନିୟମଗିରିରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଛି। ଡଙ୍ଗରିଆଙ୍କୁ ଭୟଭୀତ କରାଇ ଭୋଟଦାନରୁ ଦୂରେଇ ରଖିବା ଓ ସାଧାରଣ ଜନତାଙ୍କୁ ଭୟଭୀତ କରାଇବା ପାଇଁ ଏହା ମାଓବାଦୀଙ୍କ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି ା ତେବେ ମାଓବାଦୀଙ୍କ ଯୋଜନା ସଫଳ କରାଇବାକୁ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
Comments are closed.