କଲ୍ୟାଣସିଂହପୁରରେ  ଶ୍ରୀଜୀଉଙ୍କ ଦେବସ୍ନାନ ଉତ୍ସବ ପାଳିତ 

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀ ଜୀଉଙ୍କ ସ୍ନାନ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଛି । ସକାଳୁ ସେବାୟତ ଓ ଦଇତାପତିମାନେ ଶ୍ରୀ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା ଓ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ  ଖେଚୁଡିଅନ୍ନ ଭୋଗ ଲାଗି କରିବା ପରେ ରତ୍ନ ସିଂହାସନରୁ ଅବତରଣ କରିଥିଲେ । ଅପରାହ୍ନରେ ଶ୍ରୀ ଜୀଉଙ୍କୁ ପହଣ୍ଡି କରି  ସ୍ନାନ ମଣ୍ଡପକୁ ନେଇଥିଲେ । ସେବାୟତମାନେ ନାଗାବଳୀ ନଦୀରୁ ଶୁଦ୍ଧ ଜଳ ସଂଗହ କରି ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ସେବାୟତମାନେ  ସୁବାସିତ ଜଳରେ  ଶ୍ରୀଜୀଉଙ୍କୁ ସ୍ନାନ କରାଇଥିଲେ।
ସନ୍ଧ୍ୟା ସମୟରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ହାତୀ ବେଶରେ ସୁସଜିତ କରାଯିବା ପରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ। ପୁଣି ପୂଜା ପାଠ କରିବା ପରେ ରାତି ୮ଟା ସମୟରେ ଜୀଉଙ୍କୁ ଅଣସର ଘରେ ପ୍ରବେଶ କରାଯାଇଥିଲା ।ସେଠାରେ ଶ୍ରୀଜୀଉ ଉପଚାର କରାଯିବା ପରେ ନେତ୍ର ଉତ୍ସବ ନବଯୌବନ ବେଶ ଦିନ ଦର୍ଶନ  ଦେବେ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ କହିଛନ୍ତି । ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ  ବ୍ୟବସ୍ଥା କରାଯାଇଛି । ଏହି ଦେବସ୍ନାନ ଉତ୍ସବ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା ।

Comments are closed.