ପେସାରେ ଡାକ୍ତର କିନ୍ତୁ ନିଶା ସାପ ଉଦ୍ଧାର
କଲମପୁର: ବୃତି ରୋଗୀ ସେବା କିନ୍ତୁ ନିଶା ସାପ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ଜଙ୍ଗଲରେ ଛାଡିବା। ଏଭଳି ଏକ ଘଟଣା କଳାହାଣ୍ଡି ଜିଲାର ଥୁଆମୁଳ ରାମପୁର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୁଚନା ଅନୁସାରେ ଥୁଆମୁଳ ରାମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ କାର୍ୟ୍ୟାଳୟରେ ଏକ ମହାମଣ୍ଡଳ ସାପ ପସିଯାଇଥିଲା। ଯାହାକୁ ଦେଖି ସମସ୍ତେ ଭୟଭିତ ହେଇଯାଇଥିଲେ। ଏନେଇ ନିକଟରେ ଥିବା ଅନେକ ସାପ ଧରାଳୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସଠିକ ଲୋକର ସନ୍ଧାନ ପାଇନଥିଲେ। ଏନେଇ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅବିନାଶ ରଥ କୌଣସି ସୂତ୍ରରୁ ସୂଚନା ପାଇବା ପରେ ନିଜର ଅନ୍ୟତମ ସହଯୋଗୀ ଉମାଶଙ୍କର ନାଏକଙ୍କ ସହ ଘଟଣାସ୍ଥଳରେ ପହଂଚି ଥିଲେ। ସାପର ଅବସ୍ଥିତି ଜାଣିବା ପରେ ନିଜର କେ ବାଡି ସହାୟତାରେ ପ୍ରାୟ ୪ ଫୁଟ ଲମ୍ବ ସାପକୁ ଉଦ୍ଧାର କରିଥିଲେ। ପୂର୍ବରୁ ବିଭିନ୍ନ ପ୍ରଜାତିର ବିଷାକ୍ତ ସାପ ଧରି ସାରିଛନ୍ତି। ଏହାସହ ଡାକ୍ତର ରଥ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସାପ ସମ୍ବନ୍ଧରେ ଅନେକ ବିଷୟ ଜଣାଇଥିଲେ। କୌଣସି ସାପ ପ୍ରଥମେ କାହାକୁ ଦଂଶନ କରିବା ପାଇଁ ଚାହିଁନଥାଏ। ସେ ନିଜର ସୁରକ୍ଷା ପାଇଁ ପ୍ରୟାସ କରିଥାଏ ବୋଲି କହିବା ସହ ବିଷାକ୍ତ ସାପ କାମୁଡିବା ପରେ କିଭଳି ପଦକ୍ଷେପ ନିଆଯିବ ସେ ସମ୍ବନ୍ଧରେ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ। ସାପକୁ କେବେ ମଧ୍ୟ ନ ମାରିବା ପାଇଁ ବୁଝାଇଥିଲେ। ସାପ ପ୍ରକୃତିର ଏକ ଅବଦାନ। ଏହାଦ୍ୱାରା ପରିବେଶର ଅନେକ କିଛି ମଙ୍ଗଳ ସାଧିତ ହେଉଛି ବୋଲି କହିଥିଲେ। ଏହାପରେ ଏକ ସୁରକ୍ଷିତ ସ୍ଥାନରେ ସାପଟିକୁ ଛାଡି ଦେଇଥିଲେ। ଡାକ୍ତର ରଥଙ୍କ ଏଭଳି ସାହସିକ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି।