www.samajalive.in
Saturday, December 13, 2025
18.1 C
Bhubaneswar

‘କାଳିଆ’ ହେଲା ମହଙ୍ଗା

ଭୁବନେଶ୍ବର: ବହୁ ଚର୍ଚ୍ଚତ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଯାଞ୍ଚ ନେଇ ସରକାରଙ୍କ ପକ୍ଷରୁ କରାଯାଇଥିବା ତଦନ୍ତ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ବହୁସଂଖ୍ୟାରେ ସରକାରୀ ଚାକିରିଆ, ପେନସନଭୋଗୀ, ବଡ଼ଚାଷୀ ଏବଂ ନାବାଳକ-ନାବାଳିକା ‘କାଳିଆ’ ଯୋଜନାର ସହାୟତା ରାଶି ପାଇଛନ୍ତି। ସଂପୃକ୍ତ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ସରକାର କାଳିଆ ସହାୟତା ବାବଦ ଅର୍ଥ ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କୃଷିମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି। ସୂଚନାଯୋଗ୍ୟ ଯେ ସାଧାରଣ ନିର୍ବାଚନର ଦୁଇମାସ ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କ ପାଇଁ ସ୍ବତନ୍ତ୍ର କୃଷିଭିତ୍ତିକ ଯୋଜନା ‘କାଳିଆ’ ଯୋଜନା ପ୍ରଣୟନ କରିଥିଲେ। ଯୋଜନାର ରୂପ ରେଖ ଯାହା ହେଉନା କାହିଁକି ଏହାର ପ୍ରଚାର ପ୍ରସାର ନେଇ ଲୋକେ ଏମିତି ଭଳିଗଲେ ଯେ ସରକାରୀ ଚାକିରିଆ, ପେନସନଭୋଗୀ, ନାବଳକ, ବଡ଼ଚାଷୀମାନେ ମଧ୍ୟ ‘କାଳିଆ’ ମୋହରେ ପଡ଼ିଗଲେ। ଇତିମଧ୍ୟରେ ୫୧ଲକ୍ଷରୁ ଅଧିକ ବିଭିନ୍ନ ବର୍ଗର ଚାଷୀଙ୍କୁ ସରକାର କାଳିଆ ସହାୟତା ପ୍ରଦାନ କରିଛନ୍ତି। ସେଥିମଧ୍ୟରେ ୩.୪୨ଲକ୍ଷ ଚାଷୀ ଅଯୋଗ୍ୟ ରହିଛନ୍ତି। ସରକାର ଦ୍ବିତୀୟ ପର୍ଯ୍ୟାୟ ‘କାଳିଆ’ ସହାୟତା ଦେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ପାଇଁ ଚାଷୀଙ୍କ ତାଲିକା ମଗାଗଲା। ଏହି ସମୟରେ ବାସ୍ତବିକ ଯେଉଁମାନେ ଚାଷୀ ବା ହିତାଧିକାରୀ ‘କାଳିଆ’ ସହାୟତା ପାଇ ନ ଥିବା ନେଇ ଅଭିଯୋଗ ଆସିଲା। ଏହାକୁ ନେଇ ସରକାରଙ୍କ ପକ୍ଷରୁ ଚାଷୀ କିଏ ସେନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାୟ ୨ମାସ ଧରି ଯାଞ୍ଚ ପରେ ଏବେ ଯେଉଁ ତଥ୍ୟ ପଦାକୁ ଆସିଛି ତାହା ସରକାରଙ୍କ ପାଇଁ ଅତ୍ୟନ୍ତ ଚିନ୍ତାଜନକ।
ଏସମ୍ପର୍କରେ କୃଷିମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ବାସ୍ତବ ଚାଷୀ ଯାଞ୍ଚ ପ୍ରକ୍ରିୟା ଶେଷ ପରେ ଜଣାଯାଇଛି ଯେ ୨୦ହଜାର ସରକାରୀ ଚାକିରିଆ ଓ ପେନ୍‍ସନଭୋଗୀ କାଳିଆ ଯୋଜନାରେ ୫୦୦୦ ଟଙ୍କା କରି ସହାୟତା ରାଶି ନେଇଛନ୍ତି। ସେହିପରି ୧୨ହଜାର ବଡ଼ ଚାଷୀ ଓ ୯ହଜାର ନାବାଳକ/ନାବାଳିକାଙ୍କ ଖାତାକୁ ବି କାଳିଆ ଟଙ୍କା ଯାଇଛି। ଏହାବାଦ୍ ୩ଲକ୍ଷ ପରିବାରରୁ ଏକାଧିକଙ୍କ ନାଁରେ କାଳିଆ ସହାୟତା ଦିଆଯାଇଛି। ଏହିସମସ୍ତଙ୍କଠାରୁ କାଳିଆ ଅର୍ଥ ରାଜକୋଷକୁ ଫେରାଇ ଅଣାଯିବ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସରକାରୀ ଚାକିରିଆଙ୍କ ଦରମା ଓ ପେନସନଭୋଗୀଙ୍କ ପେନସନରୁ କାଳିଆ ବାବଦ ଅର୍ଥ କାଟି ଦିଆଯିବ। ୯ହଜାର ନାବାଳକ ଓ ନାବାଳିକାଙ୍କ କ୍ଷେତ୍ରରେ ସରକାର ସାବାଳକ ହେବାପର୍ଯ୍ୟନ୍ତ କାଳିଆ ଯୋଜନା ସହାୟତା ବନ୍ଦ କରିବେ। ବଡ଼ଚାଷୀମାନଙ୍କୁ ଫେରାଇବା ପାଇଁ କୁହାଯିବ। ୩ଲକ୍ଷ ଏକାଧିକ ପରିବାର କ୍ଷେତ୍ରରେ ଜଣଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ସରକାରଙ୍କ ଏହି ହିସାବ ପରେ ଏତିକି ବୁଝାପଡୁଛି ଯେ ପ୍ରାୟ ୨ଲକ୍ଷ ଚାଷୀଙ୍କୁ ଆଉ କାଳିଆ ଯୋଜନାରେ ସହାୟତା ଦେବାକୁ ପଡିବ ନାହିଁ। ଏହାବାଦ୍ ୨୦ହଜାର ଚାକିରିଆଙ୍କଠାରୁ ୧୦କୋଟି ଟଙ୍କା ଆଦାୟ କରାଯିବାକୁ ରହିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ମେ’ ସୁଦ୍ଧା ୩୬ଲକ୍ଷ ୩୪ହଜାର ୭୧୦ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୫୦୦୦ ଟଙ୍କା କରି ଅନ୍‍ଲାଇନ୍‍ ମାଧ୍ୟମରେ କାଳିଆ ଟଙ୍କା ପଠାଯାଇଥିଲା । ପରେ ୧୪,୭୦,୫୮୦ ଭୂମିହୀନ ପରିବାରକୁ ଚିହ୍ନଟ କରଯାଇ କାଳିଆ ଟଙ୍କା ଦିଆଯାଇଥିଲା । ମୋଟ୍‍ ୫୧,୦୫,୨୯୦ ଜଣ ହିତାଧିକାରୀ କାଳିଆ ଟଙ୍କା ପାଇଛନ୍ତି ବୋଲି ଡ. ସାହୁ କହିଛନ୍ତି।
ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଏହାକୁ ତୀବ୍ର ସମାଲୋଚନା କରାଯାଇଛି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ବିଜେଡ଼ି ନିର୍ବାଚନ ଜିତିବାପାଇଁ ରାଜ୍ୟରେ କାଳିଆ ନାଁରେ ଏକ ଭେଳିକି ଲଗାଇଲା। ସାଧାରଣ ଲୋକଙ୍କ ବିପୁଳ ଟଙ୍କା ମନଇଚ୍ଛା ଲୋକଙ୍କୁ ବାଣ୍ଟିଲା। ଏବେ କିସ୍ତି ଦେବା ବେଳକୁ ବାଧୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀ ତାଲିକା ମଗା ବେଳକୁ ସରକାରଙ୍କୁ ଚେତା ଆସିଲା। ସରକାର ଏବେ କାଳିଆ ହିତାଧିକାରୀଙ୍କଠାରୁ ଟଙ୍କା ଆଦାୟ କରିବାକୁ ବାହାରିଛନ୍ତି। ସାଧାରଣ ଲୋକେ ଏବେ ବୁଝିଗଲେଣି। ସରକାର କେତେ ଅର୍ଥ ଆଦାୟ କରୁଛନ୍ତି ତାହା ସମୟ କହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ରାଜ୍ୟ ସରକାର କେବଳ ନିର୍ବାଚନ ବୈତରଣୀ ପାର ହେବାପାଇଁ କାଳିଆ ନାଟ ଲଗାଇଥିଲେ। ନିର୍ବାଚନରେ ସରକାର କ୍ଷମତାକୁ ଆସିଗଲା, ପରେ ଏବେ ଟଙ୍କା ଚିନ୍ତା ଲାଗିଛି। ଯେଉଁମାନଙ୍କୁ କାଳିଆ ଟଙ୍କା ଦେଲ, ସେତେବେଳେ କାହିଁକି ଯାଞ୍ଚ କରି ନଥିଲ ବୋଲି ଶ୍ରୀ ରାଉତରାୟ ପ୍ରଶ୍ନ କରିଛନ୍ତି। ସରକାରଙ୍କ ଷଡ଼ଯନ୍ତ୍ର ଏବେ ଧରାପଡି ଯାଇଛି ବୋଲି ସେ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories