ଅଂଶୁଘାତ ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ

0

କଳାପଥର(ବାଙ୍କୀ) : ବାଙ୍କୀ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଈଁ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ଉପଜିଲ୍ଲାପାଳ ଅରୁଣ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଉପଖଣ୍ଡର ସମସ୍ତ ବିଡିଓ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ଗ୍ରାମାଞ୍ଚଳରେ ଜଳାଭାବର ସମସ୍ୟା ଦୂର ନିମନ୍ତେ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜଳାଭାବ ଅଞ୍ଚଳ ଗୁଡିକରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବା ସହ ଏନ ଏସି ମଧ୍ୟରେ ପାନୀୟ ଜଳ ପାଇପ ଦ୍ୱାରା ଓ ଅଚଳ ନଳକୂପ ଗୁଡିକର ଯୁଦ୍ଧ କାଳିନ ଭିତ୍ତିରେ ମରାମତି ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦିଆଯାଇଛି। ଉପଖଣ୍ଡ ଚିକିତ୍ସାଳୟରେ ନୂତନ ଶୀତତାପ ନିୟନ୍ତ୍ରୀଣ କକ୍ଷ ପ୍ରସ୍ତୁତ କରିବା ଓ ଅଂଶୁଘାତ ନିମନ୍ତେ କଣ୍ଟ୍ରୋଲ ରୁମ ଖୋଲିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଦିନ ୧୧ ଟାରୁ ୩ ଟା ପର୍ଯ୍ୟନ୍ତ ମଜୁରି କାମ ବନ୍ଦ ରଖିବା, ଯାତ୍ରୀବାହୀ ବସ୍‍ ଗୁଡିକରେ ପାନୀୟ ଜଳ, ଓ ଆର ଏସ ଓ ପ୍ରାଥମିକ ଚିକିତ୍ସା ସହାୟତା ବକ୍ସ ସୁବିଧା ରଖିବ, ପଶୁପକ୍ଷୀ ମାନଙ୍କୁ ଅଂଶୁଘାତରୁ ରକ୍ଷା ନିମନ୍ତେ ନଳକୂପ ନିକଟରେ ଚୁହା ଖୋଲି ଜଳ ରଖିବା, ଗ୍ରାମାଞ୍ଚଳ ଓ ଏନ ଏସ ସି ଅଞ୍ଚଳରେ ଜଳଛତ୍ର ଖୋଲିବା, ସମସ୍ତ ବିଭାଗରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ଆଲୋଚନା କରାଯାଇଥିଲା। ଅଂଶୁଘାତରେ ମୃତ୍ୟୁ ବରଣ କଲେ ତୁରନ୍ତ ତହସିଲଦାରଙ୍କ ନିକଟରେ ଜଣାଇବା ପାଇଁ ଉପଜିଲ୍ଲାପାଳ ବ୍ୟକ୍ତବ୍ୟ ଦେଇଥିଲେ। ଉକ୍ତ ବୈଠକରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଧୁଳେଶ୍ୱର ପ୍ରଧାନ, ବାଙ୍କୀ ଏନ ଏସ ସି ଅଧିକାରୀ ବିନୟ ରଞ୍ଜନ ମହାପାତ୍ର, ଉପଖଣ୍ଡ ସୂଚନା ଲୋକସଂମ୍ପର୍କ ଅଧିକାରୀ ଶାରଦା ପ୍ରଶନ୍ନ ମହାନ୍ତି, ଅତିରିକ୍ତ ତହସିଲଦାର କିଶୋର ଚନ୍ଦ୍ର ଦାଶ, ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁ ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply