ଅଗ୍ନିକାଣ୍ଡରେ ଘର ସହ ଗାଡ଼ି ଭସ୍ମୀଭୂତ

କଲମପୁର: ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ ପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ଥିବା ବେଳେ ରବିବାର ସକାଳେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ ବାଗଡ଼ିଆଣି ଗ୍ରାମଠାରେ ଘଟିଛି ଅଘଟଣ। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲାଗିଥିବା ଉହ୍ମେଇରୁ ନିଆଁ ଲାଗି ଜଣଙ୍କର ଘର ସହ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ପଡ଼ୋଶୀ ଘର ମଧ୍ୟ ଆଂଶିକ ଭାବେ ପ୍ରଭାବିତ ହୋଇଛି। ଏନେଇ ସୂଚନା ପାଇବା ପରେ ଥୁଆମୁଳ ରାମପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଯୋଗୁଁ ପଡ଼ୋଶୀ ଘର ବ୍ୟାପକ କ୍ଷତି ହେବାରୁ ବର୍ତ୍ତି ଯାଇଛି।

prayash

ସୂଚନା ଅନୁସାରେ, ଥୁଆମୁଳ ରାମପୁର ଥାନା ଅଧିନସ୍ଥ ବାଗଡ଼ିଆଣ ଗ୍ରାମର ବିଦ୍ୟାଧର ନାଏକ ନାମକ ବ୍ୟକ୍ତିଙ୍କ ଘର ନିକଟରେ କିଛି ଲୋକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଉହ୍ମେଇରେ ନିଆଁ ଲଗାଇ ବସି ରହିଥିଲେ। ଅଚାନକ ଏହି ନିଆଁ ବିଦ୍ୟାଧରଙ୍କ ଘରେ ଲାଗିଯାଇଥିଲା। ମାଟି କାନ୍ଥ ଘର ହୋଇଥିବାରୁ ତୁରନ୍ତ ଘର ଜଳିଯାଇ ଘରଭିତରେ ଥିବା ସାଇକେଲ ସମେତ ବାଇକରେ ନିଆଁ ଲାଗିଯାଇଥିଲା। ବାଇକର ପେଟ୍ରୋଲରେ ସମ୍ପୂର୍ଣ୍ଣ ଘର ପୋଡ଼ି ପାଉଁଶ ହେଇଯାଇଥିବା ବେଳେ ପଡୋଶୀ ଯୁଗେଶ୍ୱର ନାଏକଙ୍କ ଘର ଆଂଶିକ ଭାବେ ପ୍ରଭାବିତ ହୋଇଛି। ଘଟଣା ସମ୍ବନ୍ଧରେ ଖବର ପାଇ ଥୁଆମୁଳ ରାମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ବିଦ୍ୟାଧରଙ୍କ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଥିଲା। ସବୁ ପୋଡ଼ି ପାଉଁଶ ହେଇଯାଇଥିବା ବେଳେ ଏବେ ଭରସା କେବଳ ପିନ୍ଧା ଲୁଗା। ଅନ୍ୟପଟେ ସମସ୍ତ ଧାନ ଚାଉଳ ସମେତ ଖାଦ୍ୟ ସାମଗ୍ରୀ ଅନ୍ୟ କାଗଜାତ ସବୁ ପୋଡ଼ି ପାଉଁଶ ହୋଇଯାଇଛି। ଯେଉଁଥିପାଇଁ ଅସହାୟ ହେଇପଡ଼ିଛନ୍ତି ପରିବାର ଲୋକ। ତେଣୁ ତୁରନ୍ତ ସରକାର ଏଥିପ୍ରତି ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି।

Comments are closed.