ଡକାୟତି ଉଦ୍ୟମ ପଣ୍ଡ; ଦୁଇ ଶ୍ରମିକଙ୍କୁ ଆକ୍ରମଣ କରି ଫେରାର ମାରିଲେ ଦୁର୍ବୃତ୍ତ
ତଦନ୍ତ କରୁଛି ସନ୍ଧାନୀ କୁକୁର ଏବଂ ସାଇନଟିଫିକ୍ ଟିମ୍
କଲମପୁର: ଜୟପାଟଣା ଥାନା ଅଧିନସ୍ଥ ଖଣ୍ଡିଡଙ୍ଗରୀଗୁଡା ଠାରେ ଗତ ବିଳମ୍ବିତ ରାତିରେ ଜନୈକ ବ୍ୟକ୍ତିଙ୍କ ଘରେ ଡକାୟତି ଉଦ୍ୟମ ହେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହେଇଛି । ସୂଚନା ଅନୁସାରେ ଖଣ୍ଡିଡଙ୍ଗରୀଗୁଡା ଗ୍ରାମର ଗୌତମ ବିହାରୀଙ୍କ ଘର ବାହାରେ ମାର୍ବଲ କାମ କରୁଥିବା ଶ୍ରମିକ ଶୋଇଥିଲେ । ବିଳମ୍ବିତ ରାତିରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଘର ନିକଟରେ ପହଂଚି କବାଟ ଭାଙ୍ଗି ଘର ଭିତରକୁ ପଶି ଘର ମାଲିକ ଶ୍ରୀ ବିହାରୀଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କଲାବେଳେ ଶ୍ରୀ ବିହାରୀ ପାଟି କରିବାରୁ ବାହାରେ ଶୋଇଥିବା ଶ୍ରମିକ ମାନଙ୍କ ନିଦ ଭାଙ୍ଗି ଯାଇଥିଲା । ସେମାନେ ପାଟି କରିବା ପରେ ଘର ଅନ୍ୟ ଲୋକ ଉଠିଯାଇଥିଲେ ।
ଦୁର୍ବୃତ୍ତ ମାନେ କୌଣସି ଉପାୟ ନପାଇ ଔରଙ୍ଗଜେବ ସା ନାମକ ଶ୍ରମିକଙ୍କୁ ଗୁରୁତର ଭାବେ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିବା ବେଳେ ଅଭିମନ୍ୟୁ କୁମାର ଓ ଜଳନ୍ଧର ଘି ପ୍ରମୁଖ ଶ୍ରମିକଙ୍କୁ ଠେଙ୍ଗାରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ମାରିଛନ୍ତି । ଏନେଇ ଘର ମାଲିକ ଗୌତମ ବିହାରୀ ଜୟପାଟଣା ଥାନା ଅଧିକାରୀଙ୍କ ନିକଟରେ ଶ୍ରମିକଙ୍କୁ ଆକ୍ରମଣ କରି ଘର ଡକାୟତି ଉଦ୍ୟମ ହେଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆହତ ହେଇଥିବା ଶ୍ରମିକଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସାପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ଜୟପାଟଣା ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆ, ଏସ.ଆଇ ବିନୟ ବାରା, ବଡକୁଟୃ ଫାଣ୍ଡି ଅଧିକାରୀ ବିପିନ କୁଲଦୀପ ସାୱନ୍ତ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରିବା ପରେ ଅନୁସନ୍ଧାନକାରୀ କୁକୁର, ଓ ସାଇନଟିଫିକ୍ ଟିମ ସମେତ ଧର୍ମଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଧିରଜ କୁମାର ଚୋପଦାର ପହଂଚି ଘଟଣାର ଅନୁସନ୍ଧାନ କରିବା ସହ ଘଟଣାର ବିଭିନ୍ନ ଦିଗ ନେଇ ଆଲୋଚନା କରିବା ସହ ଘର ମାଲିକଙ୍କ ଘରେ ଲାଗିଥିବା ସି.ସି.ଟିଭି ଫୁଟେଜ ଯାଂଚ କରିଥିଲେ । ଯେଉଁଥିରେ ଟାଙ୍ଗିଆ, ଲୁହା ରଡ, ଭୁଜାଲି ଆଦି ଧରି ମୁଖା ପିନ୍ଧି ୮ ଜଣ ଦୁର୍ବୁତ ଥିବା ଜଣା ପଡୁଛି । ଦିନକୁ ଦିନ ଜୟପାଟଣା ଥାନା ଅଂଚଳରେ ଅସାମାଜିକ ତତ୍ୱଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି । ଯାହା ପୁଲିସ ପ୍ରଶାସନ ପାଇଁ ଚେଲେଞ୍ଜ ସୃଷ୍ଟି କରିଛି ।
Comments are closed.