କଲମପୁର: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟର ଆଇ.ବି ଛକ ଏବଂ ତହସିଲ କାର୍ଯ୍ୟାଳୟ ନିକଟରେ ଜଳଛତ୍ର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜଳଛତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରି ଶୁଭାରମ୍ଭ କରିଛନ୍ତି। ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟ ହୋଇଥିବାରୁ ଏଠାରେ ଥିବା ପଞ୍ଚାୟତ ସମିତି କାର୍ଯ୍ୟାଳୟ, ତହସିଲ, ଥାନା, ଡାକ୍ତରଖାନା, ମହିଳା ଶିଶୁ ବିକାଶ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ ଭଳି ବିଭିନ୍ନ କାର୍ଯ୍ୟାଳୟ ରହିଥିବା ଯୋଗୁଁ ଏଠାକୁ ପ୍ରତିଦିନ ଶହଶହ ଲୋକଙ୍କ ଆଗମନ ହୋଇଥାଏ।
ବର୍ତ୍ତମାନ ଗ୍ରୀଷ୍ମ ଋତୁ ତାର ପ୍ରକୋପ ଦେଖାଉଥିବା ବେଳେ ପାନୀୟ ଜଳ ପାଇଁ ଡହକବିକଳ ସ୍ଥିତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ତଥା ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ବିଭିନ୍ନ ଛକ ଏବଂ ପଥପାର୍ଶ୍ବ ଇଲାକାରେ ତୃଷା ମେଣ୍ଟାଇବା ପାଇଁ ଜଳଛତ୍ର ବ୍ୟବସ୍ଥା କରାଯାଉଛି। ସ୍ଥାନୀୟ ସମାଜସେବୀ ଜଳନ୍ଧର ନାଏକଙ୍କ ସହଯୋଗରେ ଓ ସହାୟତାରେ ସ୍ଥାପିତ ହୋଇଥିବା ଏହି ଜଳଛତ୍ର କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ,ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ସମାଜସେବୀ ଭାରତ ଦଣ୍ଡସେନା, ପୂର୍ବତନ ସମିତି ସଭ୍ୟ ମନୋରଞ୍ଜନ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଏହି ଜଳଛତ୍ର ଉଦଘାଟନର ଶୁଭ ମୁହୂର୍ତ୍ତରେ ଯୋଗ ଦେଇଥିଲେ।



