ଆଜି ଖୋଲିବ ଜଗମୋହନ

0

ପୁରୀ : ଭକ୍ତଙ୍କ ପାଇଁ ସୋମବାର ଖୋଲିବ ଶ୍ରୀମନ୍ଦିର ଜଗମୋହନ। ଭିତରକାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ମନ୍ଦିର ପ୍ରଶାସନ ଜଗମୋହନ ଦର୍ଶନ ବ୍ୟବସ୍ଥା ପୁନଃପ୍ରଚଳନ କରିଛି। ସୋମବାର ଶ୍ରୀଜୀଉଙ୍କ ସକାଳଧୂପ ପରେ ଜଗମୋହନ ଭିତରକୁ ଯିବାପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ। ଅନ୍ୟଦିନ ମଙ୍ଗଳ ଆଳତି ପରେ ଜଗମୋହନକୁ ଭକ୍ତ ଯାଇପାରିବେ। ଭିତରକାଠ ପାଖରୁ ପ୍ରଭୁଙ୍କ ଦର୍ଶନ ମିଳିବ। ଭକ୍ତମାନେ ସାତପାହାଚ, ଗରୁଡସ୍ତମ୍ଭ, ନାଟମଣ୍ଡପ, ଜୟବିଜୟ ଦ୍ୱାର ଦେଇ ଜଗମୋହନ ଭିତରକୁ ଯିବେ। ପ୍ରଭୁଙ୍କ ଦର୍ଶନ ପରେ
ବେହେରଣଦ୍ୱାର ଦେଇ ପ୍ରସ୍ଥାନ କରିବେ। ମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟହ ମଙ୍ଗଳ ଆଳତି ପରଠାରୁ ଅବକାଶ ପରବର୍ତ୍ତୀ ବେଶ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ଚାଲିବ।ବେଶଠାରୁ ସକାଳଧୂପ ପର୍ଯ୍ୟନ୍ତ ଜଗମୋହନ ପ୍ରବେଶ ଉପରେ କଟକଣା ଜାରି କରାଯିବ। ସେହିପରି ପ୍ରଥମ ଭୋଗମଣ୍ଡପ ପୂଜା ବସିବାଠାରୁ ମଧ୍ୟାହ୍ନଧୂପ ଶେଷ ଏବଂ ବିଜେ ପ୍ରତିମାଙ୍କ ବିଜେ ନୀତି ପର୍ଯ୍ୟନ୍ତ ଜଗମୋହନରେ ଦର୍ଶନ ପାଇଁ ଅନୁମତି ମିଳିବ ନାହିଁ। ଏହାଛଡ଼ା ସନ୍ଧ୍ୟା ଆଳତି ପରଠାରୁ ସନ୍ଧ୍ୟାଧୂପ, ଦିବା ଆଲଟଲାଗି, ଦିବା ଚନ୍ଦନଲାଗି ଏବଂ ରାତ୍ର ଚନ୍ଦନଲାଗିଠାରୁ ପହୁଡ଼ ପର୍ଯ୍ୟନ୍ତ ଜଗମୋହନକୁ ଭକ୍ତଙ୍କୁ ଛଡ଼ାଯିବ ନାହିଁ। ଶ୍ରୀଜୀଉଙ୍କ ଅନବସର ସମୟରେ ପ୍ରାୟ ୧୫ଦିନ ଜଗମୋହନରୁ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। ସ୍ନାନପୂର୍ଣ୍ଣିମାଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଣସର ଗୁପ୍ତନୀତି ଅନୁଷ୍ଠିତ ହେବ। ସେତେବେଳେ କୌଣସି ଭକ୍ତ ଜଗମୋହନକୁ ଯାଇପାରିବେ ନାହିଁ। ଭିତରକାଠ ପାଖରେ ୩ଗୋଟି ଗରା ଏବଂ ଭେଟବାକ୍ସ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଜଣେ ଖୁଣ୍ଟିଆ, ମେକାପ, ତଢଉକରଣ ଓ ଦେଉଳକରଣ ପ୍ରତ୍ୟହ ମଙ୍ଗଳ ଆଳତିଠାରୁ ଚନ୍ଦନଲାଗି ପର୍ଯ୍ୟନ୍ତ ଜଗି ରହିବେ। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ସୁଆରବଡୁ ଓ ପତ୍ରିବଡୁଙ୍କୁ ଭିତରକାଠ ପାଖରେ ରହି ସେବା ସମ୍ପାଦନ ପାଇଁ ନିର୍ଦେଶାବାଳୀରେ କୁହାଯାଇଛି। ୩ଜଣ ପିଣ୍ଡିକା ଅଫିସର ଜଗମୋହନରେ ଉପସ୍ଥିତ ରହି ପିଣ୍ଡିକା ଆଦାୟ ତଦାରଖ କରିବେ। ସେଥିରେ ଅନ୍ୟ କୌଣସି ବ୍ୟକ୍ତି ହସ୍ତକ୍ଷେପ କରିପାରିବେ ନାହିଁ।
ଜଗମୋହନ ଭିତରେ ନଡ଼ିଆ ବାଡ଼େଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଜଗମୋହନ ମରାମତି ପାଇଁ ୨୦୧୬ ଜାନୁଆରୀ ୨୭ତାରିଖରୁ ଭକ୍ତଙ୍କୁ ସେଠାକୁ ଛଡାଯାଉ ନଥିଲା। ବାହାରକାଠ ପାଖରେ ଛିଡ଼ା ହୋଇ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତମାନେ ଦୂରରୁ ପ୍ରଭୁଙ୍କୁ ଦର୍ଶନ କରୁଥିଲେ। ଜଗମୋହନ ମରାମତି କାର୍ଯ୍ୟ ଶେଷ ହୋଇଥିବାରୁ ଭକ୍ତଙ୍କୁ ସେଠାକୁ ଯିବାପାଇଁ ଅନୁମତି ଦେବାକୁ ହାଇକୋର୍ଟ ଗତ ୧୦ତାରିଖ ଦିନ ମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ତେବେ ପାଳିଆ ସେବକ ଏବଂ ମନ୍ଦିର କର୍ମଚାରୀଙ୍କ ବ୍ୟତୀତ ଅନ୍ୟକେହି ଗର୍ଭଗୃହ ଭିତରକୁ ପ୍ରବେଶ କରିପାରିବେ ନାହିଁ।

Leave A Reply