ବାପା-ଜେଜେ କରୁଥିଲେ କଂଗ୍ରେସର ସେବା, ଏବେ ସିଜେଆଇ ଦୀପକ ମିଶ୍ରଙ୍କ ବିରୋଧରେ ଦଳ!

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ନୋଟିସ୍‌କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଖାରଜ କରିଦେଇଛନ୍ତି । ନାଇଡୁ ବିରୋଧୀଙ୍କ ଅଭିଯୋଗକୁ ଉପଯୁକ୍ତ ମନେ କରିନାହାନ୍ତି । ଏହାପରେ କଂଗ୍ରେସ ନାଇଡୁଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରୁଛି । ଏବେ ପ୍ରଶ୍ନ ଉଠୁଛି ଯେ ସିଜେଆଇ ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ କାହିଁକି ମହାଭିଯୋଗ ଆଣିବାକୁ ଚାହୁଁଛି । ଦୀପକ ମିଶ୍ରଙ୍କ ବାପା, ଜେଜେ ସବୁ କଂଗ୍ରେସର ସେବା କରିଥିଲା ବେଳେ କଂଗ୍ରେସ ଏବେ ତାଙ୍କ ବିରୋଧରେ କାହିଁକି ବୋଲି ପ୍ରଶ୍ନ ଉଠିବା ସ୍ୱଭାବିକ । କଂଗ୍ରେସ ସହ ଦୀପକ ମିଶ୍ରଙ୍କ ପରିବାର ସର୍ବଦା ଘନିଷ୍ଠ ସମ୍ପର୍କ ରହିଛି। ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନତା ପରେ ଦୀପକ ମିଶ୍ରଙ୍କ ପରିବାର କଂଗ୍ରେସର ସହ ଥିଲେ ।

ଦୀପକ ମିଶ୍ରଙ୍କ ଜେଜେ ଓ କଂଗ୍ରେସ

ଦୀପକ ମିଶ୍ରଙ୍କ ଜେଜେ ଗୋଦାବରୀଶ ମିଶ୍ର ସ୍ୱାଧୀନତା ସଂଗ୍ରାମୀ ଥିଲେ। ୧୮୮୬ରେ ଜନ୍ମ ଗୋଦାବରୀଶ ମିଶ୍ରଙ୍କ ୧୯୬୫ରେ ମୃତ୍ୟୁ ଘଟିଥିଲା । ସେ ନିଜ ୫ ସାଙ୍ଗଙ୍କ ସହ ମିଶି ନୂଆ ଓଡ଼ିଶା ଗଠନ ପାଇଁ ‘ପଞ୍ଚଶଖା’ ନାମର ଏକ ସଂଗଠନ ଆରମ୍ଭ କରିଥିଲେ । ୧୯୨୮ରେ ସେ ପ୍ରଥମ ଥର ଓଡ଼ିଶା କଂଗ୍ରେସର ନିକଟତର ହୋଇଥିଲେ । ଏହାପରେ ୧୯୪୧ରେ (ସ୍ୱାଧୀନତା ପୂର୍ବରୁ) ଗୋଦାବରୀଶ ମିଶ୍ର ଓଡ଼ିଶା ସରକାରରେ ପ୍ରଥମ ଶିକ୍ଷା ମନ୍ତ୍ରୀ ହୋଇଥିଲେ ।

ଦୀପକ ମିଶ୍ରଙ୍କ ପରିବାର ଏବଂ କଂଗ୍ରେସ

ସିଜେଆଇ ଦୀପକ ମିଶ୍ର ଓଡ଼ିଶାର ବାଣପୁରସ୍ଥିତ ଗୋଦାବରୀଶ ବିଦ୍ୟାପୀଠର ନିଜ ପ୍ରାଥମିକ ଶିକ୍ଷା ପୂର୍ଣ୍ଣ କରିଥିଲେ । ଏହି ସ୍କୁଲ ତାଙ୍କ ଜେଜେଙ୍କ ନାମରେ ଗଠନ କରାଯାଇଥିଲା । ଗୋଦାବରୀଶ ମିଶ୍ରଙ୍କ ତିନି ଜଣ ପୁଅ ଥିଲେ । ବଡ ପୁଅ ଲୋକନାଥ ମିଶ୍ର ସି ରାଜଗୋପାଳଚାରୀଙ୍କ ଦ୍ୱାରା ସ୍ଥାପିତ ସ୍ୱତନ୍ତ୍ର ଦଳର ସଦସ୍ୟ ଥିଲେ । ପରେ ଲୋକନାଥ ଜନତା ଦଳରେ ଯୋଗଦେଇଥିଲେ । ୧୯୬୦ରୁ ୧୯୭୮ ପର୍ଯ୍ୟନ୍ତ ଲୋକନାଥ ମିଶ୍ର ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । କେନ୍ଦ୍ରରେ କଂଗ୍ରେସ ଶାସନ ସମୟରେ ସେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ ଆସାମର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇଥିଲେ । ଗୋଦାବରୀଶ ମିଶ୍ରଙ୍କ ଦ୍ୱିତୀୟ ପୁଅ ରଘୁନାଥ ମିଶ୍ର କଂଗ୍ରେସ ସହ ଜଡିତ ଥିଲେ । ସେ ବାଣପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଦୀପକ ମିଶ୍ର ହେଉଛନ୍ତି ରଘୁନାଥ ମିଶ୍ରଙ୍କ ପୁଅ । ବିଜେଡିର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିଲ ପିନାକି ମିଶ୍ର ହେଉଛନ୍ତି ଲୋକନାଥ ମିଶ୍ରଙ୍କ ପୁଅ ।

ଦୀପକ ମିଶ୍ରଙ୍କ କକା ଥିଲେ ସିଜେଆଇ

ଗୋଦାବରୀଶ ମିଶ୍ରଙ୍କ ସର୍ବ କନିଷ୍ଠ ପୁତ୍ର ରଂଗନାଥ ମିଶ୍ର ୧୧୯୦ରେ ୧୪ ମାସ ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିଥିଲେ । ସଂଯୋଗ ବଶତଃ ସିଜେଆଇ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ବି ୧୪ ମାସର । ସିଜେଆଇ ଦୀପକ ମିଶ୍ର ଚଳିତ ବର୍ଷ ଅକ୍ଟୋବର ୨ରେ ଅବସର ଗ୍ରହଣ କରିବେ । ରଂଗନାଥ ମିଶ୍ର ୧୯୬୯ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ୧୯୮୧ରେ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ । ଜଷ୍ଟିସ୍‌ ରଂଗନାଥ ମିଶ୍ର ୧୯୯୩ରେ ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ସେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା ।

ଜମି ଅଧିଗ୍ରହଣ ମାମଲା

ପ୍ରକାଶ ଯେ କଂଗ୍ରେସ ସିଜେଆଇ ଦୀପକ ମିଶ୍ରଙ୍କ ବିରୋଧରେ ବେଆଇନ ଭାବେ ଦୁଇ ଏକର ଜମି ଅଧିଗ୍ରହଣର ଅଭିଯୋଗ ଲଗାଇଛି । କଂଗ୍ରେସ କହିବା ଅନୁସାରେ ଜଷ୍ଟିସ୍‌ ଦୀପକ ମିଶ୍ର ୧୯୭୯ରେ ଆଇନଜୀବୀ ଥିବା ସମୟରେ ମିଥ୍ୟା ସତ୍ୟପାଠ ଦେଖାଇ ଜମି ଅଧିଗ୍ରହଣ କରିଥିଲେ । ଏଡିଏମ୍‌ ଆବଣ୍ଟନ ରଦ୍ଦ କରିବା ପରେ ବି ସେ ଏଭଳି କରିଥିଲେ । ୨୦୧୨ରେ ସେ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ସେ ଜମିକୁ ଫେରାଇ ଦେଇଥିଲେ । ଏହି ମାମଲାର ତଦନ୍ତ କରି ସିବିଆଇ ୨୦୧୩ରେ ନିଜ ରିପୋର୍ଟ ଓଡ଼ିଶା ହାଇକୋର୍ଟରେ ଦାଖଲ କରିଥିଲା ।
ତଦନ୍ତ କରି ସିବିଆଇ ୨୦୧୩ରେ ନିଜ ରିପୋର୍ଟ ଓଡ଼ିଶା ହାଇକୋର୍ଟରେ ଦାଖଲ କରିଥିଲା ।

କଂଗ୍ରେସ ଶାସିତ ରାଜ୍ୟରେ ଦୀପକ ମିଶ୍ରଙ୍କ ନାମ

୧୯୯୬ରେ ପ୍ରଥମ ଥର ଦୀପକ ମିଶ୍ର ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସେହି ସମୟରେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଥିଲା । ସେହି ସମୟରେ ଜେବି ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ଏହାପରେ ୧୯୯୭ରେ ଦୀପକ ମିଶ୍ର ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସେହି ସମୟରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଥିଲା ଓ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଥିଲେ । ୨୦୦୯ରେ ଉପା କେନ୍ଦ୍ରରେ ଶାସନ ଭାର ସମ୍ଭାଳିବା ପରେ ଦୀପ ମିଶ୍ରଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ତେବେ ସେତେବେଳେ ବିହାରରେ ନୀତୀଶ କୁମାରଙ୍କ ସରକାର ଥିଲା । ଏହାର ଗୋଟିଏ ବର୍ଷ ପରେ ୨୦୧୦ରେ ଦୀପକ ମିଶ୍ର ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସେତେବେଳେ କେନ୍ଦ୍ର ଓ ଦିଲ୍ଲୀରେ କଂଗ୍ରେସ ସରକାର ଥିଲା । ପରେ ୨୦୧୧ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସେହି ସମୟରେ କେନ୍ଦ୍ରରେ ମନମୋହନ ସିଂହଙ୍କ ସରକାର ଥିଲା ।

ବଡ଼ ମାମଲା ଗୁରୁତ୍ୱପୂର୍ଣ୍ଣ ରାୟ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହେବା ପୂର୍ବରୁ ଦୀପକ ମିଶ୍ର କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ନିଜ ରାୟ ଦେଇଛନ୍ତି। ୧୯୯୩ ବୋମା ବିସ୍ଫୋରଣ ମାମଲାରେ ୟାକୁବ ମେନନଙ୍କୁ ଫାଶି ଦଣ୍ଡ ଶୁଣାଇଥିଲେ । ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ଏହାସହ ଗତବର୍ଷ ଅପରାଧୀକ ମାନହାନି ମାମଲା କ୍ଷେତ୍ରରେ ସାମ୍ବିଧାନିକ ମର୍ଯ୍ୟାଦା ରଖିବାକୁ ନିର୍ଦେଶ ଦେଇଥିଲେ । ସେହିପରି ଦେଶବ୍ୟାପୀ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଦେଖାଯିବା ପୂର୍ବରୁ ଜାତୀୟ ଗୀତ ବଜାଇବାକୁ ବାଧ୍ୟତାମୂଳକ କରିଥିଲେ । ପ୍ରକାଶ ଯେ ୨୦୧୭ ଅଗଷ୍ଟ ୨୭ରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଜେଏସ୍‌ ଖେହରଙ୍କ ଅବସର ପରେ ଦୀପକ ମିଶ୍ର ସୁପ୍ରିମକୋର୍ଟର ୪୫ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ଖେହରଙ୍କ ଅଧ୍ୟକ୍ଷତାରେ ୨୦୧୭ ଅଗଷ୍ଟ ୨୭ରେ ଦୀପକ ମିଶ୍ର ଅଯୋଧ୍ୟା ରାମଜନ୍ମଭୂମି-ବାବ୍ରି ମସଜିଦ୍‌ ବିବାଦ ଉପରେ ଶୁଣାଣି କରିଥିଲେ । ସେହି ସମୟରେ ମାମଲାର ପରବର୍ତ୍ତୀ ଶୁଣାଣିକୁ ୨୦୧୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଘୁଞ୍ଚାଇଦେବାକୁ କଂଗ୍ରେସର ବରିଷ୍ଠ ନେତା ତଥା ଆଇନଜୀବୀ କପିଲ ସିବଲ ଯୁକ୍ତି ଉପସ୍ଥାପନ କରିଥିଲେ ।

Leave A Reply