ବିଜେପିରେ ଯୋଗଦେଲେ ସଂଖ୍ୟାଧିକ ବିଜେଡ଼ି ଓ ସନା ସେନା କର୍ମୀ

ଯୋଡା : କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ କଣ୍ଡରା ହାଟ ପଡିଆ ଠାରେ ବୁଧବାର ଅପରାହ୍ନରେ ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବ ଉତ୍ସବରେ ସଂଖ୍ୟାଧିକ ବିଜେଡି ଓ ସନା ସେନା କର୍ମୀ ଯୋଗ ଦେଇଛନ୍ତି। ଗୋଠଛଡା ବିଜେଡ଼ି ଦଳୀୟ ପ୍ରାର୍ଥୀ ପ୍ରତି ବୀତସ୍ପୃହ ହୋଇ ସଂଖ୍ୟାଧିକ ବିଜେଡ଼ି ଓ ସନା ସେନା କର୍ମୀ କଣ୍ଡରା ହାଟ ପଡିଆରେ ବିଜେପି ସହ ହାତ ମିଳାଇ ଥିବା ଖବର ମିଳିଛି।
ବିଜେପି ପ୍ରାର୍ଥୀ ମୂରଲୀ ମନୋହର ଶର୍ମାଙ୍କ ନେତୃତ୍ୱରେ ଅନୁସୂଚିତ ଜନଜାତି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୋମବାରୀ ମୁଣ୍ଡା, ଯୋଡା ନଗର ପ୍ରଭାରୀ ଅଗନୁ ଚରଣ ମହାନ୍ତ, ଜିଲା ବିଜେପି କୃଷକ ମୋର୍ଚ୍ଚା ସମ୍ପାଦକ ଅଲେଖ କୁମାର ବାରିକ୍‍, ଚମ୍ପୁଆ ବିଧାନ ସଭା ବିସ୍ତାରକ ଗୋପୀନାଥ ଗଜପତି ଭୂୟାଁ, ୨୮ ନମ୍ବର ଜିଲା ପରିଷଦ ମହିଳା ମଣ୍ଡଳ ସଭାନେତ୍ରୀ, ସଭାପତି, ସାଧାରଣ ସମ୍ପାଦକଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ଉତ୍ସବରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ବିଜେପି ସମର୍ଥକ ଯୋଗ ଦେଇଥିଲେ। ଏହି ଉତ୍ସବରେ ବିଜେଡ଼ି ଓ ସନା ସେନା ଦଳରୁ ଅସହିଷ୍ଣୁ ହୋଇ ସୁରେନ୍ଦ୍ର ବାରିକ୍‍, ସଞ୍ଜୟ ଲୋହାର, ଦିଲ୍ଲୀପ୍‍ ମହାକୁଡ ଓ ରାମଚନ୍ଦ୍ର ମହାକୁଡଙ୍କ ନେତୃତ୍ୱରେ ସେମାନଙ୍କର ସଂଖ୍ୟାଧିକ ସମର୍ଥକ ବିଜେପିରେ ସାମିଲ ହୋଇଥିବାର ଖବର ମିଳିଛି। ଏହି ଅବସରରେ ପାଞ୍ଚଟି ପଞ୍ଚାୟତ ମୁଖ୍ୟତଃ ବିରକଳା, ଅଂଶେଇକଳା, କଣ୍ଡରା, ଚମକପୁର ଓ ଦେଓଝର ପଞ୍ଚାୟତ ନିମନ୍ତେ ୨୫ ଜଣ ବୁଥ୍‍ସ୍ତରୀୟ ପ୍ରତିନିଧିଙ୍କୁ ଚୟନ କରାଯାଇଥିଲା। ବିଶ୍ୱର ସର୍ବଶ୍ରେଷ୍ଠ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦୀଙ୍କ ଡବ୍‍ଲ ଇଞ୍ଜିନ ବିଶିଷ୍ଠ ମଜବୁତ ସରକାର ଗଠନ ଆହ୍ୱାନକୁ ଚରିତାର୍ଥ କରିବା ନିମନ୍ତେ ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଏହି ଉତ୍ସବରେ ଆହ୍ୱାନ ଦିଆଯାଇଥିଲା।

Comments are closed.