ପାଞ୍ଚ ବର୍ଷ ମଧ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ
ଯୋଡା : ଯୋଡା ଖଣି ପ୍ରଭାବିତ ଇଲାକାରେ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ୧୬,୯୨୯ ଜଣ ରୋଗୀଙ୍କର ରକ୍ତ ନମୁନାରେ ମ୍ୟାଲେରିଆରେ ପାରାସାଇଟ୍ ଥିବା ଚିହ୍ନଟ ହୋଇଥିବା ସମୟରେ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣଙ୍କର ଅକାଳ ମୃତ୍ୟୁ ହୋଇଥିବା ସରକାରୀ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ପ୍ରକାଶ। ତେବେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ସମୟ ମଧ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ପରିସଂଖ୍ୟାନକୁ ହିସାବକୁ ନେଲେ ଚଳିତ ବର୍ଷ ଆକ୍ରାନ୍ତ ଓ ତତ୍ଜନିତ ମୃତ୍ୟୁ ସଂଖ୍ୟା ଉଦ୍ବେଗଜନକ ବୋଲି ଖବର ମିଳିଛି।
ସୂଚନା ଯୋଗ୍ୟ, ୨୦୧୪ରେ ୧୯,୫୬୦ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୪୨୬୮ ରୋଗୀଙ୍କ ରକ୍ତରେ ମ୍ୟାଲେରିଆ ପାରାସାଇଟ୍ ଥିବା ଜଣାପଡିଥିଲା ଏବଂ ଏହି କାରଣରୁ ଜଣକର ମୃତ୍ୟୁ ଘଟିଥିଲା। ସେହିପରି୨୦୧୫ରେ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ୧୯,୫୬୫ ରୋଗୀଙ୍କ ମଧ୍ୟରୁ ୩୨୦୭ଜଣ ରୋଗୀଙ୍କ ରକ୍ତରେ ମ୍ୟାଲେରିଆ ପାରାସାଇଟ୍ ଥିବା ସମୟରେ ୨୦୧୬ରେ ୨୬,୯୧୭ଜଣଙ୍କ ମଧ୍ୟରୁ ୫୪୭୯ଙ୍କ ରକ୍ତ ନମୁନାରେ ମ୍ୟାଲେରିଆ ପାରାସାଇଟ୍ ଚିହ୍ନଟ ହୋଇଥିଲା। ଏହି ଦୁଇ ବର୍ଷ ମଧ୍ୟରେ ଏହି ପ୍ରାଣଘାତକ ରୋଗରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାର ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ପ୍ରକାଶ। ଅନ୍ୟପକ୍ଷେ ୨୦୧୭ରେ ୨୨,୨୨୯ଜଙ୍କ ମଧ୍ୟରୁ ୩୬୮୪ ଓ ୨୦୧୮ରେ ୨୩,୨୪୫ଙ୍କ ମଧ୍ୟରୁ ୨୬୧ଙ୍କ ରକ୍ତ ନମୁନାରେ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହୋଇଥିବା ସୂଚନାରୁ ପ୍ରକାଶ। ତେବେ ମ୍ୟାଲେରିଆ ପ୍ରଭାବିତ ଯୋଡା ଗ୍ରାମାଞ୍ଚଳ ସମେତ ଯୋଡା ଓ ବଡବିଲ ସହରାଞ୍ଚଳରେ ମ୍ୟାଲେରିଆ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ମ୍ୟାଲେରିଆ ନିରାକରଣ ଯୋଜନା ମୁଖ୍ୟତଃ ଯୋଡା ଖଣି ପ୍ରଭାବିତ ଇଲାକାରେ ଫେଲ ମାରିଥିବା ଖୋଦ ସ୍ୱାସ୍ଥ୍ୟ ବିଭାଗ ସ୍ୱିକାର କରିଛନ୍ତି। ଖଣି ପ୍ରବଣ ଅଞ୍ଚଳରେ ଚଳିତ ବର୍ଷ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ଓ ମୃତ୍ୟୁ ପରିସଂଖ୍ୟାନ ଆଧାରରେ ଏହି ପ୍ରସଙ୍ଗ ଉଦ୍ବେଗଜନକ ବୋଲି ସ୍ୱାସ୍ଥ୍ୟ ବିଭାଗର ଚିନ୍ତାକୁ ବଢାଇ ଦେଇଥିବା ଖବର ମିଳିଛି। ମ୍ୟାଲେରିଆ ପାରାସାଇଟ୍ ଲାର୍ଭା ପ୍ରଜନନ ସ୍ଥାନ ମୁଖ୍ୟତଃ ବିଭିନ୍ନ ନଦୀ, ନାଳ ତଥା ଜଳଉତ୍ସ ସ୍ଥାନ ମାନଙ୍କରେ ମ୍ୟାଲେରିଆ ବଂଶ ବିସ୍ତାର ପ୍ରକ୍ରିୟାକୁ ଅଟକାଇବା ନିମନ୍ତେ ବିଶେଷ କରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ମ୍ୟାଲେରିଆ ଋତୁ ମୌସୁମୀ ବର୍ଷା ପ୍ରାରମ୍ଭରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଖଣି ପ୍ରଭାବିତ ଇଲାକାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣହୀନ ହେଉଥିବା ମ୍ୟାଲେରିଆ ରୋଗ ବିଶେଷଜ୍ଞ ମହଲରୁ ପ୍ରକାଶ। ଅନ୍ୟପକ୍ଷେ ବର୍ଷା ଆରମ୍ଭରୁ ସହରାଞ୍ଚଳ ଗୁଡିକରେ ରହିଥିବା ଡ୍ରେନ ଗୁଡିକରୁ ଠିକ୍ ଭାବେ ଜଳ ନିଷ୍କାସନ ନହେବା ଫଳରେ ସାମାନ୍ୟ ବର୍ଷାରେ ରାସ୍ତାରେ ଆବର୍ଜନା ଯୁକ୍ତ ପ୍ରଦୂଷିତ ଜଳ ଢେଉ ମାରୁଥିବା କାରଣରୁ ମ୍ୟାଲେରିଆ ବଂଶ ବିସ୍ତାରରେ ସହାୟକ ହେଉଥିବାର ରିପୋର୍ଟରୁ ପ୍ରକାଶ।
Comments are closed.