ବିଜେପିର ପରାଜୟ ପାଇଁ ତୈଳଦର ବୃଦ୍ଧିକୁ ଦାୟୀ କଲା ଜେଡିୟୁ
ପାଟନା : ବିଭିନ୍ନ ରାଜ୍ୟର ଲୋକସଭା ଓ ବିଧାନସଭା ଉପନିର୍ବାଚନରେ ବିଜେପିର ପରାଜୟ ପାଇଁ ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ତୈଳ ଦର ବୃଦ୍ଧିକୁ ଦାୟୀ କରିଛି। ଜେଡିୟୁର ବରିଷ୍ଠ ନେତା କେସି ତ୍ୟାଗୀ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦର ନିୟମିତ ବୃଦ୍ଧି ପାଇବାକୁ ନେଇ ଦେଶବ୍ୟାପୀ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଭୋଟର ସେମାନଙ୍କ କ୍ରୋଧକୁ ବାଲାଟ୍ ପେପରରେ ଜାହିର କରିଛନ୍ତି। ତ୍ୟାଗୀ କହିଛନ୍ତି ଯେ ବିଜେପି ଆଗାମୀ ଦିନରେ ଲୋକଙ୍କ ଉଦ୍ବେଗ ପ୍ରତି ସମ୍ବେଦନଶୀଳ ହେବା ଦରକାର। ବିଶେଷ କରି ଦଳିତ, କୃଷକ ଓ ତୈଳ ଦର ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବା ଦରକାର। ଏହା ସହିତ ବିଜେପି ଅନ୍ୟାନ୍ୟ ଆଞ୍ଚଳିକ ଦଳ ସହିତ ସଂଯୋଜକତା ବୃଦ୍ଧି କରିବା ଉଚିତ। ଉତ୍ତରପ୍ରଦେଶରେ ବିରୋଧୀ ଦଳଗୁଡିକ ଏକଜୁଟ୍ ହୋଇଥିବାରୁ ବିଜେପି ସେମାନଙ୍କୁ ମୁକାବିଲା ପାଇଁ ଅନ୍ୟ ଆଞ୍ଚଳିକ ଦଳ ସହ ମେଣ୍ଟ କରିବା ଦରକାର। ଅନ୍ୟଥା ୨୦୧୯ ନିର୍ବାଚନ ବିଜେପି ପାଇଁ କଷ୍ଟକର ହୋଇପଡିବ। ଏହି ଅବସରରେ ସେ କହିଛନ୍ତି ଯେ ୨୦୧୯ ନିର୍ବାଚନ ପୂର୍ବରୁ ଜେଡିୟୁ ଏନଡିଏ ମେଣ୍ଟ ଛାଡିବାର ନାହିଁ। ୨୦୧୯ରେ ନରେନ୍ଦ୍ର ମୋଦୀ ସରକାର ପୁଣି ଥରେ କ୍ଷମତାକୁ ଆସିବ। ବିହାରର ଜୋକିହାଟ ବିଧାନସଭା ଉପନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ମୁର୍ସିଦ ଆଲମଙ୍କୁ ଆରଜେଡି ପ୍ରାର୍ଥୀ ସର୍ଫରାଜ ଆଲମ୍ ୪୦ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଏହି ଆସନଟି ପୂର୍ବରୁ ଜେଡିୟୁ ପାଖରେ ଥିଲା। ଜେଡିୟୁ-ବିଜେପି ମେଣ୍ଟ ରାଜ୍ୟ କ୍ଷମତାରେ ରହି ମଧ୍ୟ ଉପନିର୍ବାଚନରେ ପରାସ୍ତ ହୋଇଛି।