www.samajalive.in
Monday, December 15, 2025
24.1 C
Bhubaneswar

କୋଟିଆ ପଞ୍ଚାୟତର ସୁରକ୍ଷା ପାଇଁ ନିର୍ବାଚନରେ ସୀମା ସିଲ୍ କରାଯାଉ: ଜୟରାମ ପାଙ୍ଗି

ପଟାଙ୍ଗି: କୋଟିଆ ପଞ୍ଚାୟତର ସୁରକ୍ଷା ପାଇଁ ରାଜ୍ୟ ସରକାର ତଥା ରାଜ୍ୟ ନିର୍ବାଚନ ଅଧିକାରୀ ସୀମା ସିଲ୍ କରନ୍ତୁ ବୋଲି ପୂର୍ବତନ ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ଜୟରାମ ପାଙ୍ଗି କହିଛନ୍ତି। ‘ସମାଜ’କୁ ଏକ ସାକ୍ଷାତକାର ଦେବା ସମୟରେ ସେ ଏହା ପ୍ରକାଶ କରିଛନ୍ତି। କୋରାପୁଟ ଜିଲାର ଆନ୍ଧ୍ର ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୭ ଗ୍ରାମରୁ ୨୧ ଗ୍ରାମ ବିବାଦ ଘେରରେ ରହିଛି। ଏହି ୨୧ ଗ୍ରାମବାସୀ ଉଭୟ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ସୁବିଧାକୁ ହାତେଇ ଉଭୟ ରାଜ୍ୟର ନିର୍ବାଚନରେ ଭୋଟ୍ ପ୍ରଦାନ କରୁଛନ୍ତି। ଭାରତୀୟ ସମ୍ବିଧାନର ଏହା ଖୋଲା ଉଲ୍ଲଂଘନ ହେଉଥିଲେ ମଧ୍ୟ ଉଭୟ ରାଜ୍ୟ ପ୍ରଶାସନ ସବୁ ଜାଣି ନ ଜାଣିବା ନୀତିରେ ରହୁଥିବାରୁ କୋଟିଆ ବିବାଦ ଆଗକୁ ଜଟିଳ ହେବାକୁ ଯାଉଛି। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏହାର ସୁରକ୍ଷା ଦୃଷ୍ଟିରୁ ତତ୍କାଳୀନ ରାଜ୍ୟ ସରକାର ୧୯୬୬ ମସିହାରେ ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ପରବର୍ତ୍ତୀ ସମୟରେ ପାର୍ଲାମେଣ୍ଟରେ ଏହାର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ଦୀର୍ଘ ବର୍ଷ ପରେ ମଧ୍ୟ ସୀମା ବିବାଦ ସମାଧାନ ହୋଇପାରି ନଥିବାବେଳେ ସମସ୍ୟା ଜଟିଳ ହେବାରେ ଲାଗିଛି। ଆନ୍ଧ୍ର ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁପ୍ରବେଶ ଜାରି ରହିଥିବାବେଳେ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଅକ୍ତିଆରକୁ ନେବା ପ୍ରୟାସ ଅନବରତ ଲାଗି ରହିଛି।

ଦୀର୍ଘ ବର୍ଷର ବିବାଦ ଭିତରେ ଗ୍ରାମବାସୀ ଉଭୟ ରାଜ୍ୟର ଭୋଟର କାର୍ଡ, ରାସନ କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ ଭଳି ସମସ୍ତ ଅତ୍ୟାବଶ୍ୟକ ନାଗରିକ ପରିଚୟ ପତ୍ର ହାତେଇବାରେ ସଫଳ ହୋଇଛନ୍ତି। ଯାହାକି ଉଭୟ ରାଜ୍ୟ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଜଣେ ନାଗରିକ ଗୋଟିଏ ଦେଶରେ ରହି କେଉଁ ଆଧାରରେ ଦୁଇଟି ରାଜ୍ୟର ସମସ୍ତ ସରକାରୀ ସୁବିଧା ପାଇ ପାରିବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ଦୁଇ ସୀମାନ୍ତ ରାଜ୍ୟରେ ଅଲଗା ଅଲଗା ତାରିଖରେ ଭୋଟଗ୍ରହଣ ହେଉଥିବାରୁ ଉଭୟ ରାଜ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିଲେ। ଚଳିତ ସାଧାରଣ ନିର୍ବାଚନ ଉଭୟ ରାଜ୍ୟର ଗୋଟିଏ ତାରିଖରେ ପଡୁଥିବାରୁ ପ୍ରଶାସନ ଏବଂ ଭୋଟର ଚିନ୍ତାରେ ଥିବା ଜଣାପଡିଛି। ଜୟରାମ ପାଙ୍ଗି କୋଟିଆ ମାଟିର ସନ୍ତାନ ହୋଇଥିବାରୁ ଏ ସମସ୍ତ ସମାସ୍ୟା ସମ୍ପର୍କରେ ଅବଗତ ଥିବା ସେ ପ୍ରକାଶ କରିଛନ୍ତି। କୋଟିଆର ବିକାଶ ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର ପ୍ୟାକେଜ ମାଧ୍ୟମରେ ବ୍ୟୟକରି ଏହାର ସୁରକ୍ଷା ପ୍ରତି ଦୃଷ୍ଟି ନଦେଲେ ଆନ୍ଧ୍ର କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଯେଉଁ ଆପ୍ରାଣ ଉଦ୍ୟମ ଜାରି ରଖିଛି ସେଥିରେ ସଫଳ ହୋଇଯିବ। ଯେହେତୁ କୋଟିଆ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର, ଏଣୁ କୋଟିଆ ପଞ୍ଚାୟତର ସମସ୍ତ ଭୋଟର ଯେମିତି ଓଡ଼ିଶାରେ ଭୋଟ ଦେବେ ସେଥିପ୍ରତି ଜିଲା ପ୍ରଶାସନକୁ ଦୃଷ୍ଟି ଦେବାକୁ ହେବ। ଅନ୍ୟ ପକ୍ଷରେ କୋଟିଆ ଭୋଟର ଆନ୍ଧ୍ରକୁ ଯେପରି ଭୋଟ ଦେଇ ନ ପାରିବେ ସେଥିପ୍ରତି ମଧ୍ୟ ପ୍ରଶାସନ ସଜାଗ ରହିବାକୁ ପଡିବ ବୋଲି ଶ୍ରୀ ପାଙ୍ଗି କହିଛନ୍ତି। କାରଣ ଭୋଟର ଯଦି ଓଡ଼ିଶାରେ ଭୋଟ ଦେଇ ଆନ୍ଧ୍ରରେ ଭୋଟ ଦେବେ ତେବେ ଆନ୍ଧ୍ର ମଧ୍ୟ ନିଜର ପ୍ରଭାବ କୋର୍ଟରେ ଜାହିର କରିବ ଯାହା କି ଓଡ଼ିଶା ପାଇଁ ସମାସ୍ୟା ସୃଷ୍ଟି କରିବ ବୋଲି ପାଙ୍ଗି ପ୍ରକାଶ କରିଛନ୍ତି। ପାଙ୍ଗି କହିଛନ୍ତି, କୋଟିଆ ଅଞ୍ଚଳର ବହୁ ଭୋଟର ମୋତେ ନିବେଦନ କରି କହୁଛନ୍ତି ଯେ, ସେମାନେ ପ୍ରଥମେ ଓଡ଼ିଶାରେ ଭୋଟ ଦେଇ ଆନ୍ଧ୍ରକୁ ଭୋଟ୍ ଦେବାକୁ ଯିବେ। ତେବେ ସେମାନଙ୍କୁ ଭୋଟ କେନ୍ଦ୍ରରେ କାଳି ନ ଲଗାଇବାକୁ କୁହନ୍ତୁ। ଏ ସମସ୍ତ ସମାସ୍ୟାକୁ ଆଧାର କରି ଜିଲା ପ୍ରଶାସନ କୋଟିଆ ଭୋଟର ଆନ୍ଧ୍ର ପାର୍ଶ୍ବକୁ ନ‌ ଯିବା ପାଇଁ ସମସ୍ତ ସୀମା ସିଲ୍ କରାଯାଉ ବୋଲି ଶ୍ରୀ ପାଙ୍ଗି ପ୍ରକାଶ କରିଛନ୍ତି। ଓଡ଼ିଶା ପକ୍ଷରୁ କୋଟିଆ ଭୋଟରଙ୍କ ପାଇଁ ୯ ଗୋଟି ବୁଥ୍ ହୋଇଥିବାବେଳେ ୫୫୦୨ ଭୋଟର ମତଦାନ କରିବେ। ଆନ୍ଧ୍ର ପକ୍ଷରୁ ତିନି ଗୋଟି ବୁଥରେ ୨୫୫୪ ଭୋଟର ମତଦାନ କରିବେ ବୋଲି ଜଣାପଡିଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories