ପୁଅର ଚିକତ୍ସା ପାଇଁ ପେନସନ ଓ ରାସନ୍ କାର୍ଡ ବନ୍ଧକ ରଖିଲେ ମା’
ଇନ୍ଦ୍ରାବତୀ: ପୁଅର ଭଙ୍ଗା ଗୋଡ଼ର ଚିକିତ୍ସା ପାଇଁ ସମ୍ବଳ ଅଭାବରୁ ଭତ୍ତା କାର୍ଡ ଓ ରାସନ କାର୍ଡ ବନ୍ଧକ ରଖିଲା ମା’। ଏଭଳି ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଞ୍ଚାୟତ ଅନ୍ତର୍ଗତ ଗାଦବାଗୁଡ଼ା ଗ୍ରାମରୋ ପୁଅର ରାସନ କାର୍ଡକୁ ୮ହଜାର ଟଙ୍କା ଓ ନିଜ ଭତ୍ତା କାର୍ଡକୁ ୬ ଟଙ୍କାରେ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ଅର୍ଥ ଅଭାବରୁ ରୋଗଗ୍ରସ୍ତ ପୁଅ ବିଛଣାରେ ପଡ଼ି ରହିଥିବାବେଳେ ପୁଅର ସେବା କରି ବୃଦ୍ଧା ମା’ ଭାଙ୍ଗିପଡ଼ିଲେଣି ା ତଥାପି ଆଶା ସରକାରୀ ସୁବିଧା ମିଳିବ, ପୁଅ ପୁଣି ଭଲ ହୋଇ ତାଙ୍କ ପେଟ ପୋଷିବ ା
ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗାଦବାଗୁଡା ଗ୍ରାମର ସୁଲୋଚନା ଖୁରାଙ୍କ ସ୍ୱାମୀ ଆରପାରିକୁ ଚାଲିଯାଇଥିବା ବେଳେ ପୁଅ ନୟନ ଖୁରାଙ୍କ ନିକଟରେ ରହି ଜୀବନ ବିତାଉଥିଲେ। ପୁଅ ନୟନ ସିଲେଇ କାମ କରି ଗୁଜୁରାଣ ମେଣ୍ଟାଉଥିଲେ। ଯାହା ରୋଜଗାର ହେଉଥିଲା ସେତିକିରେ ମା’ ପୁଅ ଦୁହେଁ ଚଳୁଥିଲେ। କିନ୍ତୁ ଗତ ତିନିବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ନୟନ ଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗି ଭାଙ୍ଗିଯାଇଥିଲା। ନିକଟରେ ଯାହା କିଛି ବି ସ୍ୱଳ୍ପ ଅର୍ଥ ଥିଲା ପ୍ରାଥମିକ ଚିକିତ୍ସାରେ ହିଁ ସରିଗଲା। ଗୋଡ଼ ଫୁଲିଯିବା ପରେ ଗୋଡ଼ ବ୍ୟାଣ୍ଡେଜର ଆବଶ୍ୟକତା ହେବାରୁ ନୟନର ରାସନ କାର୍ଡକୁ ୮ହଜାର ଟଙ୍କାରେ ବନ୍ଧକ ରଖି ଚିକିତ୍ସା କରିଥିଲେ। ପରେ ନୟନ ସୁସ୍ଥ ହେବାର କିଛିଦିନ ପରେ ପୁଣି ଗୋଡ଼ର ଆଘାତ ହୋଇଥିବା ସ୍ଥାନ ଧୀରେଧୀରେ ଫୁଲିବାକୁ ଲାଗିଲା। ଚିକିତ୍ସା ପାଇଁ ବର୍ତ୍ତମାନ ନିକଟରେ ଥିବା ଭତ୍ତା କାର୍ଡକୁ ୬ହଜାର ଟଙ୍କାରେ ବନ୍ଧକ ରଖି ସୁଲୋଚନା ପୁଅର ଚିକିତ୍ସା କରାଇଥିଲେ। କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ ା ଗୋଡ଼ ସେମିତି ଫୁଲି ରହିଥିବା ବେଳେ ଡାକ୍ତର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇବାକୁ କହିଥିଲେ, କିନ୍ତୁ ନିକଟରେ ଆଉ କୌଣସି ଟଙ୍କା ନ ଥିବାରୁ ଘର କୁ ନେଇ ନିଜେ ପୁଅର ଯତ୍ନ ନେଉଛନ୍ତି ବୃଦ୍ଧା ମା’ ସୁଲୋଚନା। ରୋଜଗାରିଆ ପୁଅ ବର୍ତ୍ତମାନ ବିଛଣାରେ ପଡ଼ିଛି। ନିକଟରେ କୌଣସି ଖାଦ୍ୟ ଓ ଖାଇବାକୁ ସମ୍ବଳ ନ ଥିବାରୁ ସାହି ପଡିଶା ଯାହା ଦେଉଛନ୍ତି ସେତିକିରେ ପେଟ ଭରୁଥିବା ସୁଲୋଚନା ପ୍ରକାଶ କରିଛନ୍ତି। ଏଭଳି ଏକ ଗରିବ ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ଏଥିସହ ଆଘାତ ପ୍ରାପ୍ତ ଯୁବକ ନୟନର ଚିକିତ୍ସା କରିବାକୁ ନିବେଦନ କରିଛନ୍ତି ା ନବରଙ୍ଗପୁର ଜିଲାପାଳ ଡଃ କମଳଲୋଚନ ମିଶ୍ରଙ୍କ ନିର୍ଦେଶକ୍ରମେ ଆଜି ସନ୍ଧ୍ୟାରେ ତେନ୍ତୁଳିଖୁଣ୍ଟି ବିଡିଓ ଦୁର୍ଯ୍ୟୋଧନ ଭୋଇ ସମ୍ପୃକ୍ତ ପରିବାରଙ୍କୁ ସାକ୍ଷାତ କରି ରେଡକ୍ରସ ପାଣ୍ଠିରୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ସୂଚନା ମିଳିଛି ା ସେହିପରି ବିଡିଓଙ୍କ ନିର୍ଦେଶକ୍ରମେ ଉଭୟ କାର୍ଡ ମୁକୁଳାଯାଇଥିବା ସୂଚନା ମିଳିଛି ା ସେହିପରି ନୟନଙ୍କ ଚିକିତ୍ସା ଦାୟିତ୍ୱ ପ୍ରଶାସନ ନେବ ବୋଲି ସୂଚନା ମିଳିଛି।
Comments are closed.