କନ୍ଧମାଳ-କଳାହାଣ୍ଡି ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀ ଗୁଳି ବିନିମୟ ଘଟଣା; ୪ର୍ଥ ଘଟଣାରେ ୨ ଯବାନ୍‍ ସହିଦ୍‍

ଫୁଲବାଣୀ: କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ୯ ତାରିଖରେ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟ ଘଟଣା ହେଉଛି ଏହି କିଛି ମାସ ମଧ୍ୟରେ ୪ର୍ଥ ଘଟଣା। ପୂର୍ବରୁ କନ୍ଧମାଳରେ ହୋଇଥିବା ୩ଟି ଘଟଣାରେ ମାଓବାଦୀ ନିହତ ହୋଇଥିଲେ ତେବେ ୪ର୍ଥ ଘଟଣାରେ ଯବାନ୍‍ ମାନଙ୍କ ଗୁଳିରେ ୫ ମାଓବାଦୀ ନିହତ ହୋଇଥିଲେ ମଧ୍ୟ ସହିଦ୍‍ ହୋଇଛନ୍ତି ୨ ଜଣ ଯବାନ୍‍। ପୂର୍ବରୁ କନ୍ଧମାଳ ଜିଲାରେ ପୁଲିସ୍‍ ଓ ମାଓବାଦୀ ମଧ୍ୟରେ ହୋଇଥିବା ୩ ଥର ଗୁଳି ବିନିମୟରେ ୭ ଜଣ ମାଓବାଦୀ ନିହତ ହୋଇଥିଲେ। ଏହି ଘଟଣା ଘଟିଥିଲା କଳାହାଣ୍ଡି-ଗଜପତି-କନ୍ଧମାଳ ସୀମାନ୍ତ ତୁମୁଡ଼ିବନ୍ଧ ବ୍ଳକର ସିର୍ଲା ପଂଚାୟତ ଜଙ୍ଗଲରେ। ତେବେ ପ୍ରଥମେ ଜୁଲାଇ ୫ ଓ ୬ ତାରିଖରେ କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲାରେ ଜବାନଙ୍କ ଗୁଳିରେ ୫ ଜଣ ଦୁର୍ଦାନ୍ତ ମାଓବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ଥିଲେ। ନିହତ ମାଓବାଦୀଙ୍କ ନାମରେ ୩୪ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏତେ ଟଙ୍କାର ପୁରସ୍କାର ବହନ କରୁଥିବା ମାଓବାଦୀ ନିହତ ହେବା ମଧ୍ୟ ଜୁଲାଇ ମାସରେ ଥିଲା ପ୍ରଥମ ଘଟଣା। ପରବର୍ତ୍ତି ସମୟରେ ଜୁଲାଇ ୨୩ ତାରିଖରେ ଉକ୍ତ ଜଙ୍ଗଲ ମଧ୍ୟରେ ହୋଇଥିଲା ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟରେ ମଧ୍ୟ ୨ ଜଣ ମାଓବାଦୀ ନିହତ ହୋଇଥିଲେ। ସେହିଦିନ ଠାରୁ ସମଗ୍ର ଜିଲାରେ କନ୍ଧମାଳ ପୁଲିସ୍‍ କମ୍ବିଂ ଅପରେସନ ଜୋରଦାର ଆରମ୍ଭ କରିଛି। ତେବେ ୩ ଟି ଗୁଳିବିନିମୟରେ ୭ଜଣ ମାଓବାଦୀ ନିହତ ପରେ ମାଓ ସଂଗଠନ ପକ୍ଷରୁ ମଧ୍ୟ ବନ୍ଦ ଡ଼ାକରା ଦିଆଯାଇଥିଲା। ଏହି ବନ୍ଦଡ଼ାକରାରେ ଜିଲାର ବିଭିନ୍ନ ଅଞ୍ଚଳରେ ମାଓବାଦୀ ମାନେ ଲାଲ୍‍ ବ୍ୟାନର ସହିତ ପୋଷ୍ଟର ମାରି ନାନା ପ୍ରକାର ଚେତାବନି ଦେଇଥିଲେ। ତେବେ ତୁହାକୁ ତୁହା କନ୍ଧମାଳ ପୁଲିସର ଜବାବ୍‍ ପରେ ଜୀବନ ବଂଚାଇବାକୁ ମାଓବାଦୀମାନେ ଜଙ୍ଗଲ ମଧ୍ୟ ଦେଇ କଳାହାଣ୍ଡି ଯାଉଥିବା ବେଳେ ପୁଣି ହୋଇଥିଲା ମୁହାଁମୁହିଁ ଗୁଳିଚାଳନା ବୋଲି ଜଣାଯାଇଛି। କଳାହାଣ୍ଡି ଜିଲାର ଏମ୍‍.ରାମପୁର ଓ କନ୍ଧମାଳ ଜିଲାରେ ବେଲଘର ଥାନା ନିକଟ ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିମୟ ଘଟଣାରେ ୫ ଜଣ ମାଓବାଦୀ ମୃତ ହୋଇଥିବା ବେଳେ ଦୁଇ ଜଣ ଯବାନ ସହିଦ ହୋଇଥିବା ଖବର ଆସିଛି। ଏହି ଦୁଇ ଯବାନ ହେଲେ ଅନୁଗୁଳ ଜିଲାର ଦେବାଶିଷ ସେଠୀ ଓ ମୟୁରଭଂଜର ସୁଧିର କୁମାର ସେଠୀ। ସର୍ଚ୍ଚ ଅପରେସନ ପରେ ଉକ୍ତ ଅଂଚଳରୁ ବିପୁଳ ମାତ୍ରାରେ ମାଓ ସାମଗ୍ରି ସହିତ ଦୁଇଟି ଅଟୋମେଟିକ ଗନ ସହ ଆଉ ୪ଟି ବନ୍ଧୁକକୁ ମିଶାଇ ୬ଟି ବନ୍ଧୁକ ଜବତ ହୋଇଛି। ତେବେ ସେହି ସମୟରେ ପ୍ରାୟ ମାଓବାଦୀଙ୍କ ଚାଲିଥିବା ୨ଟି କ୍ୟାମ୍ପରେ ୪୫ରୁ ୫୦ ପାଖାପାଖି ମାଓବାଦୀ ଥିବାର ଜଣାଯାଇଛି। ଗୁଳିବିନିମୟ ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ସେମାନେ ପୁଣିଥରେ କନ୍ଧମାଳ ଜିଲାରେ ପ୍ରବେଶ କରିବାର ସମ୍ଭାବମନା ଥିବାରୁ ସଂପୃକ୍ତ ଅଞ୍ଚଳରେ ପୁଲିସ୍‍ ପକ୍ଷରୁ ବ୍ୟାପକ କମ୍ବିଂ ଅପରେସନ ଚାଲିଥିବା ଏକ ସୂତ୍ରରୁ ପ୍ରକାଶ।

ସୂଚନା ଯୋଗ୍ୟ ଯେ, ଗତ ଦୁଇ ବର୍ଷ ମଧ୍ୟରେ କନ୍ଧମାଳ ପୂର୍ବତନ ଏସ୍‍ପି ତଥା ବର୍ତମାନର କଟକ ଡ଼ିସିପି ପ୍ରତିକ ସିଂଙ୍କ ନେତୃତ୍ୟରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ ୧୨ଜଣ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି।

Comments are closed.