ଦ୍ୱାରପାଳଙ୍କୁ ମିଳିଲା ୭କିଲୋ ସୁନା; ଆଇନ ଅନୁଯାୟୀ ମିଳିଲା ମାଲିକାନା
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଜଣେ ଦ୍ୱାରପାଳଙ୍କୁ ଆବର୍ଜନା ବାକ୍ସରୁ ୭ଟି ସୁନା ଇଟା ମିଳିବା ପରେ ସେଠାକାର ଆଇନ ଅନୁଯାୟୀ ତାହାର ମାଲିକାନା ତାଙ୍କୁ ମିଳି ଯାଇଛି। ସୁନା ଇଟାର ମାଲିକାନା ପାଇଁ କୌଣସି ବ୍ୟକ୍ତି ଦାବି ନ କରିବାରୁ ଶେଷରେ ଦ୍ୱାରପାଳଙ୍କ ଭାଗ୍ୟରେ ଏହି ସୁନା ଇଟାର ମାଲିକାନା ମିଳିଛି।
ଦକ୍ଷିଣ କୋରିଆର ସିଓଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦ୍ୱାରପାଳ ଭାବେ କାର୍ଯ୍ୟରତ ଏହି ବ୍ୟକ୍ତିଙ୍କ ଖବରକାଗଜରେ ମୋଡ଼ାଯାଇ ଥିବା ୭ଟି ସୁନା ଇଟା ମିଳିଥିଲା। ପ୍ରତି ସୁନା ଇଟାର ଓଜନ ୧କିଲୋ ଥିଲା। ଗୁରୁବାର ଏ ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ସୁନା ଇଟାର ବଜାର ମୂଲ୍ୟ ୩୨୫ହଜାର ଡଲାର। କୌଣସି ଅଜଣା ବ୍ୟକ୍ତି ହଂକଂରୁ ଜାପାନ ଯାଉଥିବାବେଳେ ଦକ୍ଷିଣ କୋରିଆରେ ସ୍ୱଳ୍ପ ସମୟ ପାଇଁ ରହିଥିଲେ। ତେବେ ସିଓଲ ବିମାନ ବନ୍ଦରରେ କଷ୍ଟମ ଚେକିଂରେ ଧରା ପଡ଼ିବା ଭୟରେ ଏହି ସୁନା ଇଟାକୁ ଶେଷରେ ବାଧ୍ୟ ହୋଇ ଆବର୍ଜନା ବାକ୍ସରେ ଫିଙ୍ଗି ଦେଇଥିଲେ। ବିମାନ ବନ୍ଦରରେ କାର୍ଯ୍ୟରତ ଦ୍ୱାରପାଳ ଏହା ଦେଖିପାରି ଘଟଣା ସମ୍ପର୍କରେ ସୁରକ୍ଷା କର୍ମୀଙ୍କୁ ଅବଗତ କରାଇ ଥିଲେ। ତେବେ ଉକ୍ତ ବ୍ୟକ୍ତିମାନେ ଏହି ସୁନା ସେମାନଙ୍କ ନୁହେଁ ବୋଲି କହିିଥିଲେ। ଫଳରେ ଉକ୍ତ ସୁନା ଇଟାକୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଜବତ କରିବା ସହ ଆଗାମୀ ଦିନରେ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଲାମ ଟଙ୍କାରୁ ଟିକସ କାଟି ଅବଶିଷ୍ଟ ଟଙ୍କା ଉକ୍ତ ଦ୍ୱାରପାଳଙ୍କୁ ପ୍ରଦାନ କରିବାକୁ ଘୋଷଣା କରାଯାଇଛି।