ମହିଳାଙ୍କୁ ହତ୍ୟା ମାମଲା ; ଆଠ ଦିନ ହେଲା ଅଭିଯୁକ୍ତ ଥାନାରେ ଅଟକ

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଦାସମଠ ଗ୍ରାମର ଲକ୍ଷ୍ମୀ ମାଇତିଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ପୁଲିସ ଆଠ ଦିନ ହେଲା ଥାନାକୁ ଆଣି ପଚରା ଉଚରା କରୁଛି। ମାତ୍ର ଏପର୍ୟ୍ୟନ୍ତ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇନାହିଁ। ସ୍ୱାମୀ ଏବଂ ସାବତ ପୁଅକୁ ତୁରନ୍ତ କୋର୍ଟ ଚାଲାଣ କରିବାକୁ ଗ୍ରାମର ମହିଳା ସଂଗଠନ ଥାନାକୁ ଆସି ଦାବି କରିଥିଲେ ।
ଘଟଣାରୁ ପ୍ରକାଶ, ଏକ ଚିଙ୍ଗୁଡି ଘେରି ଭାଗ ବଣ୍ଟାକୁ ନେଇ ସ୍ୱାମୀ ହିରାନନ୍ଦ ମାଇତି ଏବଂ ସାବତ ପୁଅ ଆନନ୍ଦ ମାଇତିଙ୍କ ସହ ଲକ୍ଷ୍ମୀଙ୍କର ବିବାଦ ଲାଗି ରହିଥିଲା । ଗତ ୩୦ତାରିଖ ରାତିରେ ଭଦ୍ରଲୋକ ବସି ଏହାର ସମାଧାନ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ସେମାନଙ୍କର ପରାମର୍ଶ ନମାନିବାରୁ ବିବାଦ ଉଗ୍ର ରୁପ ନେଇଥିଲା । ଯାହାର କରୁଣ ପରିଣତି ହେଲା ଗତ ୧ତାରିଖ ସକାଳେ ପାଖ ପଡୋଶୀଙ୍କ ଏକ ପରିତ୍ୟକ୍ତ ଘରୁ ଲକ୍ଷ୍ମୀଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଏରସମା ପୁଲିସ ଉଦ୍ଧାର କରିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ୧୦୧/୧୯ରେ ମୋକଦ୍ଦମା ରଜୁ କରିବା ସହ ଅଭିଯୁକ୍ତ ସ୍ୱାମୀ ହିରାନନ୍ଦ ଓ ସାବତ ପୁଅ ଆନନ୍ଦଙ୍କୁ ଗିରଫ କରିଥିଲା । ଇତି ମଧ୍ୟରେ ୮ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖିଛି । ଘଟଣା ସମ୍ପର୍କରେ ଆଇଆଇସି ପ୍ରଶାନ୍ତ କୁମାର ମାଝୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ଶବ ବ୍ୟବଚ୍ଛଦ ରିପୋର୍ଟକୁ ସେ ଅପେକ୍ଷା କରିଛନ୍ତି। ରିପୋର୍ଟ ଆସିବା ପରେ ସେ ଏହା ଉପେର ପଦକ୍ଷେପ ନେବେ । ଏପଟେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିବାରେ ପୁଲିସ ବିଳମ୍ବ କରୁଥିବାରୁ ସ୍ଥାନୀୟ ଦାସମଠ ଗ୍ରାମର ମହିଳା ସଂଗଠନ ଥାନାରେ ପହଞ୍ଚି ତୁରନ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିବାକୁ ଦୃଢ ଦାବି କରିଛନ୍ତି । କୋର୍ଟ ଚାଲାଣ ନହେଲେ ମହିଳା ସଂଗଠନ ତରଫରୁ ଥାନା ଘେରାଉ କରାଯିବ ବୋଲି ମହିଳାମାନେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ।

kalyan agarbati

Comments are closed.