ଖ୍ରୀଷ୍ଟିଆନ ପାଦ୍ରୀଙ୍କ ପାଇଁ ମାସକୁ ୫୦୦୦ ଟଙ୍କା ଭତ୍ତା ଘୋଷଣା କଲେ ଜଗନ ରେଡ୍ଡୀ
ହାଇଦରାବାଦ : ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଖ୍ରୀଷ୍ଟିଆନ ଧର୍ମର ପାଦ୍ରୀଙ୍କ ପାଇଁ ମାସକୁ ୫୦୦୦ ଟଙ୍କା ଭତ୍ତା ଘୋଷଣା କରିଛନ୍ତି। ଜଗନଙ୍କ ଏହି ପଦକ୍ଷେପକୁ ବିଜେପି କଡା ସମାଲୋଚନା କରିଛି। ଜଗନ ଏପରି କରି ଲୋକଙ୍କୁ ଧର୍ମ ଆଧାରରେ ବିଭାଜିତ କରୁଛି ଓ ଗୋଟିଏ ବର୍ଗକୁ ତୋଷଣ କରୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ଜଗନ ମୋହନ ରେଡ୍ଡୀଙ୍କ ସରକାର ଖ୍ରୀଷ୍ଟିଆନ ପାଦ୍ରୀଙ୍କୁ ମାସକୁ ୫୦୦୦ ଟଙ୍କା ପ୍ରଦାନ କରିବା ପାଇଁ ଏକ ସରକାରୀ ନିର୍ଦେଶ ପାରିତ କରିଛନ୍ତି। ନିଜ ନିର୍ବାଚନୀ ଇସ୍ତାହରରେ ଜଗନ ମୋହନ ରେଡ୍ଡୀ ମନ୍ଦିର ପରିଚାଳନା ପାଇଁ ମାସକୁ ୧୦,୦୦୦ରୁ ୩୫,୦୦୦ ଟଙ୍କା, ଇମାମ ଏବଂ ମୁଜେଇନ୍ସଙ୍କ ପାଇଁ ୧୫,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କ୍ଷମତାକୁ ଆସିବା ପରେ ୨୦୨୦ ସୁଦ୍ଧା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ ବୋଲି କୁହାଯାଇଥିଲା। ଏହି କ୍ରମରେ ପ୍ରଥମ ପଦକ୍ଷେପ ପୂର୍ବକ ଖ୍ରୀଷ୍ଟିଆନ ଧର୍ମଯାଜକ ତଥା ପାଦ୍ରୀଙ୍କୁ ମାସିକିଆ ଭତ୍ତା ଦେବାକୁ ଘୋଷଣା କରାଯାଇଛି। ଏନେଇ ଆନ୍ଧ୍ରପ୍ରଦେଶ ବାଳ କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି। ଏହି ସର୍କୁଲାରରେ ସର୍ଭେ ମାଧ୍ୟମରେ ଖ୍ରୀଷ୍ଟିଆନ ପାଦ୍ରୀଙ୍କୁ ଚିହ୍ନଟ କରିବା ସହ ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।