ମହାନଗରର ଗରିବ ପାଇଲେ ଭୂମି ଅଧିକାର : ୬୫ ହଜାର ପରିବାରକୁ ପ୍ରମାଣପତ୍ର

ଓଡ଼ିଶା ଏ କ୍ଷେତ୍ରରେ ଦେଶର ଏକମାତ୍ର ରାଜ୍ୟ,୧ ହଜାରରୁ ଅଧିକ ବସ୍ତି ବିଜୁ ଆଦର୍ଶ କଲୋନୀରେ ପରିଣତ

ବିକାଶର ସୁଫଳରେ ଗରିବର ପ୍ରଥମ ଅଧିକାର: ମୁଖ୍ୟମନ୍ତ୍ରୀ

prayash

ଭୁବନେଶ୍ବର : ଆପଣମାନେ ଖୁସି ତ? ମହାନଗର ନିଗମର ଗରିବ ଲୋକଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପ୍ରଶ୍ନରେ ଆନନ୍ଦ, ଉଲ୍ଲାସ, କରତାଳି ଓ ହୁଳହୁଳିରେ କମ୍ପିଥିଲା କଳିଙ୍ଗ ଷ୍ଟାଡିୟମ। ସୋମବାର ୫ଟି ମହାନଗରର ଗରିବ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜାଗା ମିଶନରେ ୬୫ ହଜାର ପରିବାରକୁ ଜମି ଅଧିକାର ମିଳିଛି। ସବୁ ପରିବାରକୁ ଜମି ଅଧିକାର ମିଳିବା ପର୍ଯ୍ୟନ୍ତ ଏ କାର୍ଯ୍ୟକ୍ରମ ଜାରି ରହିବ। ରାଜ୍ୟରେ ଆଉ ରହିବନି ବସ୍ତି। ସବୁ ବସ୍ତି ହେବ ଆଦର୍ଶ କଲୋନୀ। ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଦେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ହୋଇଛି।
କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୋମବାର ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଆଦି ୫ଟି ମହାନଗର ନିଗମର ୬୫ ହଜାର ଗରିବ ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାଗା ସହ ଘର କରିବା ପାଇଁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ। ଆସନ୍ତା ଅକ୍ଟୋବର ମାସରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରମାଣପତ୍ର ପ୍ରଦାନ କରାଯିବ। ସହରର ସବୁ ଗରିବ ପରିବାରଙ୍କୁ ଭୂମି ଅଧିକାର ମିଳିବା ପର୍ଯ୍ୟନ୍ତ ଏ ଅଭିଯାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୮ରୁ ଆରମ୍ଭ ହୋଇଥିବା ଜାଗା ମିଶନ କାର୍ଯ୍ୟକ୍ରମରେ ସହରର ବସ୍ତିଗୁଡ଼ିକରେ ରହୁଥିବା ଗରିବ ପରିବାରଗୁଡ଼ିକୁ ଭୂମି ଅଧିକାର ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ୧ ଲକ୍ଷ ୭୦ହଜାରରୁ ଅଧିକ ପରିବାରକୁ ଭୂମି ଅଧିକାର ମିଳିଛି। ସୋମବାର କାର୍ଯ୍ୟକ୍ରମକୁ ମିଶାଇ ରାଜ୍ୟରେ ୨ ଲକ୍ଷ ୪୦ ହଜାର ପରିବାରକୁ ଭୂମି ଅଧିକାର ମିଳିଲା। ଏହାସହିତ ୪୦ ହଜାର ପରିବାରକୁ ଘର ତିଆରି ପାଇଁ ସହାୟତା ମଧ୍ୟ ଦିଆଯାଇଛି। ବସ୍ତିମୁକ୍ତ ଓଡ଼ିଶା ଗଠନ ଉଦ୍ଦେଶ୍ୟ ନେଇ ଏହି ସବୁ ବସ୍ତିଗୁଡ଼ିକୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଦିଆଯିବ। ଏସବୁକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୬୮ଟି ପୌରାଞ୍ଚଳର ୧୦୧୦ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସହର କେବଳ ଧନୀ ଲୋକଙ୍କର ନୁହଁ। ଗରିବ ଲୋକର ମଧ୍ୟ ସ୍ବାଭିମାନ ସହ ସହରରେ ବଞ୍ଚିବାର ଅଧିକାର ରହିଛି। ସହରର ନିର୍ମାଣରେ ବ୍ୟବହୃତ ପ୍ରତିଟି ଇଟାରେ ଗରିବ ଲୋକର ପରିଶ୍ରମ ଯୋଡ଼ି ହୋଇ ରହିଛି। ସେମାନଙ୍କ ଅବଦାନକୁ ଆମେ ସମସ୍ତେ ସମ୍ମାନ ଜଣାଇବା ଉଚିତ୍। ଜାଗା ମିଶନ ଗରିବ ଲୋକକୁ ସମ୍ମାନ ଦେଇଛି, ନୂଆ ପରିଚୟ ଦେଇଛି। ଆମର ଏ କାର୍ଯ୍ୟକ୍ରମ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି। ବିକାଶର ସୁଫଳରେ ଗରିବ ଲୋକର ପ୍ରଥମ ଅଧିକାର ରହିଛି। ସହରର ରୂପାନ୍ତରଣରେ ଜାଗା ମିଶନ ନୂଆ ଯୁଗ ଆରମ୍ଭ କରିଛି ବୋଲି ସେ କହିଥିଲେ। ଜାଗା ମିଶନର ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଗୁରୁତ୍ବପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ଧନ୍ୟବାଦ ଦେବା ସହିତ ଟାଟା ଷ୍ଟିଲକୁ ସମ୍ବର୍ଦ୍ଧିତ କରିଥିଲେ।
ଲୋକଙ୍କ ଜୀବନରେ ରୂପାନ୍ତରଣ ଆଣିବା ପାଇଁ ଆମର ଉଦ୍ୟମକୁ ୫-ଟି ଉପକ୍ରମ ତ୍ବରାନ୍ୱିତ କରିଛି। ଜାଗା ମିଶନ ଏହାର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ସମସ୍ତଙ୍କ ସହଯୋଗରେ ସମସ୍ତଙ୍କୁ ସାଥିରେ ନେଇ ଆମେ ଆଗକୁ ବଢୁଛୁ। ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା, ରୂପାନ୍ତରିତ ଓଡ଼ିଶା ଗଢ଼ିବା ଆମର ଲକ୍ଷ୍ୟ ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଏହି ଲକ୍ଷ୍ୟ ପୂରଣ ଦିଗରେ ଆଜିର କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ହୋଇ ରହିବ। ଏହି କାର୍ଯ୍ୟକ୍ରମରେ ବିଜୁ ଆଦର୍ଶ କଲୋନୀରେ ପରିଣତ ହୋଇଥିବା ୧୦୧୦ଟି କଲୋନୀ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। କଟକ ମହାନଗର ନିଗମ, ଖୋର୍ଦ୍ଧା, କୋରାପୁଟ ଓ ଯାଜପୁର ପୌରାଞ୍ଚଳ ବିଜୁ ଆଦର୍ଶ କଲୋନୀ ନିର୍ମାଣରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଏହି ପୌରାଞ୍ଚଳକୁ ସମ୍ମାନିତ କରିଥିଲେ। ଯେଉଁଠାରେ ଆଇନଗତ କାରଣରୁ ବସ୍ତି ଲୋକଙ୍କୁ ନିଜେ ରହୁଥିବା ସ୍ଥାନରେ ଜାଗା ଦିଆଯିବା ସମ୍ଭବ ନୁହେଁ, ସେଠାରେ ସମସ୍ତଙ୍କ ସହମତିରେ ନିକଟସ୍ଥ ସ୍ଥାନରେ ଜାଗା ଦିଆଯାଇ ନୂଆ କଲୋନୀ ସ୍ଥାପନ କରାଯାଉଛି। ନୂଆ କଲୋନୀ ସ୍ଥାପନରେ ଚିକିଟି, ବୌଦ୍ଧ, ଢ଼େଙ୍କାନାଳ ଓ କେସିଙ୍ଗା ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଜଙ୍ଗଲ ଜମିରେ ଘର କରିଥିବା ଗରିବ ଲୋକଙ୍କୁ ଜଙ୍ଗଲ ଅଧିକାର ଆଇନ ପ୍ରୟୋଗରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବା କ୍ଷେତ୍ରରେ ଢେଙ୍କାନାଳ ଜିଲା ସାରା ଦେଶରେ ପ୍ରଥମ ସ୍ଥାନ ପାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲା ପ୍ରଶାସନକୁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି ରାଜ୍ୟର ଜାଗା ମିଶନ କାର୍ଯ୍ୟକ୍ରମ ୟୁଏନ୍-ୱାର୍ଲ୍ଡ ହାବିଟାଟ୍ ଆୱାର୍ଡ-୨୦୨୩ ପାଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଜାଗା ମିଶନ ଟିମ୍‌କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଉଦ୍ୟମ ଯୋଗୁ ରାଜ୍ୟର ଗରିବ ଲୋକଙ୍କ ମୁହଁରେ ଆଜି ହସ ଫୁଟିଛି। ସେମାନେ ନିଜର ଅଧିକାର ପାଇଛନ୍ତି ଓ ଆଗକୁ ବଢିବାର ସୁଯୋଗ ପାଇଛନ୍ତି। ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ପରିଚାଳନା ନିର୍ଦେଶକ କହିଥିଲେ ଯେ, ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମରେ ସରକାରଙ୍କୁ ସହଯୋଗ ଯୋଗାଇଦେବା ପାଇଁ ଟାଟା ଷ୍ଟିଲ ସବୁବେଳେ ପ୍ରସ୍ତୁତ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ପି.କେ ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବିଭାଗୀୟ ପ୍ରମୁଖ ସଚିବ ଜି. ମାଥିଭାଥନନ୍ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ଜାଗା ମିଶନର ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.