ଭୁବନେଶ୍ୱର : ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଲାଗି ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏହାକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଥରକୁ ଥର ଚିଠି ଜିଲା ପ୍ରଶାସନକୁ ଲେଖାଯାଉଛି। ବିପୁଳ ଅର୍ଥ ଯୋଗାଇ ଦିଆଯାଉଛି। ହେଲେ ଜିଲା ପ୍ରଶାସନର ଟାଳଟୁଳ ନୀତି ଯୋଗୁଁ ସବୁ ମଣ୍ଡିରେ ସିସି କ୍ୟାମେରା ଲାଗି ପାରୁନାହିଁ। ଏପରିକି ବିଧାନସଭା ସ୍ଥାୟୀ କମିଟିର ସୁପାରିସକୁ ମଧ୍ୟ ଭ୍ରୂକ୍ଷେପ କରାଯାଉନି। ରାଜ୍ୟରେ ପୂର୍ବରୁ ୩୬ଟି ସମବାୟ ସମିତିରେ ଲାଗିଥିବା ସିସି କ୍ୟାମେରା ଏବେ ଅଚଳ ପଡ଼ିଛି। ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ ନେଇ ସରକାରୀ ତତ୍ପରତା ଆରମ୍ଭ ହେଲାଣି। ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ ବସିବାକୁ ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ପ୍ରାୟ ୭୦ପ୍ରତିଶତ ସମବାୟ ସମିତିରେ ସିସି କ୍ୟାମେରା ଲାଗି ନ ଥିବା ରାଜ୍ୟ ସମବାୟ ସମିତି ନିବନ୍ଧକଙ୍କ ପତ୍ରରୁ ଜଣାଯାଇଛି।
ରାଜ୍ୟ ସମବାୟ ସମିତି ନିବନ୍ଧକ ଉଦ୍ଧବ ଚନ୍ଦ୍ର ମାଝି ଏ ସଂକ୍ରାନ୍ତରେ ସବୁ ଜିଲାପାଳଙ୍କୁ ସୋମବାର ପତ୍ର ଲେଖି ଦର୍ଶାଇଛନ୍ତି ଯେ, ରାଜ୍ୟର ସମସ୍ତ ଧାନ ସଂଗ୍ରହ କେନ୍ଦ୍ର ତଥା ମଣ୍ଡିରେ ସିସି କ୍ୟାମେରା ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଧାର୍ଯ୍ୟ ଲକ୍ଷ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ହାସଲ ହୋଇପାରିନାହିଁ। ଏପରିକି କିଛି ଜିଲାର ପ୍ରସ୍ତାବିତ ମଣ୍ଡି ମଧ୍ୟରୁ ଅଳ୍ପ କିଛି ସ୍ଥାନରେ ସିସି କ୍ୟାମେରା ଲଗାଯାଇଥିବା ବେଳେ କିଛି ଜିଲାର ମଣ୍ଡିରେ ଗୋଟିଏ ହେଲେ ବି ସିସି କ୍ୟାମେରା ଲଗାଯାଇ ପାରିନାହିଁ। ଆଜି ସୁଦ୍ଧା ରାଜ୍ୟରେ ଥିବା ୩ ହଜାର ୪୬୩ ମଣ୍ଡି ମଧ୍ୟରୁ ମାତ୍ର ୧୦୫୬ ମଣ୍ଡିରେ ସିସି କ୍ୟାମେରା ଲଗାଯାଇଛି। ୨ହଜାର ୪୦୭ ମଣ୍ଡିରେ ସିସି କ୍ୟାମେରା ଲଗାଯାଇନାହିଁ। ଏପରିକି ସିସିଟିଭି ଲଗାଯାଇଥିବା ମଣ୍ଡିଗୁଡିକ ମଧ୍ୟରୁ ୩୬ ଟିରେ କାମ କରୁନାହିଁ। ଏହାକୁ ରାଜ୍ୟ ସରକାର ଗୁରୁତର ସହ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକୁ ଗୁରୁତ୍ବ ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଶ୍ରୀ ମାଝି ଚିଠିରେ ଦର୍ଶାଇଛନ୍ତି।
ବିଭାଗୀୟ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲାରେ ସର୍ବାଧିକ ପ୍ରସ୍ତାବିତ ୩୭୨, ନୟାଗଡ ଜିଲାର ୧୬୭ ଏବଂ ଜଗତସିଂହପୁର ଜିଲାର ପ୍ରସ୍ତାବିତ ୧୦୫ଟି ମଣ୍ଡିରୁ ଗୋଟିଏ ହେଲେ ବି ସ୍ଥାନରେ ସିସି କ୍ୟାମେରା ଲଗାଯାଇ ପାରିନାହିଁ। ଅନୁଗୋଳ ଜିଲାର ୯୫ରୁ ୯୦ ଟିରେ, ବରଗଡ ଜିଲାର ୧୮୪ରୁ ୧୧୫, କଟକର ୨୨୮ରୁ ୨୨୫, ଢେଙ୍କାନାଳ ଜିଲାର ୮୦ରୁ ୭୨, ଯାଜପୁର ଜିଲାର ୧୧୭ରୁ ୧୧୬, କଳାହାଣ୍ଡି ଜିଲାର ୧୭୮ରୁ ୧୧୩, ପୁରୀର ୧୮୬ରୁ ୧୬୭, ସମ୍ବଲପୁର ଜିଲାର ୧୩୨ରୁ ୧୨୫ ଏବଂ ସୁନ୍ଦରଗଡ ଜିଲାର ୧୩୫ରୁ ୧୧୧ ସ୍ଥାନରେ ସିସି କ୍ୟାମେରା ଲଗାଯାଇନାହିଁ। ଅଧିକାରୀଙ୍କ ଏଭଳି ଅବହେଳା ଯୋଗୁଁ ସରକାରଙ୍କ ଲକ୍ଷ୍ୟ ପୂରଣରେ ଏବଂ ଅବ୍ୟବସ୍ଥାକୁ ଶୃଙ୍ଖଳିତ କରିବାରେ ସମସ୍ୟା ଉପୁଜୁଥିବା ଜଣାପଡ଼ିଛି।
୭୦% ମଣ୍ଡିରେ ନାହିଁ ‘ସିସିଟିଭି’
Popular Categories



