ଏସସିବି ଆସିବେ ଜଗା-କାଳିଆ : ଆଜି ଅପରାହ୍ନରେ ଦିଲ୍ଲୀରୁ ବାହାରିବେ

ମୁଖ୍ୟମନ୍ତ୍ରୀ ଓ ଏମ୍‌ସ ଡାକ୍ତରୀଦଳକୁ ଧନ୍ୟବାଦ ଜଣାଇଲେ କହଁର ପରିବାର

0

ନୂଆଦିଲ୍ଲୀ : ଓଡ଼ିଶା ଫେରିବେ ଯୋଡ଼ ମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳ ଫରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଶିଶୁ ଜଗା କାଳିଆ। ଚିକିତ୍ସା ପାଇଁ ଦିଲ୍ଲୀ ଏମସରେ ଦୁଇ ବର୍ଷ ରହିଣି ପରେ ଏବେ ଓଡ଼ିଶା ଫେରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ଶିଶୁଙ୍କୁ କଟକ ଫେରାଇ ନେବା ପାଇଁ ଓଡ଼ିଶାରୁ ଦୁଇ ଜଣିଆ ଡାକ୍ତରୀ ଦଳ ଦିଲ୍ଲୀ ପହଞ୍ଚି ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନରେ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସହ ଆଲୋଚନା କରିଛନ୍ତି।

ଉଭୟ ଶିଶୁ ଓ ପିତାମାତା ଶୁକ୍ରବାର ଅପରାହ୍ନରେ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକ ଯିବେ। ସାଥିରେ ଏମ୍‍ସ ତରଫରୁ ଦୁଇ ଜଣ ଡାକ୍ତର ଓ ଦୁଇ ଜଣ ନର୍ସ ରହିବେ। ଟ୍ରେନରେ ୭ଜଣିଆ ଡାକ୍ତରୀ ଓ ନର୍ସ ଦଳ ଉଭୟ ଶିଶୁଙ୍କ ସହ ଯାତ୍ରା କରିବେ ବୋଲି ଜଣାପଡ଼ିଛି। ଦିଲ୍ଲୀ ଏମ୍‍ସ କର୍ତ୍ତୁପକ୍ଷଙ୍କ ସୂଚନା ଅନୁଯାୟୀ ବିଗତ ଦିନରେ ଜଗା ଓ କାଳିଆଙ୍କ ଚିକିତ୍ସା ବାବଦକୁ ସମୁଦାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୩୫ଜଣ କନ୍‍ସଲଟାଣ୍ଟ, ୪୦ଜଣ ଡାକ୍ତର, ୫୦ଜଣ ନର୍ସ ଫଜିଓଥେରାପିଷ୍ଟ ଟେକ୍ନିସିଆନ ଚିକିତ୍ସା ସେବା ଯୋଗାଇ ଦେଉଥିଲେ। ଉଭୟ ଶିଶୁଙ୍କୁ ଏଣିକି ଯେକୌଣସି ରାଜ୍ୟ ଏବଂ ଜିଲା ସ୍ତରୀୟ ହସପିଟାଲରେ ଚିକିତ୍ସିତ କରାଯାଇ ପାରିବ ବୋଲି ଏମସ ପକ୍ଷରୁ କୁହାଯାଇଛି। ଆଜି ଅନ୍ତିମ ଦିବସରେ ବହୁ ଶୁଭେଚ୍ଛୁ ଓ ସାମ୍ବାଦିକ ଜଗାକାଳିଆଙ୍କ ବାପା ଭୂୂୟାଁ କହଁର ଓ ମାଆ ପୁଷ୍ପାଞ୍ଜଳି କହଁରଙ୍କୁ ଭେଟି ଶୁଭକାମନା ଜଣାଇଛନ୍ତି। ଦିଲ୍ଲୀ ରହଣି ବ୍ୟସ୍ତ କରୁଥିଲା, ଏବେ ବହୁତ ଖୁସି ଲାଗୁଛି ବୋଲି ମାଆ ପୁଷ୍ପାଞ୍ଜଳି କହଁର ସମାଜ’କୁ ପ୍ରତିକ୍ରିୟା ଦେଇ କହିଛନ୍ତି। ଉଭୟ ଶିଶୁଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ସରକାର, ଏମ୍‍ସ ଡାକ୍ତରୀଦଳଙ୍କୁ ଧନ୍ୟବାଦ ଜଣାଇଥିଲେ ଭୂୟାଁ ଓ ପୁଷ୍ଠାଞ୍ଜଳି କହଁର। ସୁପ୍ରିମକୋର୍ଟ ଆଡଭୋକେଟ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ କହଁର ପରିବାରକୁ ସାକ୍ଷାତ କରି ଉଭୟ ଶିଶୁଙ୍କ ଆରୋଗ୍ୟ କାମନା କରିଥିଲେ। ପ୍ରକାଶ ଯେ ଉଭୟ ଶିଶୁଙ୍କୁ ଦିଲ୍ଲୀ ଏମ୍‍ସରେ ଅଧିକ ଦିନ ଚିକିତ୍ସା ସୁବିଧା ଯୋଗଇ ଦେବାକୁ ଆଡଭେକେଟ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗ ଓ ଜାତୀୟ ଜନଜାତି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave A Reply