ତୁରୁମୁଙ୍ଗା କଲେଜରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଯୋଗ ଦିବସ ପାଳିତ

ଡେସ୍କ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଧୀନ ତୁରୁମୁଙ୍ଗା ସ୍ଥିତ ଦଧିବାମନ କଲେଜରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କଲେଜ ନିକଟରେ ଅନୁଷ୍ଠିତ ହୋଇଥିଲା। କଲେଜର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏଥିରେ ସମ୍ମାନୀତ ଅତିଥି ଭାବେ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଡ଼କ୍ଟର ଟି କେ ପରିଡା, ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଅଶ୍ୱସ୍ତମା ଗିରି, ପ୍ରତାପ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଯୋଗ ପ୍ରଶିକ୍ଷକ ଡ଼ମ୍ବୁରୁ ମହନ୍ତ ଓ ହରିହର ମହାନ୍ତ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ସ୍ଥାନୀୟ ଡାକ୍ତରଖାନାର ଡାକ୍ତର ସୁବାସ ଚନ୍ଦ୍ର କର ମଧ୍ୟ ଯୋଗର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରହି ଅବସରରେ ଗତକାଲି କଲେଜରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

କେନ୍ଦୁଝର ସିବିସିର କ୍ଷେତ୍ର ପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଦୀପ କୁମାର ନାୟକ ସହଯୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ଵିନୋରି କଳା ପରିଷଦ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ।

Comments are closed.