ପୁଣି ବିପର୍ଯ୍ୟୟ : ଇଂଲଣ୍ଡକୁ ହରାଇଲା ଆୟରଲାଣ୍ଡ

ମେଲ୍‌ବୋର୍ଣ୍ଣ : କ୍ରିକେଟ୍‌ରେ ‌ଟ୍ବେଣ୍ଟି-୨୦ ଏପରି ଏକ ଫର୍ମାଟ; ଯେଉଁଥିରେ ଅଧିକ ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ। ଦିନିକିଆ ବିଶ୍ବକପ୍‌ ଚମ୍ପିଆନ୍‌ ତଥା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ପୂର୍ବତନ ଚମ୍ପିଆନ୍‌ ଇଂଲଣ୍ଡ ଏକ ସହଯୋଗୀ ରାଷ୍ଟ୍ର ଆୟରଲାଣ୍ଡଠାରୁ ପରାସ୍ତ ହୋଇଛି। ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ପ୍ରଥମ ସୁପର-୧୨ ମ୍ୟାଚ୍‌ରେ ବୁଧବାର ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ଇଂଲଣ୍ଡକୁ ୫ ରନ୍‌ରେ ପଡ଼ୋଶୀ ଆୟରଲାଣ୍ଡ ପରାସ୍ତକରି ବଡ଼ ବିପର୍ଯ୍ୟୟ ଘଟାଇଛି। ଆୟରଲାଣ୍ଡ ଗ୍ରୁପ୍‌-୧ରେ ତା’ର ୨ୟ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି। ଇଂଲଣ୍ଡ ବିପକ୍ଷରେ ଆୟରଲାଣ୍ଡ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଥିବା ବେଳେ ବର୍ଷା ମଧ୍ୟ ଏହାକୁ ସହାୟକ ହୋଇଥିଲା। ଅଧିନାୟକ ଆଣ୍ଡି ବାଲବର୍ନିଙ୍କ ଦର୍ଶନୀୟ ୬୨ ରନ୍‌ ବଳରେ ଆୟରଲାଣ୍ଡ ୪ଟି ବଲ୍‌ ବାକିଥାଇ ୧୫୭ ରନ୍‌କରି ଅଲ୍‌ଆଉଟ୍‌ ହୋଇଥିଲା। ଇଂଲଣ୍ଡ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ ହେଁ ବର୍ଷା ଆସିବାରୁ ଏହା ରନ୍‌ଗତି ବଢ଼ାଇବାର ପ୍ରୟାସ କରିଥିଲେ। ହେଲେ ୧୪.୩ ଓଭରରେ ଇଂଲଣ୍ଡ ୫ ୱିକେଟରେ ୧୦୫ ରନ୍‌ କରିଥିବା ବେଳେ ବର୍ଷା ହେବାରୁ ଆଗକୁ ଖେଳ ସମ୍ଭବ ହୋଇନଥିଲା। ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ଇଂଲଣ୍ଡକୁ ସେତେବେଳେ ୧୧୧ ରନ୍‌ କରିଥିବାର ଥିଲା। ତେଣୁ ୫ ରନ୍‌ରେ ଆୟରଲାଣ୍ଡ ବିଜୟୀ ହୋଇଥିଲା।
୨୦୧୧ ଦିନିକିଆ ବିଶ୍ବକପ୍‌ରେ ବେଙ୍ଗାଲୁରୁରେ କେଭିନ୍‌ ଓ’ବ୍ରାଇନ୍‌ଙ୍କ ଶତକ ବଳରେ ଇଂଲଣ୍ଡକୁ ପରାସ୍ତକରି ଆୟରଲାଣ୍ଡ ବଡ଼ ବିପର୍ଯ୍ୟୟ ଘଟାଇଥିଲା। ପୁଣିଥରେ ବିଶ୍ବକପ୍‌ରେ ଆୟରଲାଣ୍ଡ ଦଳ ଇଂଲଣ୍ଡକୁ ପରାସ୍ତ କରିଛି। ପ୍ରଥମ ରାଉଣ୍ଡରେ ୨ ଥର ଟି୨୦ ବିଶ୍ବକପ୍‌ ଚମ୍ପିଆନ୍ ୱେଷ୍ଟଇଣ୍ଡିଜ୍‌କୁ ହରାଇ ସୁପର-୧୨ରେ ପ୍ରବେଶ କରିଥିବା ଆୟରଲାଣ୍ଡ ପୁଣିଥରେ ଲଢ଼ୁଆ ପ୍ରଦର୍ଶନ କରିଛି। ବୁଧବାର ୧୫୮ ରନ୍‌ର ପିଛା କରିଥିବା ଇଂଲଣ୍ଡ ୨ୟ ବଲ୍‌ରେ ଅଧିନାୟକ ଜୋସ୍‌ ବଟ୍‌ଲରଙ୍କ ୱିକେଟ ହରାଇଥିଲା। ଫର୍ମରେ ନଥିବା ଆଲେକ୍ସ ହେଲ୍‌ସ ୭ ଓ ବେନ୍‌ ଷ୍ଟୋକ୍‌ସ ୬ ରନ୍‌କରି ବିଦାୟ ନେଇଥିଲେ। ଇଂଲଣ୍ଡ ୨୯ ରନ୍‌ରେ ୩ଟି ୱିକେଟ ହରାଇବା ପରେ ଡାୱିଡ୍‌ ମଲାନ୍‌ ଓ ହ୍ୟାରି ବ୍ରୁକ୍‌ ଧିମା ବ୍ୟାଟିଂକରି ୩୪ ବଲ୍‌ରୁ ମାତ୍ର ୩୮ ରନ୍‌ ଯୋଡ଼ିଥିଲେ। ବ୍ରୁକ୍‌ ୨୧ ବଲ୍‌ରୁ ଗୋଟିଏ ଚୌକା ସହ ୧୮ ରନ୍‌ କରିଥିଲେ। ବାମହାତି ମଲାନ୍ ୩୭ ବଲ୍‌ରୁ ୨ଟି ଚୌକା ସହ ମାତ୍ର ୩୫ ରନ୍‌ କରି ପାରିଥିଲେ। ବର୍ଷା ଆସନ୍ନ ଦେଖି ମୋଇନ୍ ଅଲୀ ଆକ୍ରମଣ ଆରମ୍ଭ କରିଥିଲେ। ତେବେ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ୧୪.୩ ଓଭରରେ ଇଂଲଣ୍ଡ ୫ ୱିକେଟରେ ୧୦୫ ରନ୍‌ କରିଥିଲା। ମୋଇନ୍‌ ୧୨ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୪ ରନ୍‌କରି ଅପରାଜିତ ଥିଲେ। ଜୋସ୍‌ ଲିଟ୍‌ଲ ୨ଟି ୱିକେଟ ନେଇଥିଲେ। ଆଣ୍ଡି ବାଲବର୍ନି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଇଂଲଣ୍ଡ ଫିଲ୍‌ଡିଂ ନେବା ପରେ ଆୟରଲାଣ୍ଡର ଦୁଇ ଓପ୍‌ନର ପଲ୍‌ ଷ୍ଟର୍ଲିଂ ୮ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଆଣ୍ଡି ବାଲ୍‌ବର୍ନି ଓ ଲୋର୍କାନ୍‌ ଟକର୍‌ଙ୍କ ମଧ୍ୟରେ ୨ୟ ୱିକେଟ୍‌ ପାଇଁ ୮୨ ରନ୍‌ର ଭାଗିଦାରୀ ହୋଇଥିଲା। ଟକର ୨୭ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୪ ରନ୍‌ କରିଥିଲେ। ହ୍ୟାରି ଟେକ୍ଟର ଓ ଜର୍ଜ ଡକ୍ରେଲ୍‌ ଖାତା ଖୋଲି ପାରିନଥିଲେ। ବାଲ୍‌ବର୍ନି ଚମତ୍କାର ବ୍ୟାଟିଂକରି ୪୭ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୬୨ ରନ୍‌ କରିଥିଲେ। କର୍ଟିସ୍‌ କାମ୍ଫର ୧୧ ବଲ୍‌ରୁ ୧୮ ଓ ଗାରେଥ୍ ଡେଲାନି ୧୨ ରନ୍‌କରି ଅପରାଜିତ ଥିଲେ। ଆୟରଲାଣ୍ଡ ଏକଦା ୧୭୦/୧୮୦ ରନ୍‌ ଆଡ଼କୁ ଗତି କରୁଥିବା ବେଳେ ୨୫ ରନ୍‌ରେ ୭ଟି ୱିକେଟ ହରାଇବା ଏହା ପାଇଁ କାଳ ହୋଇଥିଲା। ମାର୍କ ଉଡ୍‌ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍‌ ୩ଟି ଲେଖାଏଁ ଏବଂ ସାମ୍ କରନ୍‌ ୨ଟି ୱିକେଟ ନେଇଥିଲେ। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଥିବା ଆୟରଲାଣ୍ଡ ପ୍ରଥମ ବିଜୟ ହାସଲ କରିଛି। ଆଫ୍‌ଗାନିସ୍ତାନକୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ କରିଥିବା ଇଂଲଣ୍ଡ ପ୍ରଥମ ପରାଜୟ ଭୋଗିଛି।

kalyan agarbati

Comments are closed.