ଆଇପିଏଲ୍‍ ସମ୍ପର୍କରେ ନିଷ୍ପତ୍ତି ପୂର୍ବରୁ ସରକାରଙ୍କ ନିର୍ଦେଶକୁ ଅପେକ୍ଷା

ନୂଆଦିଲ୍ଲୀ: ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ ଆୟୋଜନ ହେବା ଏବେ କ୍ରିକେଟପ୍ରେମୀଙ୍କ ପାଇଁ ସ୍ୱପ୍ନ ପରି ଲାଗୁଛି। ସମ୍ପ୍ରତି ସାରାବିଶ୍ୱ ସହ ଭାରତରେ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ଅଣାୟତ୍ତ ହୋଇ ପଡ଼ିଥିବା ବେଳେ ଚଳିତବର୍ଷ ଆଇପିଏଲ୍‍ ଆୟୋଜନ କରାଯିବା ନେଇ ସନ୍ଦେହ ରହିଛି। ଏପରି ପରିସ୍ଥିତିରେ ବିଶ୍ୱର ଏହି ସବୁଠାରୁ ଲୋକପ୍ରିୟ ଓ ଧନଶାଳୀ କ୍ରିକେଟ ଲିଗ୍‍ର ଆୟୋଜକ ବିସିସିଆଇର ଚିନ୍ତା ବଢ଼ିବାରେ ଲାଗିଛି। ତେବେ କୌଣସି ନିଷ୍ପତ୍ତି ନେବା ସ୍ଥିତିରେ ଆଇପିଏଲ୍‍ର ଆୟୋଜକ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନାହିଁ। ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଆଇପିଏଲ୍‍ର ୧୩ଶ ସଂସ୍କରଣ ଆୟୋଜନ ପାଇଁ ବିସିସିଆଇ ଯେଉଁ ଆଶାବାନ୍ଧି ବସିଥିଲା; ତାହା ଏବେ ମଉଳିଯିବାରେ ଲାଗିଛି।

prayash

ଚଳିତବର୍ଷ ଆଇପିଏଲ୍‍ ଆୟୋଜନ ହେବ କି ନାହିଁ; ତା’ର ସମ୍ପୂର୍ଣ୍ଣ ନିଷ୍ପତ୍ତି ଭାରତ ସରକାରଙ୍କ ଉପରେ ନିର୍ଭର କରିବ। ରବିବାର ବିସିସିଆଇ ଘୋଷଣା କରିଛି ଯେ ଆଇପିଏଲ୍‍ ଆୟୋଜନ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହା ଭାରତ ସରକାରଙ୍କ ନିର୍ଦେଶକୁ ଅପେକ୍ଷା କରିବ। ବର୍ତ୍ତମାନ ସୁଦ୍ଧା ଆଇପିଏଲ୍‍ ଏପ୍ରିଲ ୧୫ ପର୍ୟ୍ୟନ୍ତ ସ୍ଥଗିତ ରହିଛି। ଏହି ଅବଧି ପୂରଣ ହେବାକୁ ଯାଉଥିବା ବେଳେ ଆଗକୁ କିଛି ନିଷ୍ପତ୍ତି ନେବା ପୂର୍ବରୁ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ଆଇପିଏଲ୍‍ର ୧୩ଶ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭହେବ ବୋଲି ପୂର୍ବରୁ ଘୋଷଣା କରା ଯାଇଥିଲା। ତେବେ ମାର୍ଚ୍ଚରୁ ଦେଶରେ କରୋନା ସଂକ୍ରମଣର ମାତ୍ରା ବଢ଼ିବା ଯୋଗୁଁ ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ଏପ୍ରିଲ ୧୫ ପର୍ୟ୍ୟନ୍ତ ସ୍ଥଗିତ ରଖିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରାଦେଶରେ ଏବେ ଲକ୍‍ଡାଉନ୍‍ ଚାଲିଛି। ଏହାସତ୍ତ୍ବେ ଦେଶରେ ଏହି ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟାରେ ମଧ୍ୟ ବୃଦ୍ଧିଘଟିଛି। ଏପ୍ରିଲ ୨ୟ ସପ୍ତାହରୁ ଏହା ବହୁତ ବଢ଼ିଯାଇଛି। ଏପରି ପରିସ୍ଥିତିରେ ଦେଶରେ ଲକ୍‍ଡାଉନ ଅବଧି ଆଉ ୨/୩ ସପ୍ତାହ ବଢ଼ିବା ନିଶ୍ଚିତ ହୋଇଯାଇଛି। ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲକ୍‍ହାଉନ୍‍ର ଅବଧିକୁ ଏପ୍ରିଲ ୩୦ ପର୍ୟ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହାପରେ କିଛି ରାଜ୍ୟ ମେ’ ୧ ପର୍ୟ୍ୟନ୍ତ ଳକ୍‍ଡାଉନ ଅବଧି ବଢ଼ାଇ ଦେଇଛନ୍ତି। ଦିନେ/ଦୁଇଦିନ ମଧ୍ୟରେ ଲକ୍‍ଡାଉନ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଆସିପାରେ। ତେବେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଏପ୍ରିଲରେ ଆଇପିଏଲ୍‍ ଆୟୋଜନ ଅସମ୍ଭବ।

Comments are closed.