Patra electronics

ଆଇପିଏଲ୍‌: ଦିଲ୍ଲୀକୁ ହରାଇଲା ଗୁଜରାଟ

ପୁଣେ: ଚଳିତ ଆଇପିଏଲ୍‌ରେ ଶନିବାର ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ଗୁଜରାଟ ଟାଇଟାନ୍‌ସ। ସମସ୍ତ ବିଭାଗରେ ଉନ୍ନତ ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍‌ସକୁ ୧୪ ରନ୍‌ରେ ଗୁଜରାଟ ପରାସ୍ତ କରିଛି। ଓପ୍‌ନର ଶୁବ୍‌ମାନ ଗିଲ୍‌ଙ୍କ ଦର୍ଶନୀୟ ୮୪ ରନ୍‌ର ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଗୁଜରାଟ ୬ ୱିକେଟରେ ୧୭୧ ରନ୍‌ କରିଥିଲା। ପରେ ଋଷଭ ପନ୍ତ୍‌ଙ୍କ ୪୩ ରନ୍‌ ସତ୍ତ୍ବେ ଲୋକି ଫର୍ଗୁସନ୍‌ଙ୍କ ୪ ୱିକେଟ ଦଖଲ ଯୋଗୁଁ ଦିଲ୍ଲୀ ୨୦ ଓଭର ଶେଷରେ ୯ ୱିକେଟରେ ୧୫୭ ରନ୍‌ କରି ପାରିଥିଲା। ଏହାସହ ଗୁଜରାଟ ଟାଇଟାନ୍‌ସ କ୍ରମାଗତ ୨ୟ ବିଜୟ ହାସଲ କରିଥିବା ବେଳେ ଦିଲ୍ଲୀ ୨ୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି।

୧୭୨ ରନ୍‌ ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ୫ମ ଓଭରରେ ମାତ୍ର ୩୪ ରନ୍‌ ସ୍କୋର୍‌ରେ ଦିଲ୍ଲୀ ୩ଟି ୱିକେଟ ହରାଇଥିଲା। ପୃଥ୍ବୀ ସ’ ପୁଣି ବିଫଳ ହୋଇ ୧୦ ରନ୍‌କରି ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡର ଓପ୍‌ନର ଟିମ୍ ସୈଫର୍ଟ ୩ ରନ୍‌ କରିଥିଲେ। ମନଦୀପ ସିଂହ ୧୬ ବଲ୍‌ରୁ ୪ଟି ଚୌକା ସହ ୧୮ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଅଧିନାୟକ ଋଷଭ ପନ୍ତ୍ ଓ ଲଳିତ ଯାଦବ ୪ର୍ଥ ୱିକେଟ ପାଇଁ ୬୧ ରନ୍‌ ଯୋଡ଼ିଥିଲେ। ଲଳିତ ଯାଦବ ୨୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୫ ରନ୍‌କରି ରନ୍‌ଆଉଟ ହୋଇଥିଲେ। ଋଷଭ ପନ୍ତ୍ ଲଢ଼ୁଆ ବ୍ୟାଟିଂକରି ୨୯ ବଲ୍‌ରୁ ୭ଟି ଚୌକା ସହ ୪୩ ରନ୍‌କରି ଆଉଟ୍‌ ହେବା ଦିଲ୍ଲୀ ପାଇଁ ଶକ୍ତ ଧକ୍କା ଥିଲା। ଅକ୍ଷର ପଟେଲ ୨ଟି ଚୌକା ସହ ୮ ରନ୍‌କରି ଏବଂ ସାର୍ଦୁଳ ଠାକୁର ୨ ରନ୍‌କରି ଆଉଟ ହୋଇଥିଲେ। ରୋଭ୍‌ମ୍ୟାନ୍ ପୱେଲ ୧୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୦ ରନ୍‌ କରିଥିଲେ ଏବଂ ସେ ଆଉଟହେବା ପରେ ଦିଲ୍ଲୀର ବିଜୟ ଆଶା ମଉଳି ଯାଇଥିଲା। ଲୋକି ଫର୍ଗୁସନ୍ ୪ଟି ଓ ମହମ୍ମଦ ସାମି ୨ଟି ୱିକେଟ ନେଇଥିଲେ। ବୋଲିଂ ସଫଳତା ପାଇଁ ଲୋକି ଫର୍ଗୁସନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍‌ସ ଫିଲ୍‌ଡିଂ ନେବା ପରେ ଗୁଜରାଟ ଟାଇଟାନ୍‌ସର ଓପ୍‌ନର ମାଥ୍ୟୁ ୱେଡ୍‌ (୧) ପ୍ରଥମ ଓଭରରେ ଆଉଟ ହୋଇଥିଲେ। ପାୱରପ୍ଲେ ଶେଷରେ ସ୍କୋର୍ ୪୪ ରନ୍‌ ଥିବା ବେଳେ ବିଜୟ ଶଙ୍କର ୧୩ ରନ୍‌କରି ଆଉଟ ହୋଇଥିଲେ। ଶୁବ୍‌ମାନ ଗିଲ୍‌ ଓ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ୩ୟ ୱିକେଟ ଭାଗିଦାରୀ ଗୁଜରାଟ ପାଇଁ ବେଶ୍‌ ଫଳପ୍ରସୂ ହୋଇଥିଲା। ଦୁହେଁ ୮ ଓଭରରେ ୫୫ ରନ୍‌ ଯୋଡ଼ିଥିଲେ। ଏହି ଭାଗିଦାରୀରେ ଶୁବ୍‌ମାନ ପ୍ରାଧାନ୍ୟ ବିସ୍ତାର କରିଥିଲେ। ହାର୍ଦିକ ୨୭ ବଲ୍‌ରୁ ୪ଟି ଚୌକା ସହ ୩୧ ରନ୍‌କରି ଆଉଟ ହୋଇଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ଶୁବ୍‌ମାନ ଗିଲ୍‌ ୧୬ ରନ୍‌ ପାଇଁ ଏଥିରୁ ବଞ୍ଚିତ ହୋଇଥିଲେ। ଗିଲ୍‌ ଦର୍ଶନୀୟ ବ୍ୟାଟିଂକରି ୪୬ ବଲ୍‌ରୁ ୪ଟି ଛକା ଓ ୬ଟି ଚୌକା ସହ ୮୪ ରନ୍‌ କରିଥିଲେ। ରାହୁଲ ତିୱତିଆ ୮ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍‌ କରିଥିଲେ। ଡେଭିଡ୍‌ ମିଲର ୧୫ ବଲ୍‌ରୁ ୨ଟି ଚୌକା ସହ ୨୦ ରନ୍‌କରି ଅପରାଜିତ ଥିଲେ। ମୁସ୍ତାଫିଜୁର ରେହ୍‌ମାନ ୩ଟି ଓ ଖଲିଲ ଅହମ୍ମଦ ୨ଟି ୱିକେଟ ନେଇଥିଲେ।

Comments are closed.