୩୩ ରନ୍‌ରେ ଗୁଜରାଟକୁ ହରାଇଲା ଲକ୍ଷ୍ନୌ

ସମାଜ: ଯୁବ ପେସ୍ ବୋଲର ୟଶ୍‌ ଠାକୁର ୫ଟି ଏବଂ ବାମହାତି ସ୍ପିନର କ୍ରୁନାଲ ପାଣ୍ଡ୍ୟା ୩ଟି ୱିକେଟ ନେବାରୁ ରବିବାର ସନ୍ଧ୍ୟାର ଆଇପିଏଲ୍‌ ମ୍ୟାଚ୍‌ରେ ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ। ପୂର୍ବତନ ଚମ୍ପିଆନ୍ ଗୁଜରାଟ ଟାଇଟାନ୍‌ସକୁ ୩୩ ରନ୍‌ରେ ଲକ୍ଷ୍ନୌ ପରାସ୍ତ କରିଛି। ମାର୍କସ ଷ୍ଟଇନିସ୍‌ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୫ ୱିକେଟରେ ୧୬୩ ରନ୍‌ କରିଥିଲା। ପରେ ସାଇ ସୁଦର୍ଶନଙ୍କ ୩୧ ରନ୍‌ ସତ୍ତ୍ବେ ଗୁଜରାଟ ୧୮.୫ ଓଭରରେ ୧୩୦ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ହ୍ୟାଟ୍ରିକ୍‌ ବିଜୟ ପରେ ୪ଟି ମ୍ୟାଚ୍‌ରୁ ୬ ପଏଣ୍ଟ ପାଇ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୩ୟ ସ୍ଥାନକୁ ଉଠିପାରିଛି। ଗୁଜରାଟ ଟାଇଟାନ୍‌ସ ୫ମ ମ୍ୟାଚ୍‌ରେ ୩ୟ ପରାଜୟ ଭୋଗିଛି।

୧୬୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟାନ୍‌ସର ଓପ୍‌ନର ୬ ଓଭରର ପାୱରପ୍ଲେରେ ୫୪ ରନ୍‌ କରିଥିଲେ। ତେବେ ଗୁଜରାଟ ପରବର୍ତ୍ତୀ ୭ ରନ୍‌ରେ ୪ଟି ୱିକେଟ୍‌ ହରାଇ ପଛଘୁଞ୍ଚା ଦେଇଥିଲା। ଅଧିନାୟକ ଶୁବ୍‌ମାନ ଗିଲ୍‌ ଧିମା ବ୍ୟାଟିଂକରି ୨୧ ବଲ୍‌ରୁ ୨ଟି ଚୌକା ସହ ୨୧ ରନ୍‌କରି ବିଦାୟ ନେଇଥିଲେ। ତେବେ ଅନ୍ୟ ଓପ୍‌ନର ସାଇ ସୁଦର୍ଶନ ଚମତ୍କାର ବ୍ୟାଟିଂ କରିଥିଲେ। କେନ୍‌ ୱିଲିୟମ୍‌ସନ ୧ ରନ୍‌କରି ବିଦାୟ ନେଇଥିଲେ। ବାମହାତି ସୁଦର୍ଶନ ୨୩ ବଲ୍‌ରୁ ୪ଟି ଚୌକା ସହ ୩୧ ରନ୍‌କରି ଆଉଟ୍‌ ହୋଇଥିଲେ। କର୍ଣ୍ଣାଟକର ୱିକେଟ ରକ୍ଷକ ବି.ଏସ୍. ଶରତ ୨ ରନ୍‌କରି ବିଦାୟ ନେଇଥିଲେ। କ୍ରୁନାଲ ପାଣ୍ଡ୍ୟା ୩ଟି ୱିକେଟ ନେଇ ଗୁଜରାଟର ମଧ୍ୟକ୍ରମକୁ ଧ୍ବସ୍ତ କରିଥିଲେ। ଗୁଜରାଟର ୫ମ ୱିକେଟ ୮୦ ରନ୍‌ରେ ପଡ଼ିଥିଲା। ଦର୍ଶନ ନାଲ୍‌କାଣ୍ଡେ ୧୨ ରନ୍‌କରି ବିଦାୟ ନେଇଥିଲେ। ଶେଷ ୬ ଓଭରରୁ ଗୁଜରାଟ ୭୨ ରନ୍‌ ଆବଶ୍ୟକ କରୁଥିଲା। ବିଜୟ ଶଙ୍କର ତାଙ୍କ ଖରାପ ଫର୍ମ ଜାରିରଖି ୧୭ ବଲ୍‌ରୁ ଗୋଟିଏ ଛକା ସହ ୧୭ ରନ୍‌କରି ଆଉଟ୍‌ ହୋଇଥିଲେ। ରସିଦ୍‌ ଖାଁ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ୩୭ ରନ୍‌ରେ ଗୁଜରାଟ ଶେଷ ୫ଟି ୱିକେଟ ହରାଇ ୧୩୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଶେଷ ପର୍ଯ୍ୟନ୍ତ ଏକା ଲଢ଼ିଥିବା ରାହୁଲ ତିୱତିଆ ୨୫ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୦ ରନ୍‌କରି ଆଉଟ୍‌ ହୋଇଥିଲେ। ଯଶ ଠାକୁର ୩୦ ରନ୍‌ଦେଇ ୫ଟି ୱିକେଟ ନେଇଥିଲେ। ଏହା ଠାକୁରଙ୍କ ଶ୍ରେଷ୍ଠ ଟ୍ବେଣ୍ଟି୨୦ ବୋଲିଂ ପ୍ରଦର୍ଶନ। କ୍ରୁନାଲ ପାଣ୍ଡ୍ୟା ୪ ଓଭରରୁ ମାତ୍ର ୧୧ ରନ୍‌ଦେଇ ୩ଟି ୱିକେଟ୍ ନେଇଥିଲେ। ଲକ୍ଷ୍ନୌର ପେସ୍‌ ବିସ୍ମୟ ମୟଙ୍କ ଯାଦବ ମାତ୍ର ୧ ଓଭର ବୋଲିଂକରି ଆହତ ହୋଇ ପାଭଲିଅନ୍‌କୁ ଫେରି ଯାଇଥିଲେ। ୫ଟି ୱିକେଟ ନେଇଥିବା ୟଶ ଠାକୁର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଟସ୍ ଜିତି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଗୁଜରାଟ ଟାଇଟାନ୍‌ସର ବୋଲର ସଠିକ୍‌ ବୋଲିଂକରି ଲକ୍ଷ୍ନୌକୁ ବଡ଼ ସ୍କୋର୍‌ କରିବାକୁ ଦେଇନଥିଲେ। ୧୮ ରନ୍‌ରେ ଲକ୍ଷ୍ନୌ ୨ ପ୍ରମୁଖ ୱିକେଟ୍‌ ହରାଇଥିଲା। ଗତ ୨ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା କ୍ବିଣ୍ଟନ୍ ଡି କକ୍‌ ଗୋଟିଏ ଛକାମାରି ବିଦାୟ ନେଇଥିଲେ। କ୍ରମାଗତ ୪ର୍ଥ ମ୍ୟାଚ୍‌ରେ ଦେବଦତ୍ତ ପାଡିକଲ ଦୁଇଅଙ୍କ ସ୍କୋର୍‌ରେ ପହଞ୍ଚି ନ ପାରି ୭ ରନ୍‌ କରି ବିଦାୟ ନେଇଥିଲେ। ୩ୟ ୱିକେଟ ପାଇଁ କେ.ଏଲ୍‌. ରାହୁଲ ଓ ମାର୍କସ ଷ୍ଟଇନିସ୍‌ ୬୨ ବଲ୍‌ରୁ ୭୩ ରନ୍‌ ଯୋଡ଼ିଥିଲେ। ରାହୁଲ ଧିମା ବ୍ୟାଟିଂକରି ୩୧ ବଲ୍‌ରୁ ୩ଟି ଚୌକା ସହ ୩୩ ରନ୍‌କରି ବିଦାୟ ନେଇଥିଲେ। ୪୦ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ଅଷ୍ଟ୍ରେଲୀୟ ମାର୍କସ ଷ୍ଟଇନିସ୍‌ ୪୩ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୫୮ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ନିକୋଲାସ୍ ପୁରନ୍ ଓ ଆୟୁଷ ବଦୋନି ୫ମ ୱିକେଟ ପାଇଁ ଦ୍ରୁତ ୩୧ ରନ୍‌ ଯୋଡ଼ିଥିଲେ। ବଦୋନି ୧୧ ବଲ୍‌ରୁ ୩ଟି ଚୌକା ସହ ୨୦ ରନ୍‌ କରିଥିଲେ। ନିକୋଲାସ୍‌ ପୁରନ୍‌ ୨୨ ବଲ୍‌ରୁ ୩ଟି ଛକା ସହ ୩୨ ରନ୍‌କରି ଅପରାଜିତ ଥିଲେ। ଉମେଶ ଯାଦବ ଓ ଦର୍ଶନ ନାଲ୍‌କାଣ୍ଡେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

Comments are closed.