୭ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍‌ସ

ନୂଆଦିଲ୍ଲୀ: ଫିଲ୍‌ ସଲ୍‌ଟଙ୍କ ବିସ୍ଫୋରକ ୮୭ ରନ୍‌ ବଳରେ ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ଶନିବାର ବିଜୟୀ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ଦଳକୁ ୭ ୱିକେଟରେ ଦିଲ୍ଲୀ ଏକତରଫା ଭାବେ ପରାସ୍ତ କରିଛି। ବିରାଟ କୋହଲି ଓ ମହିପାଳ ଲୋମରୋର୍‌ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୪ ୱିକେଟ ହରାଇ ୧୮୧ ରନ୍‌ କରିଥିଲା। ପରେ ସଲ୍‌ଟଙ୍କ ଅପରାଜିତ ଅର୍ଦ୍ଧଶତକ ସହ କିଛି ଉପଯୋଗୀ ଯୋଗଦାନ ବଳରେ ୨୦ଟି ବଲ୍ ବାକିଥାଇ ୩ ୱିକେଟ ହରାଇ ଦିଲ୍ଲୀ ଜିତି ନେଇଥିଲା। ୧୦ମ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ଦିଲ୍ଲୀ କ୍ୟାପିଟାଲ୍‌ସ ୯ମ ସ୍ଥାନକୁ ଉଠିଛି। ଆର୍‌ସିବି ୧୦ମ ମ୍ୟାଚ୍‌ରେ ୫ମ ପରାଜୟ ଭୋଗିଛି।

ଦିଲ୍ଲୀ କ୍ୟାପିଟାଲ୍‌ସ ଦୃଢ଼ତାର ସହ ୧୮୨ ରନ୍‌ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଏହାର ଓପ୍‌ନିଂ ଯୋଡ଼ି ଡେଭିଡ୍‌ ୱାର୍ଣ୍ଣର ଓ ଫିଲ୍‌ ସଲ୍‌ଟ ୫ ଓଭରରେ ୬୦ ରନ୍‌ କରିଥିଲେ। ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ୧୪ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୨ ରନ୍‌କରି ଆଉଟ୍‌ ହୋଇଥିଲେ। ଇଂଲଣ୍ଡର ଫିଲ୍‌ ସଲ୍‌ଟ ଓ ଅଷ୍ଟ୍ରେଲୀୟ ମିଚେଲ ମାର୍ଶ ସ୍କୋର୍‌କୁ ଆଗେଇ ନେଇଥିଲେ। ୨୮ ବଲ୍‌ରୁ ସଲ୍‌ଟ ଅର୍ଦ୍ଧଶତକ ପୂରଣ କରିଥିଲେ। ୨ୟ ୱିକେଟ ପାଇଁ ସଲ୍‌ଟ ଓ ମାର୍ଶ ଦ୍ରୁତ ୫୯ ରନ୍‌ ଯୋଡ଼ିଥିଲେ। ମିଚେଲ ମାର୍ଶ ୧୭ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୬ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଦୁଇ ବିଦେଶୀ ଖେଳାଳି ଫିଲ୍‌ ସଲ୍‌ଟ ଓ ରାଇଲି ରୁସୌ ଆକ୍ରମଣ କରି ୩ୟ ୱିକେଟ ପାଇଁ ୫ ଓଭରରୁ ୫୨ ରନ୍‌ ଯୋଡ଼ିଥିଲେ। ସଲ୍‌ଟ ୪୫ ବଲ୍‌ରୁ ୬ଟି ଛକା ଓ ୮ଟି ଚୌକା ସହ ୮୭ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକାର ରୁସୌ ଓ ଅକ୍ଷର ପଟେଲ ଦିଲ୍ଲୀକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଅକ୍ଷର ୩ ବଲ୍‌ରୁ ୮ ଏବଂ ରାଇଲି ରୁସୌ ୨୨ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୫ ରନ୍‌କରି ଅପରାଜିତ ଥିଲେ।
ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ କରିଥିଲା। ଦଳର ଦୁଇ ସଫଳ ଓପ୍‌ନର ବିରାଟ କୋହଲି ଓ ଅଧିନାୟକ ଫାଫ୍ ଡୁ ପ୍ଲେସି ୮୨ ରନ୍‌ର ଓପ୍‌ନିଂ ଭାଗିଦାରୀ କରିଥିଲେ। କୋହଲି ଜଗିରଖି ଖେଳିଥିବା ବେଳେ ଡୁ ପ୍ଲେସି ଆକ୍ରମଣ କରିଥିଲେ। ଦକ୍ଷିଣ ଆଫ୍ରିକାର ଭେଟେରାନ୍ ଡୁ ପ୍ଲେସି ୩୨ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୫ ରନ୍‌କରି ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ଗ୍ଲେନ୍‌ ମ୍ୟାକ୍ସୱେଲ (୦) ବିଦାୟ ନେଇଥିଲେ। ୮୨ ରନ୍‌ରେ ୨ଟି ୱିକେଟ ପଡ଼ିବା ପରେ ବିରାଟ କୋହଲି ଓ ମହିପାଳ ଲୋମରୋର୍‌ ଦ୍ରୁତ ୫୫ ରନ୍‌ ଯୋଡ଼ିଥିଲେ। ୧୬ଶ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିବା କୋହଲି ୪୬ ବଲ୍‌ରୁ ୫ଟି ଚୌକା ସହ ୫୫ ରନ୍‌ କରିଥିଲେ। ଚଳିତ ଆଇପିଏଲ୍‌ରେ ଏହା କୋହଲିଙ୍କ ୬ଷ୍ଠ ଅର୍ଦ୍ଧଶତକ। ଲୋମରୋର୍‌ଙ୍କ ପ୍ରହାର ଯୋଗୁଁ ଆର୍‌ସିବି ଶେଷ ୪ ଓଭରରୁ ୪୪ ରନ୍‌ କରି ପାରିଥିଲା। ଦିନେଶ କାର୍ତ୍ତିକ ୯ ବଲ୍‌ରୁ ୧୧ ରନ୍‌ କରିଥିଲେ। ମହିପାଳ ଲୋମରୋର୍‌ ୨୯ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ୫୪ ରନ୍‌କରି ଅପରାଜିତ ଥିଲେ। ମିଚେଲ ମାର୍ଶ ୨ଟି ୱିକେଟ ନେଇଥିଲେ।

Comments are closed.