ଦିଲ୍ଲୀକୁ ହରାଇ ପ୍ଲେଅଫ୍ ଆଶାରେ ମୁମ୍ବଇ

0

ନୂଆଦିଲ୍ଲୀ : ଗତବର୍ଷର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସକୁ ଟାଇଟଲ ବଜାୟ ରଖିବାକୁ ହେଲେ ପ୍ରଥମେ ପ୍ଲେଅଫ୍‍ରେ ସ୍ଥାନ ନିଶ୍ଚିତ କରିବାକୁ ପଡ଼ିବ। ଏଥିପାଇଁ ମୁମ୍ବଇକୁ ରବିବାର ତା’ର ଅନ୍ତିମ ଲିଗ୍‍ ମ୍ୟାଚ୍‍ରେ ଦିଲ୍ଲୀ ଡେୟାରଡେଭିଲ୍‍କୁ ନିଶ୍ଚୟ ପରାସ୍ତ କରିବାକୁ ପଡ଼ିବ। ମୁମ୍ବଇର ନେଟ୍‍ ରନ୍‍ରେଟ୍‍ ଅଧିକ (୦.୩୮୪) ଥିବାରୁ ଏହା ସୁବିଧାଜନକ ସ୍ଥିତିରେ ରହିଛି। କେବଳ ବିଜୟ ହିଁ ମୁମ୍ବଇକୁ ପ୍ଲେଅଫ୍‍ରେ ପହଞ୍ଚାଇପାରେ। ତେବେ ପରାଜୟ ଏହା ପାଇଁ ବିଦାୟର ଦ୍ୱାର ପାଲଟିପାରେ।

୧୦ ଦିନ ତଳୁ ପ୍ରଥମ ଦଳ ଭାବେ ଦିଲ୍ଲୀ ଡେୟାରଡେଭିଲ୍‍ସ ପ୍ଲେଅଫ୍‍ ଦୌଡ଼ରୁ ବାଦ୍‍ ପଡ଼ିସାରିଛି। ୧୩ଟିରୁ ୯ଟି ମ୍ୟାଚ୍‍ ହାରି ଦିଲ୍ଲୀ ଶେଷସ୍ଥାନରେ ରହିଛି। ତେଣୁ ଅନ୍ତିମ ମ୍ୟାଚ୍‍ ଜିତି ମୁଣ୍ଡ ଉଚ୍ଚାକରି ଆଇପିଏଲ୍‍-୧୧ରୁ ବିଦାୟ ନେବାକୁ ଦିଲ୍ଲୀ ଆଶାରଖିଛି। ପ୍ଲେଅଫ୍‍ ଚାପ ନଥିବାରୁ ଦିଲ୍ଲୀ ନିର୍ଦୟ କ୍ରିକେଟ ଖେଳିବ; ଯାହା ମୁମ୍ବଇ ପାଇଁ ମାରାତ୍ମକ ହୋଇପାରେ। ଯେପରି ଶୁକ୍ରବାର ଚେନ୍ନଇ ସୁପର କିଙ୍ଗ୍‍ସକୁ ୩୪ ରନ୍‍ରେ ଦିଲ୍ଲୀ ପରାସ୍ତ କରିଥିଲା। ଋଷଭ ପନ୍ତ୍‍, ବିଜୟ ଶଙ୍କର ଓ ହର୍ଷଲ ପଟେଲ ଲଢ଼ୁଆ ଇନିଂସ ଖେଳିଥିବା ବେଳେ ଟ୍ରେଣ୍ଟ ବୋଲ୍‍ଟ ଓ ଅମିତ ମିଶ୍ର ୨ଟି ଲେଖାଏଁ ୱିକେଟ ପାଇଥିଲେ। ଏପରି ସ୍ଥିତିରେ ଦିଲ୍ଲୀ ପୁଣି ଏକ ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ରହିଛି। ମୁମ୍ବଇ ଇଣ୍ଡିଆନ୍‍ସ କେବଳ ଦିଲ୍ଲୀକୁ ପରାସ୍ତ କରିବାକୁ ଚାହିଁବ ନାହିଁ; ଏହା ଆଶାରଖିବ ଯେ କଲକାତା ନାଇଟ ରାଇଡର୍ସକୁ ସନ୍‍ରାଇଜର୍ସ ହାଇଦରାବାଦ ପରାସ୍ତକରୁ। କଲକାତା ଜିତିଲେ ବି ମୁମ୍ବଇ ପ୍ଲେଅଫ୍‍ରେ ପହଞ୍ଚିପାରେ। କାରଣ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତକରି ମୁମ୍ବଇର କାମ ସହଜ କରିଦେଇଛି ରାଜସ୍ଥାନ। ନେଟ୍‍ ରନ୍‍ରେଟ୍‍ରେ ରାଜସ୍ଥାନ ପଛୁଆ ଥିବାରୁ ମୁମ୍ବଇ ସୁବିଧାଜନକ ସ୍ଥିତିରେ ରହିଛି। ୫୦୦ ରନ୍‍ କରିଥିବା ଓପ୍‍ନର ସୂର୍ଯ୍ୟକୁମାର ଯାଦବ ଏକମାତ୍ର ବ୍ୟାଟ୍‍ସମ୍ୟାନ୍‍ ଭାବେ ନିୟମିତ ଭଲ ପ୍ରଦର୍ଶନ କରିଛନ୍ତି। ପୁଣି ୱେଷ୍ଟଇଣ୍ଡିଆନ୍‍ ଓପ୍‍ନର ଏଭିନ୍‍ ଲୁଇସ୍‍ ୩୩୪ ରନ୍‍ କରିଛି। ମୁମ୍ବଇ ପାଇଁ ଚିନ୍ତାର କାରଣ ପାଲଟିଛି ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟିଂ ଫର୍ମ। ତେବେ କୈରନ୍‍ ପୋଲାର୍ଡ ଦଳକୁ ଫେରି ଅର୍ଦ୍ଧଶତକ ମାରି ଦଳକୁ ଜିତାଇବା ମୁମ୍ବଇକୁ ଉତ୍ସାହିତ କରିଛି। ଦୁଇ ପାଣ୍ଡ୍ୟା ଭ୍ରାତା ହାର୍ଦିକ ଓ କ୍ରୁନାଲ ଅଲ୍‍୍‍ରାଉଣ୍ଡର ସଫଳତା ହାସଲ କରିଛନ୍ତି। ବୋଲିଂରେ ଯଶ୍‍ପ୍ରୀତ ବୁମ୍‍ରା ଚମ୍ପିଆନ୍‍ଙ୍କ ପରି ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ୍‍ରେ ମୁମ୍ବଇ ଫେଭରିଟ ନିଶ୍ଚୟ। ହେଲେ ଚକ୍‍ମା ଦେବାର କ୍ଷମତା ଦିଲ୍ଲୀ ଡେୟାରଡେଭିଲ୍‍ସର ଅଛି।

Leave A Reply