ଆସନ୍ତା କାଲି ପ୍ରକାଶ ପାଇବ କୁଳଭୂଷଣ ମାମଲାର ରାୟ
ହେଗ : ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ଆସନ୍ତା କାଲି ଅର୍ଥାତ ଜୁଲାଇ ୧୭ରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାରେ ଚୂଡ଼ାନ୍ତ ରାୟ ପ୍ରକାଶ କରିବ । ଏହି ମାମଲା ଉପରେ ସାରା ବିଶ୍ବର ଦୃଷ୍ଟି ରହିଛି ।
ନେଦରଲାଣ୍ଡସ୍ଥିତ ଦ ହେଗ୍ର ପିସ୍ ପ୍ୟାଲେସରେ ଚଳିତ ବର୍ଷ ଫେବୃଆରୀ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ହୋଇଥିଲା । ଉଭୟ ପକ୍ଷର ଯୁକ୍ତି ଓ ଦଲିଲ ଶୁଣିବା ପରେ ଆଇସିଜେ ନିଜ ରାୟ ସଂରକ୍ଷିତ ରଖିଥିଲା।
ଉଲ୍ଲେଖଯୋଗ୍ୟ ଯେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନର ଏକ ସାମରିକ ଅଦାଲତ ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। ଭାରତ ଏହି ରାୟ ବିରୋଧରେ ଆଇସିଜେର ଦ୍ୱାରସ୍ଥ ହେବା ପରେ କୁଳଭୂଷଣଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଯାଇଛି।
Comments are closed.