ଆଠଗଡବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହେଲା

ଆଠଗଡ ନୂଆ ବସଷ୍ଟାଣ୍ଡ ଉଦ୍‌‌ଘାଟିତ

ଆଠଗଡ : ଓଡିଶା ରାଜ୍ୟ ସଡକ ପରିବହନ ନିଗମ ଦ୍ୱାରା ୪କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ସଂପୂର୍ଣ୍ଣ ନବୀକରଣ କରାଯାଇଥିବା ଆଠଗଡ ନୂଆ ବସଷ୍ଟାଣ୍ଡଟି ଗୁରୁବାର ଉଦ୍‌‌ଘାଟିତ ହୋଇଛି। ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟଅତିଥି ଭାବେ ଯୋଗଦେଇ ନବନିର୍ମିତ ବସଷ୍ଟାଣ୍ଡର ଶୁଭ ଉଦ୍‌‌ଘାଟନ କରିଥିଲେ । ବସଷ୍ଟାଣ୍ଡ ପରିସରରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଉଦ୍‌‌ବୋଧନ ଦେଇ ମନ୍ତ୍ରୀ ଉଷା ଦେବୀ ଆଠଗଡର ଏହି ନୂତନ ବସଷ୍ଟାଣ୍ଡଟି ଲୋକାର୍ପିତ ହେବା ଦ୍ୱାରା ଆଠଗଡବାସୀଙ୍କର ଦୀର୍ଘ ଦିନର ଦାବି ପୂରଣ ହେବା ସହ ସ୍ୱପ୍ନ ସାକାର ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ନୂତନ ବସଷ୍ଟାଣ୍ଡ ଲୋକାର୍ପିତ ହେବା ଦ୍ୱାରା ଏହି ଉପଖଣ୍ଡର ନରସିଂହପୁର, ବଡମ୍ବା, ତିଗିରିଆ ଓ ଆଠଗଡ ବ୍ଲକ ତଥା ଏନଏସିର ଜନସାଧାରଣ ଯାତାୟତ ଲାଗି ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିବା ସହ ରାଜ୍ୟ ସରକାର ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ ଓ ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଥିଲେ। ଏଥିରେ ବିଶିଷ୍ଟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଆଠଗଡର ପ୍ରଗତି ଗତିଶୀଳ ହୋଇଛି ଏବଂ ଏହି ନୂତନ ବସଷ୍ଟାଣ୍ଡର ନବକଳେବର ଏହାର ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ। ଆଠଗଡରେ ବହୁ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ଏବଂ ଆହୁରି ଅନେକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ ।

prayash

ଏହି ଅତ୍ୟାଧୁନିକ ନୂତନ ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ରାଜ୍ୟ ସଡକ ପରିବହନ ନିଗମର ସାଧାରଣ ପରିଚାଳକ ବିଶିକେଶନ ଦେହୁରୀ ପ୍ରକାଶ କରିବା ସହ ଏପରି ଉନ୍ନତମାନର ବସଷ୍ଟାଣ୍ଡ ରାଜ୍ୟର ଖୁବ୍‌‌ କ୍ୱଚିତ୍‌‌ ଅଞ୍ଚଳରେ ରହିଛି ବୋଲି କହିଥିଲେ। ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ପୂର୍ତ୍ତବିଭାଗର ଚାରବାଟିଆ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌‌ବୋଧନ ଦେଇଥିଲେ। ବିଶିଷ୍ଟ ବାଗ୍ମୀ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିର ଗବେଷକ ଶରଣାରବିନ୍ଦ ଓଝା ମଞ୍ଚ ସଞ୍ଚାଳନ କରିଥିବାବେଳେ ଏନଏସି ଉପନଗରପାଳ ବି. ଶୁଭ୍ରଶଙ୍କର ଜ୍ୟୋତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଏସଆରଟିସିର ବହୁ ପଦାଧିକାରୀ, ଏନଏସିର ସମସ୍ତ କାଉନସିଲର, ବହୁ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଜିଲ୍ଲାପରିଷଦ ସଦସ୍ୟଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।

ମନ୍ତ୍ରୀଙ୍କୁ କଂଗ୍ରେସର କଳାପତାକା ପ୍ରଦର୍ଶନ

ଆଠଗଡ ନୂଆ ବସଷ୍ଟାଣ୍ଡ ଉଦ୍‌‌ଘାଟନ ପାଇଁ ଆସିଥିବା ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ ଆଠଗଡ ଯୁବ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ଛକଠାରେ କଳା ପତାକା ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ପୁଲିସ ସେମାନଙ୍କୁ ବାରଣ କରିବା ମଧ୍ୟରେ କିଛି ଶାସକ ଦଳୀୟ ସମର୍ଥକ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ଠେଲାପେଲା ଓ ଧସ୍ତାଧସ୍ତି କରିଥିଲେ। ପୂର୍ବତନ ବିଧାୟକ ରସାନନ୍ଦ ସାହୁ ଓଏସଆରଟିସିର ଅଧ୍ୟକ୍ଷ ଥିବାବେଳେ ଏବଂ ଜାନକୀବଲ୍ଲଭ ପଟ୍ଟନାୟକ ଆଠଗଡ ବିଧାୟକ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିବାବଳେ ଏହି ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଇଥିବାରୁ ବସଷ୍ଟାଣ୍ଡଟିକୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାମରେ ନାମିତ କରିବା ଏବଂ ରସାନନ୍ଦ ସାହୁଙ୍କ ନାମ ଫଳକ ନବୀକରଣ କରାଯାଇଥିବା ବସଷ୍ଟାଣ୍ଡରେ ଲଗାଯିବା ପାଇଁ ଯୁବକଂଗ୍ରେସ ପକ୍ଷରୁ ପୂର୍ବରୁ ଦାବି ହୋଇଥିଲା । ଏହି ଦାବି ପୂରଣ ନହେବା ଯୋଗୁଁ  ଉଦ୍‌‌ଘାଟନ ପାଇଁ ଯିବା ସମୟରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଯୁବକଂଗ୍ରେସ ଜିଲ୍ଲା ଉପସଭାପତି ମନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଳାପତାକା ପ୍ରଦର୍ଶନ କରାଯାଇଥିଲା । ପୁଲିସ ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ୩-୪ଜଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପରେ ଛାଡିଦେଇଥିବା ଜଣାପଡିଛି । ଏହାକୁ ନେଇ ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଉମାବଲ୍ଲଭ ରଥ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଗଣତନ୍ତ୍ରରେ ବିରୋଧ ପାଇଁ ଶାନ୍ତିପୂର୍ଣ୍ଣ ଭାବେ କଳାପତାକା ପ୍ରଦର୍ଶନ ଲାଗି ଅଧିକାର ରହିଛି । ତେବେ ଆଠଗଡ ଡିଏସପି ଓ ଅନ୍ୟ ପୁଲିସ ଅଧିକାରୀ ଶାସକ ଦଳର ହାତ ବାରିସୀ ସାଜି ବିରୋଧି ଦଳର ସ୍ୱରକୁ ଚାପିଦେବା ଲାଗି କରିଥିବା ଉଦ୍ୟମ ଗଣତନ୍ତ୍ରର କଣ୍ଠରୋଧ ସହିତ ସମାନ ବୋଲି କହି ଏହାର ତୀବ୍ର ନିନ୍ଦା କରିଛନ୍ତି। ବିଜେଡି ସରକାର ସମୟରେ ଆଠଗଡ ଅଞ୍ଚଳରେ ଯେଉଁଭଳି ଭାବେ ଅପରାଧିକ କାର୍ଯ୍ୟକଳାପ ବଢି ଚାଲିଛି ତାକୁ କାବୁ କରିବା ଲାଗି ପୁଲିସ ଅକ୍ଷମ ଥିବାବେଳେ ଗଣତାନ୍ତ୍ରିକ ଢଙ୍ଗରେ ବିରୋଧ କରୁଥିବା ବିରୋଧି ଦଳର ନେତାଙ୍କୁ ଗୁଣ୍ଡାପରି ଦମନ କରିବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି ଶ୍ରୀ ରଥ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି।

kalyan agarbati

Comments are closed.