ନ୍ୟୁଜିଲାଣ୍ଡରେ ଭାରତୀୟ ଦଳର ନେତୃତ୍ବ ନେବେ ହାର୍ଦିକ, ଧାୱନ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଭାରତୀୟ କ୍ରିକେଟ୍‌ ଦଳ ୩ଟି ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ମ୍ୟାଚ୍‌ର ଶୃଙ୍ଖଳା ଖେଳିବ । ଏହି ୨ଟି ଶୃଙ୍ଖଳା ଲାଗି ଜାତୀୟ ବରିଷ୍ଠ ମନୋନୟନକାରୀ ପୃଥକ୍ ଭାରତୀୟ ଟ୍ବେଣ୍ଟି-୨୦ ଓ ଦିନିକିଆ ଦଳ ଘୋଷଣା କରିଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତରେ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଟ୍ବେଣ୍ଟି-୨୦ ଦଳର ନେତୃତ୍ବ ନେବେ। ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ଶିଖର ଧାୱନ ଦିନିକିଆ ଦଳର ଅଧିନାୟକ ହେବେ। ୱିକେଟ ରକ୍ଷକ ଋଷଭ ପନ୍ତ୍‌ ଉଭୟ ଦଳର ଉପଅଧିନାୟକ ଅଛନ୍ତି। ଫଳରେ ଟି୨୦ ବିଶ୍ବକପରେ ଭାରତର ପ୍ରଥମ ପସନ୍ଦର ୱିକେଟ ରକ୍ଷକ ଦିନେଶ କାର୍ତ୍ତିକ ବାଦ୍‌ ପଡ଼ିଛନ୍ତି । କାର୍ତ୍ତିକଙ୍କ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ଶେଷ ହୋଇଯାଇଛି ବୋଲି ଧରିନେବାକୁ ହେବ।
ଘୋଷିତ ୧୬ ଜଣିଆ ଉଭୟ ଦଳରୁ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍‌. ରାହୁଲ, ରବିଚନ୍ଦ୍ରନ୍‌ ଅଶ୍ବିନ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି। ଯଶପ୍ରୀତ ବୁମ୍‌ରା ଓ ରବୀନ୍ଦ୍ର ଜାଡ଼େଜା ଆହତ ଥିବାରୁ ଦୁହେଁ ନ୍ୟୁଜିଲାଣ୍ଡ ଯିବେନାହିଁ। ଏବେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳୁଥିବା ୮ ଜଣଙ୍କୁ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଦଳରେ ସାମିଲ କରାଯାଇଛି। ଟ୍ବେଣ୍ଟି୨୦ ଦଳରେ ଥିବା ଏକମାତ୍ର ନୂଆ ମୁହଁ ହେ​‌େ​‌ଲ ଶୁବ୍‌ମାନ ଗିଲ୍‌। ଭାରତ ପାଇଁ ଗିଲ୍‌ ଟେଷ୍ଟ ଓ ଦିନିକିଆ ଖେଳିଥିବା ବେଳେ ଟ୍ବେଣ୍ଟି୨୦ ଖେଳିନାହାନ୍ତି। ଗିଲ୍‌ ରାଜସ୍ଥାନ ରୟାଲ୍‌ସ ପାଇଁ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେହିପରି ଦିନିକିଆ ଦଳରେ ଥିବା ନୂଆ ମୁହଁ ହେଲେ ୩ ଫାଷ୍ଟବୋଲର କୁଲଦୀପ ସେନ୍‌, ଉମ୍ରାନ୍ ମଲ୍ଲିକ ଓ ଅର୍ଶଦୀପ ସିଂହ। ଉଭୟ ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଉଭୟ ଧଳା ବଲ୍‌ ଦଳରେ ଅଛନ୍ତି। ଫଳରେ ରବି ବିଷ୍ଣୋଇ ବାଦ୍‌ ପଡ଼ିଛନ୍ତି। ୱାଶିଂଟନ ସୁନ୍ଦର ଉଭୟ ଦଳରେ ଥିବା ବେଳେ ବଙ୍ଗଳାର ଅଲ୍‌ରାଉଣ୍ଡର ଶାହ୍‌ବାଜ ଅହମ୍ମଦ ଦିନିକିଆ ଦଳରେ ଅଛନ୍ତି। ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଫାଇନାଲ ନଭେମ୍ବର ୧୩ରେ ଥିବା ବେଳେ ଏହାର ୫ ଦିନ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ। ଏହି ୩ଟି ଟ୍ବେଣ୍ଟି ନଭେମ୍ବର ୧୮ରେ ୱେଲିଂଟନ, ୨୦ରେ ମାଉଣ୍ଟ ମୌଙ୍ଗାନୁଇ ଓ ୨୨ରେ ନାପିଏର୍‌ରେ ଖେଳାଯିବ। ପରେ ୩ଟି ଦିନିକିଆ ମ୍ୟାଚ୍‌ ନଭେମ୍ବର ୨୫ରେ ଅକ୍‌ଲାଣ୍ଡ, ୨୭ରେ ହାମିଲ୍‌ଟନ ଓ ୩୦ରେ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ।
ଭାରତୀୟ ଟ୍ବେଣ୍ଟି-୨୦ ଦଳ: ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ୍ (ଉପଅଧିନାୟକ/ ୱିକେଟ ରକ୍ଷକ), ଈଶାନ୍ କିଷନ୍‌, ଶୁବ୍‌ମାନ ଗିଲ୍‌, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ସଞ୍ଜୁ ସାମ୍‌ସନ, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଲ ପଟେଲ, ମହମ୍ମଦ ସିରାଜ୍, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ ଓ ଉମ୍ରାନ୍ ମଲ୍ଲିକ।
ଭାରତୀୟ ଦିନିକିଆ ଦଳ: ଶିଖର ଧାୱନ (ଅଧିନାୟକ), ଋଷଭ ପନ୍ତ୍ (ଉପଅଧିନାୟକ/ ୱିକେଟ ରକ୍ଷକ), ଶୁବ୍‌ମାନ ଗିଲ୍‌, ଦୀପକ ହୁଡା, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମ୍‌ସନ, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଶାହ୍‌ବାଜ୍‌ ଅହମ୍ମଦ, ଅର୍ଶଦୀପ ସିଂହ, ଉମ୍ରାନ୍ ମଲ୍ଲିକ, କୁଲଦୀପ ସେନ୍, ସାର୍ଦୁଳ ଠାକୁର ଓ ଦୀପକ ଚହର।

Comments are closed.