mission shakti banner

ସନ୍‌ରାଇଜର୍ସ ବିପକ୍ଷରେ ରାଜସ୍ଥାନର ବିପୁଳ ବିଜୟ

nua o banner

ପୁଣେ: ମଙ୍ଗଳବାର ଆଇପିଏଲ୍‌ର ୪ର୍ଥ ଦିନରେ ବିପୁଳ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍‌ସ। ସନ୍‌ରାଇଜର୍ସ ହାଇଦରାବାଦକୁ ୬୧ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତକରି ରାଜସ୍ଥାନ ତା’ର ଅଭିଯାନ ଆରମ୍ଭ କରିଛି। ଅଧିନାୟକ ସଞ୍ଜୁ ସାମ୍‌ସନଙ୍କ ଅର୍ଦ୍ଧଶତକ ସହ ଆଉ କିଛି ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୬ ୱିକେଟରେ ୨୧୦ ରନ୍‌ କରିଥିଲା। ୩୭ ରନ୍‌ରେ ୫ଟି ୱିକେଟ ହରାଇଥିବା ସନ୍‌ରାଇଜର୍ସ ଶେଷରେ ୭ ୱିକେଟ ହରାଇ ୧୪୯ ରନ୍‌ କରି ପାରିଥିଲା। ସନ୍‌ରାଇଜର୍ସର ଐଡେନ୍ ମାର୍କରାମ ଓ ୱାଶିଂଟନ ସୁନ୍ଦର ଶେଷଆଡ଼କୁ ବେଶ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥ​‌ିଲେ ହେଁ ଏହା ନିଷ୍ଫଳ ହୋଇଥିଲା।
ସନ୍‌ରାଇଜର୍ସ ହାଇଦରାବାଦ ଦୟନୀୟ ଭାବେ ୨୧୧ ରନ୍‌ ବିଶାଳ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ୫ମ ଓଭରରେ ମାତ୍ର ୯ ରନ୍‌ ସ୍କୋର୍‌ରେ ସନ୍‌ରାଇଜର୍ସ ୩ଟି ପ୍ରମୁଖ ୱିକେଟ ହରାଇଥିଲା। ଅଧିନାୟକ କେନ୍‌ ୱିଲିୟମ୍‌ସନ ୨ ରନ୍‌କରି ଆଉଟ ହୋଇଥିବା ବେଳେ ରାହୁଲ ତ୍ରିପାଠୀ ଓ ନିକୋଲାସ୍ ପୁରନ୍‌ ଖାତା ଖୋଲି ପାରିନଥିଲେ। ପରେ ଅଭିଷେକ ଶର୍ମା ୯ ରନ୍‌କରି ବିଦାୟ ନେଇଥିଲେ। ଅବ୍‌ଦୁଲ ସମାଦ୍‌ ୪ ରନ୍‌କରି ବିଦାୟ ନେଇଥିଲେ। ଜିତିବା ପାଇଁ ୫୪ ବଲ୍‌ରୁ ସନ୍‌ରାଇଜର୍ସ ୧୭୧ ରନ୍‌ ଆବଶ୍ୟକ କରୁଥିଲା। ରୋମାରିଓ ସେଫର୍ଡ ଆସି କିଛି ବଡ଼ ସଟ୍‌ ଖେଳି ୧୮ ବଲ୍‌ରୁ ୨ଟି ଛକା ସହ ୨୪ ରନ୍‌ କରିଥିଲେ। ୧୭ଶ ଓଭରରୁ ୱାଶିଂଟନ ସୁନ୍ଦର ୨୪ ରନ୍‌ ମାରିଥିଲେ। ସୁନ୍ଦର ବିସ୍ଫୋରକ ବ୍ୟାଟିଂକରି ୧୪ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୪୦ ରନ୍‌ କରିଥିଲେ। ଅର୍ଦ୍ଧଶତକ ହାସଲ କରିଥିବା ମାର୍କରାମ ୪୧ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୫୭ ରନ୍‌କରି ଅପରାଜିତ ଥିଲେ। ଶେଷ ୪ ଓଭରରୁ ସନ୍‌ରାଇଜର୍ସ ୬୮ ରନ୍‌ ନେଇଥିଲା। ୟୁଜବେନ୍ଦ୍ର ଚହଲ ୩ଟି ଏବଂ ପ୍ରସିଦ୍ଧ କ୍ରିଷ୍ଣା ଓ ଟ୍ରେଣ୍ଟ ବୋଲ୍‌ଟ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଏହି ଦୁଇ ପୂର୍ବତନ ଚମ୍ପିଆନ୍‌ଙ୍କ ମୁକାବିଲାରେ ସନ୍‌ରାଇଜର୍ସ ହାଇଦରାବାଦ ଟସ୍ ଜିତି ଫିଲ୍‌ଡିଂ କରିଥିଲା। ରାଜସ୍ଥାନ ରୟାଲ୍‌ସର ଦୁଇ ଓପ୍‌ନର ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂକରି ୬ ଓଭରର ପାୱରପ୍ଳେରେ ୫୮ ରନ୍‌ କରିଥିଲେ। ଯଶସ୍ବୀ ଜୟସୱାଲ ୧୬ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୦ ରନ୍‌କରି ଆଉଟ ହୋଇଥିଲେ। ଅନ୍ୟ ଓପ୍‌ନର ଜୋସ୍ ବଟ୍‌ଲର ୨୮ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୩୫ ରନ୍‌ କରିଥିଲେ। ପରେ ସଞ୍ଜୁ ସାମ୍‌ସନ୍ ଓ ଦେବଦତ୍ତ ପାଡିକଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଫଳରେ ୯ ଓଭରରେ ୭୮ ରନ୍‌ ହୋଇଥିବା ବେଳେ ଶେଷ ୧୧ ଓଭରରେ ୧୩୨ ରନ୍‌ ହୋଇଥିଲା। ସାମ୍‌ସନ ଓ ପାଡିକଲ ୩ୟ ୱିକେଟ ପାଇଁ ୭ ଓଭରରେ ୭୩ ରନ୍‌ ଯୋଡ଼ିଥିଲେ। ବାମହାତି ପାଡିକଲ ୨୯ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୧ ରନ୍‌କରି ଆଉଟ୍‌ ହୋଇଥିଲେ। ସାମ୍‌ସନ ବିଧ୍ବଂସୀ ବ୍ୟାଟିଂକରି ୨୭ ବଲ୍‌ରୁ ୫ଟି ଛକା ଓ ୩ଟି ଚୌକା ସହ ୫୫ ରନ୍‌ କରିଥିଲେ। ଶେଷଆଡ଼କୁ ସିମ୍ରନ୍ ହେତ୍‌ମେୟର ମାତ୍ର ୧୩ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୨ ରନ୍‌ କରିଥିଲେ। ରିୟାନ୍ ପରାଗ ୧୨ ରନ୍‌ କରିଥିଲେ। ଶେଷ ୩ ଓଭରରୁ ୪୦ ରନ୍‌ ହୋଇଥିଲା। ଉମ୍ରାନ୍ ମାଲିକ୍ ଓ ଟି. ନଟରାଜନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସଞ୍ଜୁ ସାମ୍‌ସନ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.