ନିର୍ବାଚନ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ – ଆଠଗଡ଼ର ୧୫୪, ବଡମ୍ବାର ୧୭୫ ବୁଥରେ ୱେବ୍‌‌ କାଷ୍ଟିଂ

ଆଠଗଡ଼: ରାଜ୍ୟରେ ୩ୟ ପର୍ଯ୍ୟାୟରେ ଆଗାମୀ ମେ ୨୫ତାରିଖରେ ୮୯-ଆଠଗଡ଼ ଓ ୮୭-ବଡମ୍ବା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ ଏବଂ ଏଥିପାଇଁ ଆଠଗଡ଼ରେ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଠଗଡ଼ରେ ୧୦୯୪୪୦ଜଣ ପୁରୁଷ, ୧୦୩୯୮୪ଜଣ ମହିଳା ଓ ୧୦ଜଣ ଅନ୍ୟ ଭୋଟରଙ୍କୁ ମିଶାଇ ମୋଟ ୨୧୩୪୩୪ଜଣ ଭୋଟର ମୋଟ ୨୫୪ବୁଥରେ ମତଦାନ କରିବେ। ସେହିପରି ବଡମ୍ବାର ୧୨୯୧୨୯ଜଣ ପୁରୁଷ, ୧୧୬୮୬୬ଜଣ ମହିଳା ଓ ୨୨ଜଣ ଅନ୍ୟ ଭୋଟରଙ୍କୁ ମିଶାଇ ୨୪୬୦୧୭ଜଣ ଭୋଟର ୨୯୨ଟି ବୁଥରେ ମତଦାନ କରିବେ। ୨ଟି ଯାକ ନିର୍ବାଚନ ମଣ୍ଡଳି ପାଇଁ ନିଯୁକ୍ତ ମତଦାନ କର୍ମଚାରୀ ଆଠଗଡ଼ସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜକୁ ଇଭିଏମ୍‌‌ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଗାଡିରେ ୨୪ତାରିଖ ଦିନ ଏହିଠାରୁ ବୁଥ ଅଭିମୁଖେ ଯିବେ।

୨୫ତାରିଖ ନିର୍ବାଚନ ଶେଷ ହେବା ପରେ ସେମାନେ ଇଭିଏମ୍‌‌ ଓ ଅନ୍ୟାନ୍ୟ ସାମଗ୍ରୀ ଆଣି ଗୋପବନ୍ଧୁ ବିଜ୍ଞାନ କଲେଜରେ ଜମା ଦେବେ। ଆଠଗଡ଼ ନିର୍ବାଚନ ମଣ୍ଡଳୀର ୨୫୪ବୁଥ ମଧ୍ୟରୁ ୧୪ଟି ଅତି ଉତ୍ତେଜନା ପ୍ରବଣ ଓ ୧୦୨ଟି ଉତ୍ତେଜନା ପ୍ରବଣ ଏବଂ ବଡମ୍ବାର ୨୯୨ ବୁଥ ମଧ୍ୟରୁ ୩ଟି ଅତି ଉତ୍ତେଜନା ପ୍ରବଣ ଓ ୧୨୦ଟି ଉତ୍ତେଜନା ପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି। ଏହି ଅତି ଉତ୍ତେଜନା ପ୍ରବଣ ବୁଥଗୁଡିକରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଏବଂ ଉତ୍ତେଜନା ପ୍ରବଣ ବୁଥ ଗୁଡିକରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ସହିତ ରାଜ୍ୟ ସଶସ୍ତ୍ର ପୁଲିସ ବାହିନୀର ଫୋର୍ସ ମୁତୟନ ହେବେ ବୋଲି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ସୁତ୍ରରୁ ପ୍ରକାଶ।

ସେହିପରି ବଡମ୍ବାର ୬୦ ପ୍ରତିଶତ ଅର୍ଥାତ ୧୭୫ଟି ବୁଥ ଏବଂ ଆଠଗଡ଼ର ୧୫୪ଟି ବୁଥ୍‌‌ରେ ୱେବ୍‌‌ କାଷ୍ଟିଂ ଅର୍ଥାତ୍‌‌ ସିସିଟିଭି କ୍ୟାମେରା ମାଧ୍ୟମରେ ଆଠଗଡ଼ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରାଜ୍ୟ ମୁକ୍ତ ନିର୍ବାଚନ ଅଧିକାରୀ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ସିଧାସଳଖ ଦେଖିପାରିବାର ବ୍ୟବସ୍ଥା କରାଯାଇଛି। ଏହି ୱେବ୍‌‌ କାଷ୍ଟିଂ ବୁଥ୍‌‌ ଗୁଡିକର ସଂଖ୍ୟା ହୁଏତ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ଆଠଗଡ଼ରେ ୨୫ଟି ଓ ବଡମ୍ବାରେ ୨୧ଟି ସଖି ବୁଥ, ୨ଟି ଲେଖାଏଁ ଯୁବ ବୁଥ ଓ ଅନ୍ୟ ଆଦର୍ଶ ବୁଥ୍‌‌ ବଡମ୍ବାରେ ୧୦ ଓ ଆଠଗଡ଼ରେ ୯ଟି କରାଯିବା ଲାଗି ଚିହ୍ନଟ ହୋଇଛି। ସଖି ବୁଥରେ ସୁନ୍ଦର ସାଜସଜ୍ଜା ସହିତ କେବଳ ମହିଳା କର୍ମଚାରୀ ମତଦାନ ପରିଚାଳନା କରିବାକୁ ଥିବାବେଳେ ଯୁବ ବୁଥରେ କେବଳ ଯୁବ କର୍ମଚାରୀ ନିର୍ବାଚନ ପରିଚାଳନା କରିବେ ବୋଲି ଜଣାପଡ଼ିଛି। ୨୫ତାରିଖରେ ଉଭୟ ଆଠଗଡ଼ ଓ ବଡମ୍ବା ନିର୍ବାଚନ ମଣ୍ଡଳିରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ଓ ମତଦାନ ପାଇଁ ନିର୍ବାଚନ ଅଧିକାରୀ ଶ୍ରୀ ତରାଇ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

Comments are closed.