ଲଦାଖରେ ସେନାର ସମରାଭ୍ୟାସ

0

ନୂଆଦିଲ୍ଲୀ: ପଡୋଶୀ ଚୀନ ଉପରେ କଡା ନଜର ରଖିବା ଲାଗି ଭାରତ ସେନା ଲଦାଖରେ ସମରାଭ୍ୟାସ କରିଛି। ପୂର୍ବ ଲଦାଖର ଚୁଶୁଲ ନିକଟରେ ସେନା କରିଥିବା ସମରାଭ୍ୟାସରେ ଟ୍ୟାଙ୍କ, ଡ୍ରୋନ, ହେଲିକପ୍ଟର, ଆର୍ଟିଲେରି ଗନ, ସୈନିକମାନେ ସାମିଲ ହୋଇଥିଲା। ବାୟୁସେନା ଯୁଦ୍ଧବିମାନ ଦ୍ବାରା ସୈନିକମାନଙ୍କୁ ଅଣାଯାଇ ଚାଙ୍ଗଥାଙ୍ଗ ଉପତ୍ୟକାରେ ଅବତରଣ କରାଯାଇଥିଲା। ପଶ୍ଚିମ ଓ ଉତ୍ତର ତିବ୍‌ବତର ଚାଙ୍ଗଥାଙ୍ଗ ଉପତ୍ୟକା ଅବସ୍ଥିତ। ସମୁଦ୍ର ପୃଷ୍ଠଠାରୁ ୧୨ହଜାର ଫୁଟ ଉଚ୍ଚରେ ସେନାର ଏପରି ଅଭ୍ୟାସ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ଏହି ସମରାଭ୍ୟାସରେ ନଦର୍ଣ୍ଣ କମାଣ୍ଡର ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ଉପସ୍ଥିତ ରହିଥିଲେ। ନଦର୍ଣ୍ଣ କମାଣ୍ଡ ଚୀନ ସୀମା ଓ ପାକିସ୍ତାନ ସୀମାକୁ ସୁରକ୍ଷା ଦେଇଥାଏ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଉପକରଣ ସହିତ ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବା ଲାଗି ଏପରି ଅଭ୍ୟାସ କରିଥିବା ସିଂହ କହିଛନ୍ତି। ଆସନ୍ତା ମାସରେ ସେନା ଓ ବାୟୁସେନା ମିଳିତ ଭାବେ ‘ହିମ ବିଜୟ’ ନାମରେ ଏକ ସମରାଭ୍ୟାସ କରିବାକୁ ଯାଉଛନ୍ତି। ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ଏହି ସମରାଭ୍ୟାସରେ ଅତ୍ୟାଧୁନିକ ପାର୍ବତ୍ୟ ଯୁଦ୍ଧର କୌଶଳ ପ୍ରଦର୍ଶନ କରାଯିବ। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତରେ ଆସିବା ଅବସରରେ ଏହି ସମରାଭ୍ୟାସ କରାଯିବ।
ଚୀନ ସୀମା ବିବାଦକୁ ନେଇ ବାୟୁସେନା ମଧ୍ୟ ଏହାର ପ୍ରସ୍ତୁତି ଆରମ୍ଭ କରିଛି। ବୁଧବାର ବାୟୁସେନାର ଏଏନ୍‌-୩୨ ହେଲିକପ୍ଟରକୁ ଅରୁଣାଚଳ ପ୍ରଦେଶର ବିଜୟନଗର ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ (ଏଏଲଜି)ରେ ଅବତରଣ କରିଛି। ଏହି ଅଞ୍ଚଳ ସହିତ ସଡକ ପଥର ସଂଯୋଗ ରହିଛି। ସାମରିକ ପରିବହନ ଯୁଦ୍ଧବିମାନକୁ ଏଠାରେ ଅବତରଣ କରାଯିବା ଦ୍ବାରା ଦୁର୍ଗମ ସୀମାନ୍ତ ଅଞ୍ଚଳକୁ ସେନା ପରିବହନ ତ୍ବରାନ୍ବିତ ହୋଇପାରିବ। ବାୟୁସେନା ଅଧିକାରୀଙ୍କ କହିବା ଅନୁଯାୟୀ ବିଜୟନଗର ରନୱେକୁ ପୁନଃନିର୍ମାଣ କରାଯାଇଛି। ପୁନଃନିର୍ମିତ ରନୱେକୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ମୁଖ୍ୟ ଏୟାର ମାର୍ଶାଲ ଆରଡି ମାଥୁର ଓ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅନି ଚୌହ୍ବାନ ଉଦ୍‌ଘାଟନ କରିଥିଲେ।

kalyan agarbati
Leave A Reply