୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ: ଆଫଗାନିସ୍ତାନକୁ ହରାଇଲା ଭାରତ

ଦୁବାଇ: ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି ଭାରତ। ଟସ୍‌ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆଫଗାନିସ୍ତାନକୁ ଆମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ ୫୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୩ ରନ୍‌ କରିଥିଲା। ଜବାବରେ ଭାରତୀୟ ଦଳ ୩୭.୩ ଓଭରରେ ୩ ୱିକେଟ୍‌ ହରାଇ ୧୭୪ ରନ୍‌ କରି ବିଜୟୀ ହୋଇଥିଲା। ଆଫଗାନିସ୍ତାନ ତରଫରୁ ଓପନର୍‌ ଜାମସିଦ୍‌ ଜର୍ଦନା ୪ଟି ଚୌକା ସହାୟତାରେ ୪୩, ତାରାକିଲ୍‌ ୨ଟି ଚୌକା ସହାୟତାରେ ୧୫, ସୋହିଲ ଖାନ୍‌ ୧୨, ଆକ୍ରମ ମହମ୍ମଦଜାଇ ୧ଟି ଚୌକା ସହାୟତାରେ ୨୦, ନୁମାନ ଶାହା ୧ଟି ଚୌକା ସହାୟତାରେ ୨୫, ମହମ୍ମଦ ୟୁନୁସ ୨ଟି ଚୌକା ସହାୟତାରେ ୨୬ ରନ୍ କରିଥିଲେ। ଭାରତୀୟ ବୋଲର ରାଜ୍‌ ଲିମ୍ବାନି ଓ ଆର୍ଶିନ କୁଲକର୍ଣ୍ଣୀ ୩ଟି ଲେଖାଏଁ ୱିକେଟ୍‌ ହାସଲ କରିଥିବା ବେଳେ ନମନ ତୱାରୀ ୨ଟି, ମୁରୁଗାନ ଅଭିଷେକ ଓ ମୁସିର ଖାନ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।

ଜବାବରେ ଭାରତୀୟ ଦଳ ୩ ୱିକେଟ୍‌ ହରାଇ ୧୭୪ ରନ୍‌ କରି ବିଜୟୀ ହୋଇଥିଲା। ଦଳ ତରଫରୁ ଓପନର୍‌ ଆଦର୍ଶ ସିଂହ ଓ ଆର୍ଶିନ କୁଲକର୍ଣ୍ଣୀ ବ୍ୟାଟିଂ ଓପନ୍‌ କରିଥିଲେ। ପ୍ରଥମ ୱିକେଟ୍‌ ନିମନ୍ତେ ଉଭୟ ଓପନର୍‌ ୨୨ ରନ୍‌ ସଂଗ୍ରହ କରିଥିବା ବେଳେ ଆଦର୍ଶ ୩ଟି ଚୌକା ସହାୟତାରେ ୧୪ ରନ୍‌ କରି ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ବ୍ୟାଟସମ୍ୟାନ୍‌ ଗୋଟିଏ ଚୌକା ସହାୟତାରେ ୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଦଳର ସ୍କୋର ୭୬ ରନ୍‌ ହୋଇଥିବା ବେଳେ ଅଧିନାୟକ ଉଦୟ ଶାହାରନ୍‌ ୨ଟି ଚୌକା ସହାୟତାରେ ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ଆର୍ଶିନ ୧୦୫ଟି ବଲ୍‌ରୁ ୪ଟି ଚୌକା ସହାୟତାରେ ୭୦ ଓ ମୁସିର ଖାନ୍‌ ୫୩ଟି ବଲ୍‌ରୁ ୩ଟି ଚୌକା ସହାୟତାରେ ୪୮ ରନ୍‌ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ।

Comments are closed.