ଆୟରଲାଣ୍ଡକୁ ହରାଇ ସେମିରେ ଭାରତ
ମହିଳା ଟି-୨୦ ବିଶ୍ବକପ୍ରେ ବର୍ଷା ; ଡକ୍ୱର୍ଥ-ଲୁଇସ୍ ନିୟମରେ ହେଲା ଫଇସଲା ; ମାନ୍ଧାନାଙ୍କ ବିସ୍ଫୋରକ ୮୭
ଜିକ୍ଵେବେରା (ଦକ୍ଷିଣ ଆଫ୍ରିକା): ଭାରତୀୟ ମହିଳା କ୍ରିକେଟ୍ ଦଳ କ୍ରମାଗତ ୨ୟ ଏବଂ ମୋଟ ୩ୟ ଥର ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ର ସେମିଫାଇନାଲରେ ପ୍ରବେଶ କରିଛି। ସୋମବାର ଆୟରଲାଣ୍ଡକୁ ବର୍ଷା ନିୟମ ଡକ୍ୱର୍ଥ-ଲୁଇସ୍ରେ ୫ ରନ୍ରେ ପରାସ୍ତକରି ଭାରତ ସେମିଫାଇନାଲ ସ୍ଥାନ ପକ୍କା କରିଛି। ହେଲେ ଭାରତ ଗ୍ରୁପ୍-୨ର ପ୍ରଥମ ନା ୨ୟ ସ୍ଥାନରେ ରହିବ; ତାହା ମଙ୍ଗଳବାର ସ୍ପଷ୍ଟ ହୋଇଯିବ। ଭାରତ ୪ଟି ମ୍ୟାଚ୍ରୁ ୬ ଓ ଇଂଳଣ୍ଡ ୩ଟି ମ୍ୟାଚ୍ରୁ ୬ ପଏଣ୍ଟ ପାଇଛନ୍ତି। ମଙ୍ଗଳବାର ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ଅନ୍ତିମ ଲିଗ୍ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଜିତିଲେ ଇଂଲଣ୍ଡ ଗ୍ରୁପ୍ ଚମ୍ପିଆନ୍ ହେବ। ଇଂଲଣ୍ଡ ଯଦି ପରାସ୍ତ ହୁଏ; ତେବେ ଭାରତ ଶୀର୍ଷରେ ରହିବ। ଭାରତ ଗ୍ରୁପ୍ର ଶୀର୍ଷରେ ରହିଲେ ବିଶ୍ବ ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲ ଖେଳିବାକୁ ପଡ଼ିବ। ୪ଟିଯାକ ମ୍ୟାଚ୍ ହାରି ଆୟରଲାଣ୍ଡ ବିଦାୟ ନେଇଛି।
ଓପ୍ନର ସ୍ମୃତି ମାନ୍ଧାନାଙ୍କ ବିସ୍ଫୋରକ ୮୭ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୬ ୱିକେଟରେ ୧୫୫ ରନ୍ କରିଥିଲା। ପରେ ଆୟରଲାଣ୍ଡ ୮.୨ ଓଭରରେ ୨ ୱିକେଟ ହରାଇ ୫୪ ରନ୍ କରିଥିବାରୁ ବର୍ଷା ଯୋଗୁଁ ଆଗକୁ ଖେଳ ସମ୍ଭବ ହୋଇନଥିଲା। ଡକ୍ୱର୍ଥ-ଲୁଇସ୍ ନିୟମରେ ଜିତିବା ପାଇଁ ୮.୨ ଓଭରରେ ଆୟରଲାଣ୍ଡକୁ ୬୦ ରନ୍ କରିବାର ଥିବାରୁ ଭାରତ ୫ ରନ୍ରେ ବିଜୟୀ ହୋଇଥିଲା। ଭାରତ ଟସ୍ ଜିତି ବ୍ୟାଟିଂ ନେବା ପରେ ଓପ୍ନିଂ ଯୋଡ଼ି ୬୨ ରନ୍ କରିଥିଲେ। ଶେଫାଳି ବର୍ମା ୨୯ ବଲ୍ରୁ ୩ଟି ଚୌକା ସହ ୨୪ ରନ୍କରି ଆଉଟ୍ ହୋଇଥିଲେ। ପରେ ଅଧିନାୟିକା ହରମନପ୍ରୀତ କୌରଙ୍କ ସହ ସ୍ମୃତି ମାନ୍ଧାନା ୫୨ ରନ୍ ଯୋଡ଼ିଥିଲେ ହେଁ ଏହି ଭାଗିଦାରୀରେ ମାନ୍ଧାନା ପ୍ରାଧାନ୍ୟ ବିସ୍ତାର କରିଥିଲେ। ହରମନପ୍ରୀତ ୨୦ ବଲ୍ରୁ ମାତ୍ର ୧୩ ରନ୍ କରିଥିଲେ। ରିଚା ଘୋଷ ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ। ୧୯ଶ ଓଭରରେ ଆଉଟ୍ ହୋଇଥିବା ବାମହାତି ମାନ୍ଧାନା ଦର୍ଶନୀୟ ବ୍ୟାଟିଂକରି ୫୬ ବଲ୍ରୁ ୩ଟି ଛକା ଓ ୯ଟି ଚୌକା ସହ ୮୭ ରନ୍ କରିଥିଲେ। ଦୀପ୍ତି ଶର୍ମା ୧୨ ବଲ୍ରୁ ୩ଟି ଚୌକା ସହ ୧୯ ରନ୍ କରିଥିଲେ। ଆୟରଲାଣ୍ଡର ଲୌରା ଡେଲାନି ୩ଟି ଓ ଓର୍ଲା ପ୍ରେଣ୍ଡରଗାର୍ଷ୍ଟ ୨ଟି ୱିକେଟ ନେଇଥିଲେ। ୧୫୬ ରନ୍ ଲକ୍ଷ୍ୟରେ ଆୟରଲାଣ୍ଡ ପ୍ରଥମ ଓଭରରେ ୨ଟି ୱିକେଟ ହରାଇଥିଲା। ପରେ ଗ୍ୟାବି ଲୁଇସ୍ ଓ ଅଧିନାୟିକା ଲୌରା ଡେଲାନି ଲଢ଼ୁଆ ଭାଗିଦାରୀ କରି ୫୨ ରନ୍ ଯୋଡ଼ିବା ପରେ ବର୍ଷା ଯୋଗୁଁ ଖେଳ ବନ୍ଦ ହୋଇ ଯାଇଥିଲା। ଲୁଇସ୍ ୫ଟି ଚୌକା ସହ ୩୨ ଓ ଡେଲାନି ୩ଟି ଚୌକା ସହ ୧୭ ରନ୍କରି ଅପରାଜିତ ଥିଲେ। ସ୍ମୃତି ମାନ୍ଧାନା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Comments are closed.