BJD Bijuli 480×75 Mob

ଭାରତ ଡୋକଲାମ ଅଚଳାବସ୍ଥାରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ : ଚୀନ

BJD Bijuli 480×75 Mob
0

ବେଜିଂ : ଡୋକଲାମର ବିବାଦୀୟ ପରିସ୍ଥିତି ପାଇଁ ଭାରତୀୟ ରାଷ୍ଟ୍ରଦୂତ ଚୀନକୁ ଦାୟୀ କରିବା ପରେ ଚୀନ ଏହାର ଜବାବ ରଖିଛି । ଚୀନ ପକ୍ଷରୁ ଡୋକଲାମ ତାର ଅଂଶ ଓ ଉକ୍ତ ଗତିରୋଧରୁ ଭାରତ ଶିକ୍ଷା ଗ୍ରହଣ କରିବା ଉଚିତ୍ ବୋଲି କୁହାଯାଇଛି । ଚୀନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌତମ ବାମ୍ବାୱାଲେଙ୍କ ଟିପ୍ପଣୀକୁ ନେଇ ପ୍ରଶ୍ନ କରାଯିବା ପରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁଇଆଙ୍ଗ କହିଥିଲେ ଯେ ଡୋକଲାମ ଚୀନର ଅଂଶ ଅଟେ । ଚୀନ ପାଖରେ ଏନେଇ ଐତିହାସିକ ରାଜିନାମା ପତ୍ର ରହିଛି । ଡୋକଲାମରେ ଚଳପ୍ରଚଳ କରିବା ଚୀନର ସାର୍ବଭୌମ ଅଧିକାର । ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିବା ଭଳି କୌଣସି କାମ କରାଯାଇନଥିଲା । ମିଳିତ ଉଦ୍ୟମ ଏବଂ ବୁଦ୍ଧିମତାରୁ ଏହି ବିବାଦର ଆମେ ଠିକ୍‌ ଭାବେ ସମାଧାନ କରିପାରିଥିଲୁ । ଦୁଇ ସେନା ମଧ୍ୟରେ ୨ ମାସ ଧରି ଲାଗିରହିଥିବା ଅଚଳାବସ୍ଥାରୁ ଭାରତ ଶିକ୍ଷା ଗ୍ରହଣ କରିବ ଓ ଐତିହାସିକ ଚୁକ୍ତିପତ୍ରକୁ ଗ୍ରହଣ କରିବ ବୋଲି ଆମେ ଆଶା କରୁଛୁ । ପ୍ରକାଶ ଯେ ଚୀନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌତମ ବାମ୍ବାୱାଲେ ଡୋକଲାମର ବିବାଦୀୟ ପରିସ୍ଥିତି ପାଇଁ ଚୀନକୁ ଦାୟୀ କରିଥିଲେ । ଚୀନ ଏହାର ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ସେ କହିଥିଲେ। ଏହାସହ ସୀମାରେ ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଚୀନର କୌଣସି ପ୍ରୟାସ ପୁନଃ ଡୋକଲାମ ଭଳି ସ୍ଥିତି ସୃଷ୍ଟି କରିବ ବୋଲି ସେ ଚେତାଇ ଦେଇଥିଲେ । ଏହାପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସୀମାନ୍ତ ଡୋକଲାମରେ ଯଦି କୌଣସି ଅସ୍ୱାଭାବିକ ବା ଅପରିକଳ୍ପିତ ପରିସ୍ଥିତି ସୃଷ୍ଟି ହୁଏ ତେବେ ଏହାକୁ ଭାରତ ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ବୋଲି କହିଥିଲେ । ଏବେ ଚୀନର ପ୍ରତିକ୍ରିୟା ଏହି ବିବାଦକୁ ଅଧିକ ତେଜିବା ଭଳି ହୋଇଛି । ଉଲ୍ଲେଖ ଯେ ଗତବର୍ଷ ଜୁନ୍‌ ୧୬ରେ ଡୋକଲାମରେ ଚୀନ ସେନାର ରାସ୍ତା ନିର୍ମାଣକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ସେହି ଦିନଠାରୁ ୭୩ ଦିନ ପର୍ଯ୍ୟନ୍ତ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ରହିଥିଲେ । ପରେ ଏହାର ଆପୋଷ ସମାଧାନ କରାଯାଇଥିଲା।

Leave A Reply