ମହରଗ ମାଡ଼

ସପ୍ତାହକରେ ଆଳୁ କିଲୋ ୫ ଟଙ୍କା ବଢ଼ିଛି, ଅଟା, ତେଲ ସହ ଅନ୍ୟ ସାମଗ୍ରୀର ଦର ,ଆକାଶ ଛୁଆଁ, ମୁଦ୍ରାସ୍ଫୀତି ଉପରମୁହାଁ

ଭୁବନେଶ୍ବର :  ଖାଉଟି ବଜାରରେ ନିଆଁ ଲଗାଇଛି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି। ଲେମ୍ବୁ ଗୋଟାକ ୮ଟଙ୍କାରୁ ଖସୁନି। ଏଣେ ଓଡ଼ିଆଙ୍କ ପଖାଳ କଂସାରୁ ଅଦୃଶ୍ୟ ହେବାକୁ ବସିଲାଣି ଆଳୁ ଭଳି ସର୍ବଗ୍ରାହ୍ୟ ପରିବା। କେବଳ ଲେମ୍ବୁ କିମ୍ବା ଆଳୁ ନୁହେଁ; ପାମୋଲିନ୍‌, ସୂର୍ଯ୍ୟମୁଖୀ ସହ ଅନ୍ୟାନ୍ୟ ଖାଇବା ତେଲ, ଅଟା, ଡାଲି ଆଦି ତେଜରାତି ସାମଗ୍ରୀ ଦର ଅହେତୁକ ବଢିଛି। ହାଣ୍ଡିଶାଳକୁ ଏଇ ମହରଗ ମାଡ଼ ଖାଉଟିଙ୍କ ଅଣ୍ଟା ଭାଙ୍ଗିଛି।
ସପ୍ତାହକ ମଧ୍ୟରେ ଆଳୁ ଦର କିଲୋ ପ୍ରତି ୫ ଟଙ୍କା ବଢିଲାଣି। ଅମଳ ଋତୁରେ ବି ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ କରୁଛି ଓଡ଼ିଶା। ଏଣେ ଲେମ୍ବୁ ଭଳି ଆଳୁ ମିଶନ କ୍ଷେତ୍ରରେ ମଧ୍ୟ ରାଜ୍ୟ କୃଷିମନ୍ତ୍ରୀ ଡ. ଅରୁଣ ସାହୁ ନିକଟରେ ଶେଷ ହୋଇଥିବା ବିଧାନସଭାରେ ପୁଣି ମୁହଁ ଫୁଟାଣି ମାରିଛନ୍ତି। ରାଜ୍ୟରେ ଆଳୁ ମିଶନ କାହିଁକି ସଫଳ ହେଲାନାହିଁ ସେନେଇ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ‘‘ରାଜ୍ୟରେ ଆଳୁ ମିଶନ ସଫଳ ହୋଇନାହିଁ, ଏହା ସତ୍ୟ ନୁହେଁ। ସରକାର ଆର୍ଥିକ ବର୍ଷ ୨୦୧୫-୨୦୧୬ରେ ଆଳୁ ମିଶନ ଆରମ୍ଭ କରିଥିଲେ। ଏହି ମିଶନର ଅବଧି ୩ ବର୍ଷ ଥିଲା। ୨୦୧୮ ମାର୍ଚ୍ଚ ୩୧ରେ ମିଶନ ଅବଧି ସମାପ୍ତ ହୋଇଛି। ମିଶନ ଗଠନ ପୂର୍ବରୁ ରାଜ୍ୟରେ ୧୫,୮୦୫ ହେକ୍ଟର ଜମିରେ ଆଳୁ ଚାଷ ହେଉଥିଲା ବେଳେ ମିଶନ ଗଠନ ହେବା ପରେ ବର୍ତ୍ତମାନ ୨୫ ହଜାର ହେକ୍ଟର ଜମିରେ ଆଳୁ ଚାଷ କରାଯାଉଛି।’’ କୃଷିମନ୍ତ୍ରୀଙ୍କ ଏଭଳି ଉତ୍ତର କେତେ ବାସ୍ତବବାଦୀ ତାହା ବର୍ତ୍ତମାନ ବଜାର ଦରରୁ ବାରି ହୋଇ ପଡୁଛି।
ରାଜ୍ୟରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ଆଳୁ ଚାଷ କରି ଅଭାବୀ ବିକ୍ରିର ସମ୍ମୁଖୀନ ହେବାରୁ ମିଶନରୁ ମୁହଁ ଫେରାଇ ନେଇଛନ୍ତି। ରାଜ୍ୟରୁ ବାର୍ଷିକ ୮୦ ହଜାର ଟନ୍‌ ଆଳୁ ଅମଳ ହେଉଛି। କିନ୍ତୁ ରାଜ୍ୟ ପାଇଁ ଦୈନିକ ୪ ହଜାର ଟନ୍‌ ଆଳୁ ଆବଶ୍ୟକ ସହ ବର୍ଷକୁ ୧୪ ଲକ୍ଷ ୬୦ ହଜାର ଟନ୍‌ ଆଳୁର ଚାହିଦା ରହିଛି। ତଦନୁଯାୟୀ, ଅବଶିଷ୍ଟ ୧୩ ଲକ୍ଷ ୨୦ ହଜାର ଟନ ଆଳୁ ରାଜ୍ୟ ବ୍ୟବସାୟୀଙ୍କୁ ପଡୋଶୀ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆମଦାନୀ କରିବାକୁ ପଡୁଛି।
ମୁଖ୍ୟ ବଜାରକୁ ଛାଡ଼ି ଦେଲେ ଅନ୍ୟାନ୍ୟ ହାଟ ବଜାର ଓ ଖୁଚୁରା ଦୋକାନରେ ବ୍ୟବସାୟୀ ଆଳୁ କିଲୋପିଛା ୨୫ ଟଙ୍କାରେ ବିକ୍ରି କରୁଛନ୍ତି। ବ୍ୟବସାୟୀଙ୍କ ଯୁକ୍ତି ହେଉଛି, ଯେତିକି ଟଙ୍କା ବଢ଼ିଛି ତାହା କିଛି ନୁହେଁ। ରାଜ୍ୟରେ ଆଳୁ ଉତ୍ପାଦନ କମ୍‌ ରହିଛି। ବାହାର ରାଜ୍ୟ ଉପରେ ଏବେ ନିର୍ଭର କରିବାକୁ ପଡୁଛି। ତେଣୁ ଦର ବଢିବା ସ୍ବାଭାବିକ। ରାଜ୍ୟର ଅଧିକାଂଶ ବେପାରୀ ଏବେ କେବଳ ପଶ୍ଚିମବଙ୍ଗ
ଉପରେ ନିର୍ଭର ନକରି ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରୁଛନ୍ତି। ତେଣୁ ଆଳୁ ଦର ନିୟନ୍ତ୍ରଣ ମଧ୍ୟରେ ରହିପାରୁଛି। ଯଦି ପଶ୍ଚିମବଙ୍ଗ ଉପରେ ପୂର୍ଣ୍ଣମାତ୍ରାରେ ନିର୍ଭର କରିବାକୁ ପଡ଼ିବ, ତେବେ ଦର ଆହୁରି ଉଚ୍ଚା ରହିବ। ଅତୀତରେ ଏଭଳି ନଜିର ରହିଛି।
ଜାନୁଆରୀରୁ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ଭିତରେ ଆଳୁ ଅମଳ ହୋଇଥାଏ। ଏହି ସମୟରେ ଚାଷୀ ଆଳୁ ସାଇତି ରଖିବା ସହିତ ଖୁଚୁରା ବଜାରକୁ ଆଣି ବିକ୍ରି କରିଥାନ୍ତି। ଫଳସ୍ବରୂପ ପଶ୍ଚିମବଙ୍ଗ, ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଆଳୁ ଆମଦାନୀ କମିଥାଏ। ଏପ୍ରିଲ ଦ୍ବିତୀୟ ସପ୍ତାହ ବେଳକୁ ଅମଳ ଆଳୁ ସରିଯିବା ଦ୍ବାରା ପୂର୍ବପରି ବେପାରୀଙ୍କୁ ବାହାର ରାଜ୍ୟରୁ ଆଳୁ ଆମଦାନୀ କରିବାକୁ ପଡୁଛି। ପଶ୍ଚିମବଙ୍ଗରେ ଆଳୁ କ୍ବିଣ୍ଟାଲ ପିଛା ୧୬ଶହ ଟଙ୍କା ରହିଛି। ଓଡ଼ିଶାକୁ ଆଳୁ କ୍ବିଣ୍ଟାଲ ପିଛା ପରିବହନ ଖର୍ଚ୍ଚ ୨୦୦ ଟଙ୍କା ଲାଗୁଥିବାରୁ ଏଠାରେ ଦର ୧୮ ଶହ ଟଙ୍କା ରହିଛି। ପୂର୍ବରୁ ପଶ୍ଚିମବଙ୍ଗ ବଜାରରେ ଆଳୁ କ୍ବିଣ୍ଟାଲ ୧୨ଶହରୁ ୧୫ଶହ ଟଙ୍କା ରହୁଥିଲା। ପରିବହନ ଖର୍ଚ୍ଚ ମଧ୍ୟ କମ୍‌ ରହିବା ହେତୁ ଦର ନିୟନ୍ତ୍ରଣରେ ଥିଲା।
ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଯୋଗୁଁ ଆଳୁ ଉପରେ ପରିବହନ ଖର୍ଚ୍ଚ କୁଇଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ିଛି। ରାଜ୍ୟ ସମ୍ପୂର୍ଣ୍ଣ ଭାବେ ବାହାର ରାଜ୍ୟ ଉପରେ ଆଳୁ ପାଇଁ ନିର୍ଭରଶୀଳ। ପଶ୍ଚିମବଙ୍ଗ ଆଳୁ ବଜାର ଉପରେ ଓଡ଼ିଶା ଆଳୁ ଦର ନିର୍ଭର କରୁଛି। ପଞ୍ଜାବରୁ ଆଳୁ ଆମଦାନୀ କମଥିବା ବେଳେ ଉତ୍ତର ପ୍ରଦେଶରୁ ବହୁ ବ୍ୟବସାୟୀ ଆଣୁଛନ୍ତି। ଆଗକୁ ଏହିଭଳି ଭାବେ ଦର ରହିବ ବୋଲି ଆଶଙ୍କା କରାଯାଉଛି।
ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ବଢିଛି। ବିଶ୍ବ ବଜାରରେ ଯୋଗାଣ କ୍ଷେତ୍ର ପ୍ରଭାବିତ ହୋଇଥିବାରୁ ଦେଶର ପାଇକାରୀ ମୁଦ୍ରାସ୍ପୀତି ମାର୍ଚ୍ଚ ମାସରେ ୬.୯୫କୁ ବୃଦ୍ଧି ପାଇଛି। ଯାହାକି ଗତ ୧୭ ମାସରେ ଏହା ସର୍ବାଧିକ ସ୍ତରକୁ ଛୁଇଁଥିବା ଜଣାପଡିଛି। ଖାଉଟି ମୂଲ୍ୟସୂଚୀ ଅନୁଯାୟୀ ଖୁଚୁରା ମୁଦ୍ରାସ୍ଫୀତି ଆକଳନ କରାଯାଇଥାଏ। ଯେହେତୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଛି, ତାହା ପାଇକାରୀ ମୁଦ୍ରାସ୍ଫୀତିକୁ ସିଧାସଳଖ ପ୍ରଭାବିତ କରିଛି। କେତେକ ଖାଇବା ତେଲ କ୍ବିଣ୍ଟାଲ ପିଛା ୧୦୦ ଟଙ୍କା, ଅଟାରେ ୧୦୦ ଟଙ୍କା ଏବଂ ଡାଲିରେ କ୍ବିଣ୍ଟାଲ ପିଛା ୫୦ ଟଙ୍କାରୁ ଅଧିକ ବଢିଛି। ତୈଳ ଦରଜନିତ ପରିବହନ ଖର୍ଚ୍ଚ ବୃଦ୍ଧିରେ ଅତ୍ୟାବଶ୍ୟକ ସାମଗ୍ରୀ ଏଭଳି ଦରବୃଦ୍ଧି ଘଟିଛି।
ଅତୀତରେ ଆଳୁ ଦର ବୃଦ୍ଧିକୁ ନେଇ ତିନିଟି ରାଜ୍ୟରେ ସରକାର ବଦଳାଇଛନ୍ତି ଜନତା। ଓଡ଼ିଶାରେ ଆଳୁ ଦର ବୃଦ୍ଧିକୁ ଦେଖି ତତ୍କାଳୀନ କୃଷିମନ୍ତ୍ରୀ ଦାମୋଦର ରାଉତ ଆଳୁ ଖାଇଲେ ଡାଏବେଟିସ୍‌ ହେଉଛି। ତେଣୁ ଲୋକ ଆଳୁ କମ୍‌ ଖାଆନ୍ତୁ ବୋଲି ପରାମର୍ଶ ଦେଇ ସମାଲୋଚନାର ଶିକାର ହୋଇଥିଲେ। ଦର ନିୟନ୍ତ୍ରଣ କରିବାରେ କେନ୍ଦ୍ର ହେଉ କି ରାଜ୍ୟ ସରକାର ନିଜ ବିଫଳତା ଘୋଡାଇବାକୁ ଏଭଳି ପରାମର୍ଶ ପ୍ରଶାସନିକ ଅପାରଗତାକୁ ପ୍ରଦର୍ଶିତ କରୁଛି।

Comments are closed.