ଦୁଇ ବର୍ଷରେ କଂଗ୍ରେସଠାରୁ ବିଜେପିକୁ ମିଳିଛି ୧୬ଗୁଣ ଅଧିକ କର୍ପୋରେଟ ଚାନ୍ଦା
ନୂୂଆଦିଲ୍ଲୀ : କର୍ପୋରେଟ୍ ସଂସ୍ଥାଠାରୁ ଦାନ ଆକାରରେ ବିଜେପି କଂଗ୍ରେସ ତୁଳନାରେ ୧୬ଗୁଣ ଅଧିକ ଅର୍ଥ ପାଇଛି। ଗତ ଦୁଇ ବର୍ଷ ୨୦୧୬ରୁ ୨୦୧୮ ମଧ୍ୟରେ ମିଳିଛି ଏହି ବିପୁଳ ଚାନ୍ଦା। ଏଡିଆର (ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମସ୍) ରିପୋର୍ଟ ଅନୁସାରେ ବିଜେପିକୁ ୧୭୩୧ କର୍ପୋରେଟ୍ ସଂସ୍ଥା ୯୧୫କୋଟି ୫୯୬ଲକ୍ଷ ଟଙ୍କା ଚାନ୍ଦା ଦେଇଛନ୍ତି। ଅପରପକ୍ଷରେ କଂଗ୍ରେସ ପାଇଛି ମାତ୍ର ୫୫କୋଟି ୩୬ଲକ୍ଷ ଟଙ୍କା। ୧୫୧ଟି କର୍ପୋରେଟ୍ ସଂଦସ୍ଥା ଏହି ଚାନ୍ଦା ଦେଇଛନ୍ତି।
ସେହିପରି ୨୩ ସଂସ୍ଥା ପକ୍ଷରୁ ଏନ୍ସିପିକୁ ମିଳିଛି ୭କୋଟି ୭୩୭ଲକ୍ଷ ଟଙ୍କା। ଏହି କର୍ପୋରେଟ୍ ସଂସ୍ଥାଗୁଡ଼ିକ ମୋଟ ଉପରେ ଦେଇଛନ୍ତି ୯୮୫କୋଟି ୧୮ଲକ୍ଷ ଟଙ୍କା; ଯାହା କି ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ଜ୍ଞାତବ୍ୟ ସୂତ୍ରରୁ ମିଳୁଥିବା ମୋଟ୍ ଚାନ୍ଦାର ୯୩ପ୍ରତିଶତ। କଥିତ ଦୁଇ ଆର୍ଥିକ ବର୍ଷ ମଧ୍ୟରେ ୨୦ହଜାର ଟଙ୍କାରୁ ଅଧିକ ସ୍ବେଚ୍ଛାକୃତ ଦାନ ପରିମାଣ କଂଗ୍ରେସକୁ ୮୧ପ୍ରତିଶତ ମିଳିଥିଲାବେଳେ ବିଜେପିକୁ ମିଳିଛି ୯୪ପ୍ରତିଶତ।
ଅପରପକ୍ଷରେ ୨୦୧୨-୧୩ରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ବିଜେପିକୁ ସର୍ବାଧିକ କର୍ପୋରେଟ୍ ଅନୁଦାନ ମିଳିଛି। ଏହି ପରିମାଣ ୧୬୨୧କୋଟି ୪୦ ଲକ୍ଷ ଟଙ୍କା। ଗତ ୬ବର୍ଷ ମଧ୍ୟରେ ମୋଟ କର୍ପୋରେଟ୍ ଚାନ୍ଦାର ଏହା ହେଉଛି ୮୩.୪୯ ପ୍ରତିଶତ। ଗତ ଦଶନ୍ଧି ମଧ୍ୟରେ ଜାତୀୟ ରାଜନୈତିକ ଦଳଗୁଡ଼ିକୁ କର୍ପୋରେଟ୍ ଅନୁଦାନ ପରିମାଣ ୧୬୦ପ୍ରତିଶତ ବୃଦ୍ଧି ପାଇଛି। ସେହିଭଳି ୨୦୧୨ରୁ ୨୦୧୮ ମଧ୍ୟରେ ଏହି ପରିମାଣ ୪୧୪ ପ୍ରତିଶତ ବୃଦ୍ଧି ପାଇଥିବା ପ୍ରକାଶ।
Comments are closed.